ନଷ୍ଟ ସମୟର ଚିତ୍ରପଟ

ଚିତ୍ର ଚରିତ୍ର/ ଅଧ୍ୟାପକ ନିରଞ୍ଜନ ପାଢ଼ୀ

ନଷ୍ଟ ସମୟର ପ୍ରଥମ ଚିତ୍ର। ଗୋଟିଏ ଗାଁର ଜଣେ ବୁଢ଼ାଙ୍କର ଚାରି ପୁଅ। ଅନ୍ୟ ବହୁ ପରିବାର ଭଳି ଏକାନ୍ନବର୍ତ୍ତିତାରେ ବିଶ୍ୱାସ ନ ଥିବାରୁ ସମସ୍ତେ ପରସ୍ପରଠାରୁ ପୃଥକ୍‌। ଚାରି ଭାଇଙ୍କ ମଧ୍ୟରେ ଭାଗବଣ୍ଟା ହୋଇଯାଇଛନ୍ତି ବାପା ମା’। ପ୍ରତ୍ୟେକ ପୁଅ ପାଖରେ ତିନିମାସ, ତାହା ପୁଣି ମିଳିତ ଭାବେ ନୁହେଁ। ୟା ପାଖରେ ବାପା ତ ତା’ ପାଖରେ ମାଆ। ଅସହାୟ ବାର୍ଦ୍ଧକ୍ୟର ବିକଳ ଅବସ୍ଥାକୁ ବାଧ୍ୟ ହୋଇ ସହି ନେଉଥିଲେ ବୃଦ୍ଧ ଦମ୍ପତି। ମାତ୍ର ଦିନକୁ ଦିନ ବଢ଼ୁଥିବା ପୁଅବୋହୂଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇ ଏକ ନିଷ୍ଠୁର ନିଷ୍ପତ୍ତିରେ ପହଞ୍ଚିଛନ୍ତି ବାପା। ସେ ନିଜ ସମ୍ପତ୍ତିରୁ ପୁଅମାନଙ୍କୁ ବେଦଖଲ କରିବାର ପ୍ରାର୍ଥନା ନେଇ କୋର୍ଟକୁ ଯିବେ ଓ ପୁଅମାନଙ୍କ ବିରୋଧରେ ମକଦ୍ଦମା ଲଢ଼ିବେ ବୋଲି ସ୍ଥିର କରିଛନ୍ତି।
ପରିଣତ ବୟସରେ ପୁତ୍ରମାନଙ୍କ ନିର୍ଯାତନା ବିରୋଧରେ ସଂଗ୍ରାମ କରିବାକୁ ଜଣେ ଗାଉଁଲି ବୃଦ୍ଧଙ୍କ ଅପୂର୍ବ ସାହସ ବାସ୍ତବରେ ପ୍ରଶଂସାଯୋଗ୍ୟ। ମାତ୍ର ତାଙ୍କର ଦୁର୍ଭାଗ୍ୟ ନିଜ ନିଜର ନିମ୍ନତମ ସଂସ୍କାରଠୁ ଦୂରେଇ ଯାଇ ଯେ କୌଣସି ମୁହୂର୍ତ୍ତରେ ପରସ୍ପର ସହ ଲଢ଼ିବାକୁ ତିଆର ଥିବା ପୁଅ ଚାରିହେଁ ବାପାଙ୍କ ବିରୋଧରେ କିନ୍ତୁ ଅସମ୍ଭବ ଭାବେ ଏକଜୁଟ ହୋଇ ଯାଇଛନ୍ତି ଓ ତାଙ୍କୁ ପାଗଳ ବୋଲି ଘୋଷଣା କରି ଖବରକାଗଜରେ ବିଜ୍ଞାପନ ପ୍ରକାଶିଛନ୍ତି। ଏ ପରିପ୍ରେକ୍ଷୀରେ କୋର୍ଟରୁ ନ୍ୟାୟ ମିଳିବ କି ନାହିଁ ବୋଲି ପ୍ରଶ୍ନ ପଚାରି ବୃଦ୍ଧ ମହୋଦୟ ଏ ଲେଖକର ପରାମର୍ଶ ଲୋଡ଼ିଲା ବେଳେ ତାଙ୍କ ଦୁର୍ଭାଗ୍ୟ ପାଇଁ ତା’ର ସମବେଦନା ଅଜାଡ଼ି ପଡ଼ିଛି ସିନା, କୋର୍ଟ ଯିବା ପାଇଁ ସେ ତାଙ୍କୁ ପରାମର୍ଶ ଦେଇପାରିନାହିଁ। ନିଜ ଆମତ୍ଜମାନଙ୍କ ବିରୋଧରେ ଆଇନଗତ ଲଢ଼େଇ କରିବାର ବ୍ୟବସ୍ଥା ଏତେ ଦୀର୍ଘକାଳୀନ କସରତ ଯେ ନ୍ୟାୟ ମିଳିବା ପୂର୍ବରୁ ସଂସାର ଛାଡ଼ିବା କିଛି ଅସ୍ବାଭାବିକ ନୁହେଁ ବୋଲି ସେ ବୁଝିଥିଲା।
ସତ୍ୟ ସଦାଚାର ଉପରେ ଅସତ୍ୟ ଅନାଚାରର ଆସୁରିକ ଆକ୍ରମଣ ସତ୍ତ୍ୱେ ନ୍ୟାୟପାଳିକା ଉପରୁ ଅସହାୟ ମଣିଷର ଆସ୍ଥା ତଥାପି ହ୍ରାସ ପାଇନାହିଁ। ବିଜ୍ଞ ବିଚାରପତିଙ୍କ କଲମର ବଜ୍ରଶକ୍ତି ତାକୁ ବାରମ୍ବାର ସୁରକ୍ଷା ଯୋଗାଇ ଆସିଛି। ତଥାପି ବେଳେବେଳେ ତା’ ଆଖି ସାମନାରେ ଏମିତି କିଛି ଘଟୁଛି, ଯାହାକୁ ସେ ସହଜ ମନରେ ଗ୍ରହଣ କରିପାରୁନାହିଁ। ନ୍ୟାୟ ଓ ନୀତି ଯେ ଏକାକଥା ନୁହେଁ, ଦୁଇଟି ଭିନ୍ନ ପ୍ରସଙ୍ଗ; ଏହା ବିଶ୍ୱାସ କରିବାକୁ ତା’ ମନ ମାନୁନାହିଁ। ଗୋଟିଏ କଥା ଅନୈତିକ ହୋଇପାରେ, ମାତ୍ର ଅନ୍ୟାୟ ନୁହେଁ, ଏମିତି ଏକ ବିଚିତ୍ର ସିଦ୍ଧାନ୍ତ ସହ ସେ ସାଲିସ କରିପାରୁନାହିଁ। ନୈତିକତାର ପରିଭାଷା ଯେଉଁଠି ନ୍ୟାୟର ପରିସୀମା ଠୁଁ ବହୁ ଦୂରରେ, ସେଠି କେଉଁ ଭରସାରେ ବୁଢ଼ାବାପା ଜଣେ ନ୍ୟାୟାଳୟରେ ଆଶ୍ରୟ ନେବ ନିଜ ପୁଅମାନଙ୍କ ବିରୋଧରେ ଫେରାଦ ହେବାକୁ। ନ୍ୟାୟ ପ୍ରକ୍ରିୟାର ପ୍ରହେଳିକା ମଧ୍ୟରେ ସଂସ୍କାର ଯେଉଁଠି ଗୁରୁତର ସଙ୍କଟଗ୍ରସ୍ତ, ବାପା ପୁଅ, ସ୍ବାମୀ ସ୍ତ୍ରୀ ଆଦି