ଅସରାଏ ବର୍ଷାରେ ଶ୍ରେଣୀଗୃହରେ ପାଣି

ନାଉଗାଁ,୮ା୮(ସ୍ବ.ପ୍ର): ନାଉଗାଁ ବ୍ଲକ ଶିଖର ପଞ୍ଚାୟତରେ ରହିଛି ନଳାଙ୍ଗ ସରକାରୀ ପ୍ରାଥମିକ ବିଦ୍ୟାଳୟ। ଏହି ବିଦ୍ୟାଳୟରେ ୫ଟି ଶ୍ରେଣୀ ଥିବାବେଳେ ପିଲା ସଂଖ୍ୟା ୫୨। ମାତ୍ର ପିଲା ପଢ଼ିବା ପାଇଁ କେବଳ ୨ଟି ଶ୍ରେଣୀଗୃହ ରହିଛି। ବିଦ୍ୟାଳୟରେ ଶ୍ରେଣୀ ଗୃହର ଅଭାବ ଥିବାବେଳେ ସେଥିରୁ ଗୋଟିଏରେ ଅଙ୍ଗନଓ୍ବାଡି କେନ୍ଦ୍ର ଚାଲିଛି। ଅନ୍ୟକକ୍ଷରେ ଉପରୋକ୍ତ ସବୁ ଶ୍ରେଣୀର ପିଲା ବସି ପାଠ ପଢନ୍ତି। ଫଳରେ ପିଲାମାନେ ଠିକ୍‌ ଭାବେ ପାଠ ପଢି ନ ପାରି ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରିସ୍ଥିତିରେ ଅସରାଏ ବର୍ଷା ହେଲେ ଶ୍ରେଣୀ ଗୃହରେ ପାଣି ପଶୁଥିବାରୁ ଛାତ୍ରୀଛାତ୍ରଙ୍କ ପାଠପଢାରେ ଅସୁବିଧା ହେଉଛି। ଗତ ଶୁକ୍ରବାର ମଧ୍ୟାହ୍ନରେ ବର୍ଷା ହେବାରୁ ବିଦ୍ୟାଳୟ ଗୃହରେ ପାଣି ଜମି ରହିଥିଲା। ପିଲାମାନେ ଠିଆ ହୋଇ ମଧ୍ୟାହ୍ନ ଭୋଜନ ଖାଇବାକୁ ବାଧ୍ୟ ହୋଇଥିଲେ। ସ୍ଥାନୀୟ ଲୋକେ ଏହାର ଭିଡିଓ କରି ସୋସିଆଲ ମିଡିଆରେ ଭାଇରାଲ କରିଥିଲେ।
ଏ ସମ୍ପର୍କରେ ପ୍ରଧାନ ଶିକ୍ଷକ ସୁବୋଧ କୁମାର ସ୍ବାଇଁଙ୍କୁ ପଚାରିବାରେ ବର୍ଷା ହେଲେ ଶ୍ରେଣୀଗୃହରେ ପାଠ ପଢାଇବାରେ ଅସୁବିଧା ହେଉଛି। ବିଦ୍ୟାଳୟ ସମ୍ମୁଖ ରାସ୍ତା ଉଚ୍ଚ ଥିବାରୁ ବର୍ଷା ହେଲେ ପାଣି ଆସି ଶ୍ରେଣୀ ଗୃହରେ ଜମି ରହୁଛି। ଅପରପକ୍ଷେ ବିଦ୍ୟାଳୟରେ ପାଣି ନିଷ୍କାସନ ପାଇଁ କୌଣସି ବ୍ୟବସ୍ଥା ନ ଥିବାରୁ ବାହାରକୁ ଯାଇ ପାରୁନାହିଁ। ଏହି ବିଦ୍ୟାଳୟରେ ଶାଳିଜଙ୍ଗା, ପାଟେଣିଗାଁ, ବୋଦଳ ପ୍ରାଥମିକ ବିଦ୍ୟାଳୟକୁ ମିଶ୍ରଣ କରାଯାଇଛି। ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ଉପସ୍ଥାନ କମ୍‌ ଥିବା ଦର୍ଶାଇ ସରକାରଙ୍କ ପକ୍ଷରୁ ଯେଉଁ ବିଦ୍ୟାଳୟଗୁଡ଼ିକୁ ଏହି ବିଦ୍ୟାଳୟ ସହ ମିଶ୍ରଣ କରାଯାଇଛି ସେସବୁ ବିଦ୍ୟାଳୟକୁ ପିଲାଙ୍କୁ ସ୍ଥାନାନ୍ତର କରାଗଲେ ସେମାନେ ଭଲରେ ପଢି ପାରନ୍ତେ। ପିଲାମାନଙ୍କୁ ବିଦ୍ୟାଳୟ ଅଭିମୁଖୀ କରିବାକୁ ସରକାର ବିଭିନ୍ନ ପ୍ରକାର ଯୋଜନା ପ୍ରସ୍ତୁତ କରୁଥିବାବେଳେ ନଳାଙ୍ଗ ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ଦେଖିଲେ ଉକ୍ତ ଯୋଜନା କିପରି ଚାଲିଛି ତାହା ସହଜରେ ଅନୁମେୟ। ଏ ସଂକ୍ରାନ୍ତରେ ବ୍ଲକ ଶିକ୍ଷାଧିକାରୀ ମନୋରମା ରାଉତଙ୍କୁ ପଚାରିବାରେ ସୋସିଆଲ ମିଡିଆରେ ବିଦ୍ୟାଳୟର ଭିଡିଓ ଭାଇରାଲ ହୋଇଥିବା ଦେଖିଛି। ସୋମବାର ଅତିରିକ୍ତ ଶିକ୍ଷାଧିକାରୀ ଓ ସିଆର୍‌ସିସିଙ୍କୁ ବନ୍ଦ ଥିବା ବିଦ୍ୟାଳୟଗୁଡ଼ିକୁ ଯାଞ୍ଚ ପାଇଁ ପଠାଯିବ। ଯଦି ବିଦ୍ୟାଳୟ ଗୃହଗୁଡିକ ବିପଦମୁକ୍ତ ଥିବ ତାହା ହେଲେ ବର୍ଷା ଋତୁରେ ଅନ୍ୟ ବିଦ୍ୟାଳୟକୁ ପାଠ ପଢାଯିବା ପାଇଁ ପିଲାଙ୍କୁ ସ୍ଥାନାନ୍ତର କରାଯିବ।  ନାଉଗାଁ