କାଳ ସାଜିଛି ବର୍ଜ୍ୟପାଣି, କୀଟନାଶକ

ରଘୁନାଥପୁର,୭।୧୧(ଡି.ଏନ୍‌.ଏ.):ରଘୁନାଥପୁର ବ୍ଲକ ବିଦ୍ୟାଧରପୁର ପଞ୍ଚାୟତ ପଲ୍ଲୀଗଡ଼ ଓ ନାୟକସାହି ପୋଖରୀ ପୁନରୁଦ୍ଧାର ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇଛି ା ଏହାସତ୍ତ୍ୱେ ପୋଖରୀକୁ ଲିଜ୍‌ରେ ନେବାକୁ ଏସ୍‌ଏଚ୍‌ଜି ସଦସ୍ୟାମାନେ ରାଜି ହେଉନାହାନ୍ତି। ସେମାନଙ୍କ କହିବାନୁଯାୟୀ, ଏକ କମ୍ପାନୀରୁ ନିର୍ଗତ ବର୍ଜ୍ୟପାଣି ଓ ଚାଷଜମିରେ ପ୍ରୟୋଗ ହେଉଥିବା ରାସାୟନିକ ସାର ଓ କୀଟନାଶକ ସବୁ ଉକ୍ତ ପୋଖରୀରେ ମିଶୁଛି। ଫଳରେ ମାଛ ଚାଷ କ୍ଷତିଗ୍ରସ୍ତ ହେଉଛି। ଏଥିଯୋଗୁ ମାଛ ଯାଆଁଳ ଛାଡିଲେ ସେଗୁଡିକ ବୃଦ୍ଧି ହେଉ ନ ଥିବା ସହ ଅନେକ ମରି ଯାଉଛନ୍ତି । ଫଳରେ ବହୁ କ୍ଷତି ସହିବାକୁ ପଡ଼ୁଛି ବୋଲି ସାମାଜିକ କର୍ମୀ ରହିମ ଖାଁ ଓ ଅଜୟ ସାମଲ କହିଛନ୍ତି।
ସୂଚନାଯୋଗ୍ୟ, ମୋଟ ୬ ଏକରରେ ଜମିରେ ହୋଇଥିବା ଏହି ପୋଖରୀକୁ ଦୁଇଟି ଚାଷଜମ ଲାଗି ରହିଛି। ଜଇପୁର ୧୧ନଂ (କ) ଜଳସେଚିତ କେନାଲର ପାଣି, ଚାଷଜମିରୁ ନିଃସୃତ ସାର ଓ କୀଟନାଶକ ପାଣି ଏବଂ ସ୍ଥାନୀୟ ନୂଆପଡାସ୍ଥିତ ଏକ କମ୍ପାନୀରୁ ବାହାରୁଥିବା ବର୍ଜ୍ୟପାଣି ଏହି ପୋଖରୀ ଦେଇ କିଛି ଦୂରରେ ଥିବା ବୁଦ୍ଧସଫେଇକୁ ନିଷ୍କାସିତ ହେଉଛି। ଏହାର ପ୍ରଭାବରେ ପୋଖରୀରେ ଥିବା ମାଛ ଯାଆଁଳଗୁଡ଼ିକ ମରିଯାଉଛନ୍ତି। ପୋଖରୀର ବନ୍ଧକୁ ଉଚ୍ଚ କରାଯାଇ ଯଦି ସ୍ବତନ୍ତ୍ର ଡ୍ରେନେଜ ଜରିଆରେ ବିଭିନ୍ନ ସ୍ଥାନରୁ ନିଃସୃତ ପାଣିକୁ ଉକ୍ତ ବାଟରେ ନିଷ୍କାସିତ କରାଗଲେ ପୋଖରୀ ସୁରକ୍ଷିତ ରହିବା ସହ ପଞ୍ଚାୟତ ତଥା ଲିଜ୍‌ ନେଉଥିବା ମହିଳାଗୋଷ୍ଠୀଙ୍କ ଆର୍ଥିକ ଅଭିବୃଦ୍ଧି କ୍ଷେତ୍ରରେ ସହାୟକ ହୋଇପାରିବ ବୋଲି ସରପଞ୍ଚ ସାହେଦା ତବସୁମ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ପଞ୍ଚାୟତରେ ଏକ ରେଜୁଲେସନ ଅଣାଯାଇ ଡ୍ରେନେଜ ବିଭାଗ ନିର୍ବାହୀ ଯନ୍ତ୍ରୀ, ଜିଲାପାଳ,୫-ଟି ସଚିବ ଓ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କରାଯିବ ବୋଲି ସରପଞ୍ଚ ତବସୁମ ଓ ସମିତିସଭ୍ୟା ସାଗରିକା ତରେଇ କହିଛନ୍ତି।