ପାରମ୍ପରିକ ସମ୍ପର୍କ ଯେଉଁଠି ନଷ୍ଟ ସମୟ ମଧ୍ୟ ଦେଇ ତୀବ୍ର ଗତିରେ ଧାବମାନ; ସେଠି କିଏ ବା କେମିତି ଆଗେଇ ଆସିବ ଚାରିପୁଅଙ୍କ କ୍ୟାଲେଣ୍ଡର ପୃଷ୍ଠା ମଧ୍ୟରେ ନିଜକୁ ଭାଗ କରୁଥିବା ବିଚରା ବାପା ଜଣକ ଆଖିରୁ ଲୁହ ପୋଛିବାକୁ।
ନଷ୍ଟ ସମୟର ଦ୍ୱିତୀୟ ଚିତ୍ର। ସହବାସୀ ସମ୍ପର୍କ ବା ‘ଲିଭ-ଇନ-ରିଲେଶନଶିପ।’ ଏମିତି ଏକ ସମାଜଛଡ଼ା ସମ୍ପର୍କ କେବେ କେଉଁଠି ଆରମ୍ଭ ହୋଇଥିଲା କେଜାଣି, ସଂସ୍କାର ଓ ପରମ୍ପରା ରକ୍ଷା ଦିଗରେ ସମଗ୍ର ବିଶ୍ୱରେ ଉଜ୍ଜ୍ୱଳ ଉଦାହରଣ ସୃଷ୍ଟି କରି ଆସିଥିବା ଆମ ଭାରତବର୍ଷର ଛୋଟ ବଡ଼ ନଗରାଞ୍ଚଳରେ ଏମିତି ସମ୍ପର୍କ ଏବେ ବହୁ ସଂଖ୍ୟାରେ ଦେଖିବାକୁ ମିଳୁଛି। ବଡ଼ ଅଦ୍ଭୁତ ଏ ସମ୍ପର୍କ। ନା ବୈଦିକ ବିଚାରର ସମର୍ଥନ ଅଛି ନା ସାମାଜିକ ସ୍ବୀକୃତି। ଏକା ଘରେ ରହୁଥିବେ ଦୁଇଜଣ ପ୍ରାପ୍ତ ବୟସ୍କ ପୁରୁଷ ଓ ନାରୀ। ବିବାହ ପୂର୍ବରୁ ଯାହା କିଛି ଅକରଣୀୟ ସବୁକିଛି କରୁଥିବେ। ଅଥଚ ସେ ଦୁହେଁ ବିବାହ କରି ନ ଥିବେ କି ପନତ୍ୀପତି ହୋଇ ନ ଥିବେ। ଆଃ, ପଶ୍ଚାତ୍‌ ଗତିରେ ମଣିଷ ପଶୁ ହୋଇଯାଇଛି ଯେମିତି!
ଏମିତି ଏକ ସମ୍ପର୍କକୁ ନେଇ କେଇ ବର୍ଷ ତଳେ ଆଲ୍ଲାହାବାଦ ହାଇକୋର୍ଟର ଏକ ରାୟ ପ୍ରକାଶ ପାଇ ଭାରତୀୟ ସଂସ୍କାରର ଇତିହାସକୁ ଏକ ଭିନ୍ନ ମୋଡ଼ ଦେଇଛି। ପାୟଲ ଶର୍ମା ନାମ୍ନୀ ଜଣେ ଅବିବାହିତ ଝିଅ ନିଜ ବାପାମା’ଙ୍କ ବାରଣ ନ ମାନି ପ୍ରେମ କରୁଥିଲେ ଜଣେ ନଷ୍ଟ ଚରିତ୍ର ଯୁବକଙ୍କୁ। ବାପା ମା’ଙ୍କ ଆକଟକୁ ପ୍ରତ୍ୟାଖ୍ୟାନ କରି ସେ ଦିନେ ଘର ଛାଡ଼ିଲେ ଓ ସେଇ ଯୁବକଙ୍କ ସହ ସହବାସୀ ସମ୍ପର୍କରେ ରହିବାକୁ ଲାଗିଲେ। କଥା ଗଲା ଅଦାଲତକୁ। ବହୁଦିନର ଲୁଚକାଳି ଖେଳ ପରେ ଆଇନର ସ୍ବରୂପ ପ୍ରକଟିତ ହେଲା। ଆଇନର ବିଚାର ବିଶ୍ଳେଷଣ କରି ବିଚାରପତି ରାୟ ଶୁଣାଇଲେ, ”ଝିଅଟି ସାବାଳିକା ହୋଇଥିଲେ ବାପାମାଆଙ୍କ ଇଚ୍ଛାରେ ପରିଚାଳିତ ହେବାକୁ ବାଧ୍ୟ ନୁହେଁ। ନିଜ ସମ୍ପର୍କରେ ସେ ନିଜେ ନିଷ୍ପତ୍ତି ନେଇପାରିବେ, ଯେଉଁଠି ଚାହିଁବେ ସେଠି ରହିପାରିବେ। ଅତଏବ ବିବାହ ନ କରି ମଧ୍ୟ ଦୁଇଜଣ ସାବାଳକ ତରୁଣ ତରୁଣୀ ସ୍ବାମୀ ସ୍ତ୍ରୀ ଭାବେ ଏକାଠି ରହିବା ଆଇନ ଦୃଷ୍ଟିରୁ ଅସଙ୍ଗତ ନୁହେଁ। ହୋଇପାରେ, ଆମ ସଂସ୍କାର ଓ ପରମ୍ପରା ଦୃଷ୍ଟିରୁ ଏହା ଅନୈତିକ, ମାତ୍ର ଆଇନ ଦୃଷ୍ଟିରୁ ଏହା ଅନ୍ୟାୟ, ଅବୈଧ ବା ଅସଙ୍ଗତ ନୁହେଁ। ବିଚରା ବାପା! ଝିଅଟିକୁ ଅଠର ବର୍ଷରୁ ଊର୍ଦ୍ଧ୍ୱ ହୋଇଗଲେ ସେ ଯେ ଆଉ ଝିଅ ହୋଇ ରହେ ନାହିଁ, ଏକଥା ପାୟଲ ବୋଲି ସେଇ ଝିଅଟିକୁ ଜନ୍ମ ଦେଇ ନ ଥିଲେ ସେ ଜାଣିପାରି ନ ଥାନ୍ତେ।
ଅଥଚ ଆମ ସଂସ୍କାର ପୂର୍ବରୁ କେବେ ଏମିତି ନୈତିକ ସଙ୍କଟର ସମ୍ମୁଖୀନ ହୋଇ ନ ଥିଲା। ପାଶ୍ଚାତ୍ୟ ଦେଶଗୁଡ଼ିକରେ ଏହି ବିବାହବିହୀନ ସହବାସୀ ସମ୍ପର୍କ ଅତି ସାଧାରଣ କଥା ଥିଲା ବେଳେ ଆମ ଭାରତ ଭୂଖଣ୍ଡ ଥିଲା ଏହାର ସମ୍ପୂର୍ଣ୍ଣ ବିରୋଧୀ। ମାତ୍ର ମୁକ୍ତ ଚେତନା ନାମରେ ଏହା ଏବେ ଆଧୁନିକ ହୋଇ ନିଜ ମୂଳ ସଂସ୍କାରକୁ ପରିହାର କରି ଅନ୍ୟ ଦେଶର ଆଚାର ବିଚାରକୁ ଆପଣେଇ ନେବା ଭଳି ବିଲକ୍ଷଣ ବହୁଳ ଭାବେ ପରିଲକ୍ଷିତ ହେଲାଣି। ତାହା ହୋଇ ନ ଥିଲେ ଯେଉଁ ମାଟିରେ ଦାମ୍ପତ୍ୟ କେବଳ ଦୁଇଟି ବିପରିତଲିଙ୍ଗୀ ମଣିଷଙ୍କର ଆଦିମ ମିଳନ ନୁହେଁ, ବରଂ ଏକ ଦିବ୍ୟ ଚେତନାର ସ୍ବର୍ଗୀୟ ଅନୁଭବ, ସେହି ମାଟିରେ ପୁଣି ଏଇ ବିବାହବିହୀନ ଦାମ୍ପତ୍ୟ ବିରୋଧରେ ସାମାଜିକ ପ୍ରତିବାଦ ଉଠି ନ ଥାଆନ୍ତା। ଉଚ୍ଚତମ ନ୍ୟାୟାଳୟର ସିଦ୍ଧାନ୍ତ ବିରୋଧରେ ପୁନର୍ବିଚାର ପାଇଁ ପିଟିଶନ ପଡ଼ି ନ ଥାଆନ୍ତା।
ନଷ୍ଟ ସମୟର ଉଗ୍ର ଆବାହନ ମଧ୍ୟରେ ସଂସ୍କାରଗତ ସମ୍ପର୍କ ଆଜି ମୂଲ୍ୟହୀନ ହୋଇପଡ଼ିଛି। କେଇବର୍ଷ ତଳେ କର୍ମଜୀବୀ ଅବିବାହିତା ମାଆମାନେ ବିବାହିତ କର୍ମଜୀବୀମାନଙ୍କ ପରି ପ୍ରସବକାଳୀନ ଛୁଟି ପାଇବାକୁ ସମାନ ଭାବେ ହକ୍‌ଦାର ବୋଲି ଦାବି ଉପସ୍ଥାପିତ କରିଥିଲେ। ମାତ୍ର ଧନ୍ୟ କହିବ, ମହନୀୟ ସଂସ୍କାରରେ ସଦା ଉଜ୍ଜ୍ୱଳ ଭାରତବର୍ଷର ଶାସନ ବ୍ୟବସ୍ଥାକୁ, ଏ ଦେଶର ସ୍ବରାଷ୍ଟ୍ର ବିଭାଗ ଏ ପ୍ରକାର ଦାବିକୁ ‘ଅସ୍ପୃହଣୀୟ ସ୍ଖଳନ’ ଓ ‘ନୈତିକ ବିଚ୍ୟୁତି’ ବୋଲି ଟିପଣୀ ଦେଇ ପ୍ରତ୍ୟାଖ୍ୟାନ କରି ଦେଇଥିଲା। ଅଥଚ ଆଜି କୋର୍ଟ ରାୟରେ ବଳିୟାନ ହୋଇ ବିନା ବିବାହରେ ପାୟଲ ଶର୍ମାମାନେ(ଛଦ୍ମନାମ) ମାଆ ହେଉଛନ୍ତି ଓ ସେଇ ସବୁ ପ୍ରକାର ସୁବିଧା ହାସଲ କରୁଛନ୍ତି, ଯାହା ବିବାହିତା ମାଆମାନଙ୍କର ପ୍ରାପ୍ୟ।
ଭାରତରେ ଖଣ୍ଡିଏ ପିଠାକୁ ଏକ ସମୟରେ ଖାଇବା ଓ ସଞ୍ଚିବା ଏତେ ସହଜ ନୁହେଁ। ଆମେରିକାରେ ଜଣେ ଯୁବତୀ ବିଧବା ହେଲେ ବିଧବା ଭତ୍ତା ତ ପାଇବ, ପୁଣି ବିବାହ ନ କରି ମଧ୍ୟ ସହବାସୀ ସମ୍ପର୍କରେ ଅନ୍ୟ କେହି ଯୁବକଙ୍କ ସହ ଏକାଠି ରହି ବିବାହ ସୁଖ ବି ପାଇବ। ମାତ୍ର କାଲି ପର୍ଯ୍ୟନ୍ତ ଭାରତରେ ଏହା ସମ୍ଭବ ନ ଥିଲା। ଏବେ କିନ୍ତୁ ତାହା