କର୍ଲାମୁଣ୍ଡା ବ୍ଲକ୍‌ର ରିଷିଡ଼ାରେ ଜଳ ସଙ୍କଟ: ୧୨ ଦିନ ହେଲା ପାଇପ୍‌ ଯୋଗେ ପାଣି ଯୋଗାଣ ବନ୍ଦ

ରିଷିଡ଼ା, ୧୬/୧୧ (ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ୍‌ର ଜନବହୁଳ ରିଷିଡ଼ା ଗ୍ରାମରେ ଗତ ୧୨ ଦିନ ହେଲା ପାନୀୟ ଜଳ ଯୋଗାଣ ସମ୍ପୂର୍ଣ୍ଣ ବ୍ୟାହତ ହୋଇଛି। ତେଲ ନଦୀରୁ ପାଇପ୍‌ ଯୋଗେ ହେଉଥିବା ଜଳ ଯୋଗାଣ ବନ୍ଦ ରହିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ପ୍ରାପ୍ତ ସୂଚନା ଅନୁଯାୟୀ, ଗ୍ରାମରେ ପୂର୍ତ୍ତ ବିଭାଗ ପକ୍ଷରୁ ଚାଲିଥିବା ରାସ୍ତା ନିର୍ମାଣ କାର୍ଯ୍ୟ ସମୟରେ ଠିକାଦାରଙ୍କ ମନମୁଖୀ ଓ ବେପରୁଆ କାର୍ଯ୍ୟ ଯୋଗୁଁ ପାନୀୟ ଜଳ ଯୋଗାଣ ପାଇପ୍‌ ଫାଟିଯାଇଥିବା ଅଭିଯୋଗ ହୋଇଛି। ଫଳରେ ଗ୍ରାମକୁ ଜଳ ଯୋଗାଣ ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି।

ଏହି ସମସ୍ୟାର ସମାଧାନ ପାଇଁ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ପକ୍ଷରୁ ପୂର୍ତ୍ତ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା। ଠିକାଦାର ଆବଶ୍ୟକ ମାଟି କାମ ଓ ଅନ୍ୟାନ୍ୟ କାର୍ଯ୍ୟ ସମ୍ପାଦନ କରିବା ପରେ ସମ୍ପୃକ୍ତ ବିଭାଗ ପକ୍ଷରୁ ପାଇପ୍‌ ମରାମତି କରାଯାଇ ଜଳ ଯୋଗାଣ ସ୍ୱାଭାବିକ କରାଯିବା କଥା। କିନ୍ତୁ ଏ ଦିଗରେ ସମ୍ପୃକ୍ତ ଠିକାଦାର କିମ୍ବା ପୂର୍ତ୍ତ ବିଭାଗର କନିଷ୍ଠ ଯନ୍ତ୍ରୀ କେହି ମଧ୍ୟ ଆବଶ୍ୟକ ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି। ଏପରିକି ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ଜନସାଧାରଣଙ୍କ ଫୋନ୍‌ ମଧ୍ୟ ଉଠାଉ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ଠିକାଦାରଙ୍କ ଏଭଳି ମନମୁଖୀ କାର୍ଯ୍ୟ ଯୋଗୁଁ ସାଧାରଣ ଜନତା ଦୁର୍ଦ୍ଦଶା ଭୋଗୁଥିବା ବେଳେ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ମଧ୍ୟ ଚାପରେ ରହିଛି। ଜଳ ଯୋଗାଣ ବନ୍ଦ ରହିବା କାରଣରୁ ଗ୍ରାମର ବିଭିନ୍ନ ପଡ଼ାରେ ଜଳ ସଙ୍କଟ ଉତ୍କଟ ରୂପ ଧାରଣ କରିଛି।

ପ୍ରଭାବିତ ପଡ଼ାଗୁଡ଼ିକ ମଧ୍ୟରେ କୁମ୍ଭାରପଡ଼ା, କନ୍ଧପଡ଼ା, ଗାନ୍ଧୀନଗରପଡ଼ା, ରାମଜୀପଡ଼ା, କଲୋନୀପଡ଼ା, ସଲଣ୍ଡିଆମୁଣ୍ଡା, ମାତୃପୁରୀ ଓ ଡେଲି ମାର୍କେଟ ପଡ଼ା ରହିଛି। ଏହି ସବୁ ପଡ଼ାର ଶହ ଶହ ପରିବାର ପିଇବା ପାଣି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦୁଇ ବିଭାଗ ମଧ୍ୟରେ ସମନ୍ୱୟର ଅଭାବ ଯୋଗୁଁ ସାଧାରଣ ଜନତାଙ୍କ ଦୁର୍ଦ୍ଦଶା ଦିନକୁ ଦିନ ବଢ଼ିବାରେ ଲାଗିଛି।

ଯଦି ତୁରନ୍ତ ଜଳ ଯୋଗାଣ ସ୍ୱାଭାବିକ କରାନଯାଏ, ତେବେ ବାଧ୍ୟ ହୋଇ ମହିଳାମାନେ ରାଜରାସ୍ତାକୁ ଓହ୍ଲାଇବା ସହ ଆନ୍ଦୋଳନାତ୍ମକ ପଦକ୍ଷେପ ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି। ତେଣୁ ଏହି ଗୁରୁତର ଜଳ ସଙ୍କଟର ତୁରନ୍ତ ସମାଧାନ ପାଇଁ ସ୍ଥାନୀୟ ଜନପ୍ରତିନିଧି, ବିଡିଓ (BDO) ଓ ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ କରିବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦୃଢ଼ ଦାବି ହୋଇଛି।

Dharitri – Odisha’s No.1 Odia Daily

Share