ଆଉ ସମ୍ଭବ ହୋଇ ରହିନାହିଁ। ନଷ୍ଟ ସମୟର ଏହି ତୃତୀୟ ଚିତ୍ରଟି ଉପରେ ନଜର ପକାନ୍ତୁ, ଯାହା ପ୍ରାୟ ବର୍ଷକ ତଳେ କୋଲକାତାରୁ ପ୍ରକାଶିତ ଏକ ଖବରକାଗଜରେ ପ୍ରକାଶ ପାଇଥିଲା। କଥିତ ବିଧବାଙ୍କ ରଙ୍ଗିନ ଜୀବନର ଗୋପନ କଥା ଘରର ଚାରିକାନ୍ଥ ଡେଇଁ ଖବରକାଗଜରେ ପହଞ୍ଚାଇ ଥିଲା ବିଧବାଙ୍କ ସାତବର୍ଷ ବୟସର ଶିଶୁପୁତ୍ର। ଅତୀତରେ ଭାରତବର୍ଷର ସଂସ୍କାରକୁ ପିଠି କରି ଆଗେଇ ଯାଇଥିବା ଜଣେ କୁନ୍ତୀଙ୍କ ଆଚରଣ ପାଇଁ କର୍ଣ୍ଣଙ୍କ କପାଳରେ ଅଙ୍କିତ ହୋଇ ଯାଇଥିଲା ସୂତପୁତ୍ରର କଳଙ୍କ। ଜୀବନଯାକ ଏହି କଳଙ୍କର ବୋଝ ମୁଣ୍ଡାଇ ଢେର କଲବଲ ହୋଇ ବଞ୍ଚିଥିଲେ ହତଭାଗ୍ୟ କର୍ଣ୍ଣ। ମାତ୍ର ଏହି କୋଲକାତାର ଅନ୍ୟ ଜଣେ ଶିଶୁ କର୍ଣ୍ଣ ନିଜ ମାଆଙ୍କ କୃତକର୍ମ ବିରୋଧରେ ପ୍ରତିବାଦ କରିଥିଲେ।
କଥା ହେଲା କୋଲକାତାର ଏକ କମ୍ପାନୀ ଅଫିସରେ କାର୍ଯ୍ୟ କରୁଥିବା ଜଣେ ଯୁବକଙ୍କ ଅକାଳ ମୃତ୍ୟୁ ପରେ ତାଙ୍କ ବିଧବା ପତ୍ନୀଙ୍କୁ ସେହି ଅଫିସରେ ଅନୁକମ୍ପାଭିତ୍ତିରେ ଚାକିରିଟିଏ ମିଳିଲା। ଚାକିରି ଆର୍ଥିକ ଦୁଃସ୍ଥିତିର ଦୁଃଖ ଲାଘବ କଲା ସିନା, କିନ୍ତୁ ବଢାଇ ଚାଲିଲା ସଦ୍ୟ ବୈଧବ୍ୟର ବିରହ ବେଦନା। କିଛିଦିନ ମଧ୍ୟରେ ସେଇ ଅଫିସରେ କାର୍ଯ୍ୟ କରୁଥିବା ଜଣେ ଯୁବ ସହକର୍ମୀଙ୍କ ପ୍ରତି ଆକର୍ଷିତ ହେଲେ ସେହି ବିଧବା। ଯୁବକ ଅବିବାହିତ ଥିଲେ। ସୁତରାଂ ବିବାହ ପାଇଁ ଅସୁବିଧା ନ ଥିଲା। ମାତ୍ର ଯେଉଁ ନିୟମ ଭିତ୍ତିରେ ମହିଳାଙ୍କୁ ଚାକିରି ମିଳିଥିଲା, ବିବାହ କଲେ ଚାକିରି ଚାଲିଯିବାର ଭୟ ଥିଲା। ବଡ଼ ବିଚିତ୍ର ଥିଲା ସେଇ ଜୀବନ ଓ ଜୀବିକାର ଚକ୍ର। ମହିଳା ଜଣକ ବିଧବା ହୋଇ ନ ଥିଲେ ଚାକିରି ପାଇ ନ ଥାନ୍ତେ। ଚାକିରି ପାଇ ନ ଥିଲେ ସେଇ ଯୁବ ସହକର୍ମୀଙ୍କ ପ୍ରେମରେ ପଡି ନ ଥାନ୍ତେ ଓ ସେଇ ଦୃଷ୍ଟିରୁ ଆଉ ଥରେ ସଧବା ଜୀବନ ଜିଇବାର ସ୍ବପ୍ନ ଦେଖି ନ ଥାନ୍ତେ। ତେବେ ଚାକିରି ସୁଖ ଓ ଦାମ୍ପତ୍ୟ ସୁଖ ଏକ ସଙ୍ଗେ ପାଇବା ସମ୍ଭବ ହେଉ ନ ଥିବାରୁ ଯୁବକଙ୍କ ସହଧର୍ମିଣୀ ନ ହୋଇ ସହବାସିନୀ ହୋଇ ରହିଛନ୍ତି ସେଇ ମହିଳା। ଶିଶୁ ପୁତ୍ରଟିକୁ ଆବାସିକ ବିଦ୍ୟାଳୟରେ ଛାଡ଼ି ନିଜ ପ୍ରେମୀ ପୁରୁଷଙ୍କ ସହ ସହବାସୀ ସମ୍ପର୍କରେ ଅଛନ୍ତି।
ସ୍ବାମୀ ରାମତୀର୍ଥ ଆମେରିକା ପର୍ଯ୍ୟଟନ କାଳରେ ଥରେ ଜଣେ ସୁନ୍ଦରୀ ମହିଳାଙ୍କୁ ଏକ କବର ସ୍ଥାନରେ ପଙ୍ଖା ହଲାଉଥିବାର ଦେଖି ପରମ ଆଶ୍ଚର୍ଯ୍ୟରେ ପଚାରିଲେ, ‘କ’ଣ କରୁଛ?’ ଉତ୍ତର ମିଳିଲା ”ମୋ ସ୍ବାମୀଙ୍କର କବର ୟେ। ମରିବା ଆଗରୁ ସେ ମୋ ପାଖରୁ କଥା ନେଇଥିଲେ ଯେ, ତାଙ୍କ କବର ନ ଶୁଖିବା ଯାଏ ମୁଁ ଦ୍ୱିତୀୟ ପୁରୁଷଙ୍କ ସଙ୍ଗ ଲୋଡ଼ିବି ନାହିଁ। ମୁଁ ବିଞ୍ଚି ଚାଲିଛି। ଶୀଘ୍ର ଶୁଖିଗଲେ ମୁଁ ମୋ ପୁରୁଷ ସାଥୀ ସହ ସହବାସୀ ହୋଇ ରହିବି।“ ଏହା ଆମେରିକାର କଥା। ମାତ୍ର ନ୍ୟାୟାଳୟର ସିଦ୍ଧାନ୍ତ ବଳରେ ବଳୀୟାନ ହୋଇ ଭାରତୀୟ ସଂସ୍କାର ଓ ସଂସ୍କୃତିକୁ ପଛକୁ ଠେଲି ଦେଇ ଯଦି କେହି ଏମିତି କିଛି ଏଠାରେ ଘଟାନ୍ତି, ତେବେ ପୁଣ୍ୟଭୂମି ଭାରତବର୍ଷକୁ ଚିହ୍ନି ଚିହ୍ନାଇବାରେ କଷ୍ଟ ହେବନି ତ! ବିଜ୍ଞ ଜନେ ବିଚାର କରନ୍ତୁ।
-ପ୍ରଜ୍ଞା ନିଳୟ, ବିଦ୍ୟାପତି ନଗର, ଚକେଇସିହାଣି, ଭୁବନେଶ୍ୱର
ମୋ-୯୭୭୬୭୭୭୧୫୦


Enter your email to get our daily news in your inbox.

All Right Reserved By Dharitri.Com

କେଉଁ ଗଛ ଲଗାଇବା

ପରିବେଶ ଉପରେ ବୃକ୍ଷହାନିର ପ୍ରତିକୂଳ ପ୍ରଭାବକୁ ଦୂର କରିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ମାତ୍ର କେଉଁ ସ୍ଥାନ...

ଆଶା ନିରାଶାର ଖେଳ

ଆଶା ଭବିଷ୍ୟତର ସୂଚକ। ଆଶାର ଅନାଗତ ସ୍ବରୂପ ମଣିଷର ପରିକଳ୍ପନା ମାତ୍ର। ସେହି ଆଶାର ସାମୟିକ ଝଲକ ତାକୁ ବର୍ତ୍ତମାନର କର୍ମ ସମ୍ପାଦନ ପାଇଁ ଉତ୍ସାହିତ...

ବାହ୍ୟ ସୁରକ୍ଷାର ପୁନର୍ବିଚାର

ରାହୁଲ ରାସଗୋତ୍ରାଙ୍କୁ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଭାବରେ ପୋର୍ଟ ଲୁଇସ୍‌ (ମରିସସ୍‌ ରାଜଧାନୀ)କୁ ପଠାଇବା ଏକ ନିୟମିତ ଘୋଷଣା ନ ଥିଲା, ବରଂ ଥିଲା...

ଯଥାର୍ଥ ଦାନ

ଅଭିରାମ ବାବୁ ଜଗନ୍ନାଥଙ୍କର ଜଣେ ପରମ ଭକ୍ତ। ସେଥିପାଇଁ ସେ ଜଗନ୍ନାଥ ସଂସ୍କୃତିକୁ ସମ୍ମାନ ଜଣାଇଥାନ୍ତି। ତାଙ୍କର ପୁଅ ଯୋଗେଶ ସ୍କୁଲ ଛାତ୍ର। ସେ ବାପାଙ୍କ...

କୃତ୍ରିମ ବୁଦ୍ଧିମତ୍ତା ଓ ମାନବ ଅଧିକାର

ନିକଟରେ ଜଣେ ମହିଳା ଇନ୍‌ଷ୍ଟାଗ୍ରାମ୍‌ରେ ଲେଖିଥିଲେ ଯେ ସେ ଗୋଟିଏ ଆପ୍‌ରେ ଶାଢ଼ିପିନ୍ଧା ଫଟୋ ଅପ୍‌ଲୋଡ କରି ପରିବର୍ତ୍ତିତ ଫଟୋ ଦେଖି ତାଜୁବ ହୋଇଗଲେ। ଏହି...

ଅସୁରକ୍ଷିତ ସ୍କୁଲପିଲା

ଚଳିତବର୍ଷ ନଭେମ୍ବରରେ ନାଇଜେରିଆର ବିଭିନ୍ନ ସ୍କୁଲରୁ ଅନେକ ଶହ ପିଲାଙ୍କୁ ଅପହରଣ କରାଯାଇଥିଲା। ସେହିମାନେ ଏବେ ବନ୍ଦୀ କିମ୍ବା ନିଖୋଜ। ତେବେ ନିକଟରେ ୧୦୦ ଛାତ୍ରଙ୍କୁ...

ଏଇ ଭାରତରେ

କୃଷିକ୍ଷେତ୍ରରେ କୃଷକମାନେ ପାରମ୍ପରିକ ପଦ୍ଧତିରେ କୀଟନାଶକ ସିଞ୍ଚନ କରିବା ଯୋଗୁ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖାଯାଉଛି। ଏଥିରେ ଅଧିକ କୀଟନାଶକ ବ୍ୟହାର ହେଉଛି...

ବନ୍ଦେ ମାତରମ୍‌କୁ ବାରଣ କାହିଁକି

ଛିଦିନ ପୂର୍ୱରୁ ରାଜ୍ୟ ସଭାର ଏକ ନୋଟିସ ମାଧ୍ୟମରେ ରାଜ୍ୟ ସଭାରେ ବନ୍ଦେ ମାତରମ୍‌ ଓ ଜୟ ହିନ୍ଦ୍‌ ସ୍ଲୋଗାନ ଦେବା ଉପରେ ନିଷେଧାଦେଶ ଲାଗିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri