ଯୁବ ଶକ୍ତିର ବରବାଦ

ସହଦେବ ସାହୁ

ମାତ୍ର ୧୦ ବର୍ଷ ଭିତରେ ସବୁ ଓଲଟା ହୋଇଗଲା। ଚାଇନାର ଅର୍ଥନୈତିକ ଅଭିବୃଦ୍ଧିକୁ ଗତ ଅର୍ଦ୍ଧଶତାବ୍ଦୀର ବୃହତ୍ତମ ଅର୍ଥନୈତିକ ଘଟଣା ବୋଲି ଆଲୋଚକମାନେ କହୁଥିଲା ବେଳେ କେବଳ ଭାରତ ତାକୁ ଦିନେ ଟକ୍କର ଦେଇପାରିବ ବୋଲି କହୁଥିଲେ, ଏପରି କହିବା ମୂଳରେ ସେମାନେ ‘ଡିମୋଗ୍ରାଫିକ୍‌ ଡିଭିଡେଣ୍ଡ’ ବୋଲି ଗୋଟିଏ ବାକ୍ୟାଂଶ ବ୍ୟବହାର କରୁଥିଲେ। ଆମ ଭାଷାରେ ତାହାକୁ ଜନସଂଖ୍ୟା ଭିତ୍ତିକ ଲାଭାଂଶ କହିହେବ। କମ୍ପାନୀରେ ଶେୟାର କିଣିଲେ କମ୍ପାନୀର ଲାଭ ବଢିବା ସାଙ୍ଗେ ସାଙ୍ଗେ ଶେୟାର ଉପରେ ଶେୟାର କିଣିଥିବା ଅର୍ଥାତ୍‌ ପୁଞ୍ଜି ଖଟାଇଥିବା ବ୍ୟକ୍ତିକୁ ଯାହା ଲାଭାଂଶ ମିଳେ ତାହାକୁ ଡିଭିଡେଣ୍ଡ କହନ୍ତି। ଆମେ ଜନସଂଖ୍ୟା ବୃଦ୍ଧି ଉପରେ କୌଣସି ଅଙ୍କୁଶ ଲଗାଇ ନ ଥିବାରୁ ଓ ସ୍ବାସ୍ଥ୍ୟସେବା ଉନ୍ନତ ହୋଇଥିବାରୁ ଦେଶରେ କାମ ନ କରିପାରି ପିଲାଙ୍କ ଉପରେ ନିର୍ଭର କରୁଥିବା ବୃଦ୍ଧଗୋଷ୍ଠୀଙ୍କ ସଂଖ୍ୟା ତୁଳନାରେ ରୋଜଗାରକ୍ଷମ ଯୁବଗୋଷ୍ଠୀର ସଂଖ୍ୟା ବେଶି ହେବ, ତେଣୁ ଘରଖର୍ଚ୍ଚ ତୁଳନାରେ ସଞ୍ଚୟ ବଢିବ, ସଞ୍ଚୟ ଯେତେ ବଢିବ ଦେଶରେ ବିକାଶ ଲାଗି ପୁଞ୍ଜି ସେତେ ମିଳିବ। ବସି ବସି ବ୍ୟୟକରୁଥିବା ଲୋକଙ୍କ ତୁଳନାରେ ଆୟ କରି ସଞ୍ଚୟ କରୁଥିବା ଲୋକ ସଂଖ୍ୟା ଯେତେ ବଢିବ ଆମକୁ ଡିମୋଗ୍ରାଫିକ୍‌ ଡିଭିଡେଣ୍ଡ ସେତେ ମିଳିବ। ଅନ୍ୟ ଦେଶମାନଙ୍କରେ (ଆଫ୍ରିକାର କେତେକ ଦେଶ ଛାଡି) ଜନସଂଖ୍ୟା ତ ହ୍ରାସ ପାଉଛି, ଅଧିକନ୍ତୁ ବୟୋବୃଦ୍ଧମାନଙ୍କ (ଯାହାଙ୍କୁ ଆମେ ବରିଷ୍ଠ ନାଗରିକ କହୁଛୁ) ସଂଖ୍ୟା ହାର ବଢିଚାଲିଛି, ଅଧିକାଂଶ ପରିବାର ନିଃସନ୍ତାନ। ଆଫ୍ରିକାରେ ଯୁବତୀଯୁବକଙ୍କ ସଂଖ୍ୟା ବଢୁଥିଲେ ବି ଦେଶମାନଙ୍କରେ ଶାନ୍ତି ନାହିଁ, ଶାନ୍ତି ନ ଥିଲେ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଆବହାୱା ନ ଥାଏ। ତେଣୁ ବିଶେଷଜ୍ଞମାନଙ୍କ ମତ ଯେ କେବଳ ଭାରତ ହିଁ ଚାଇନା ସାଙ୍ଗେ ଟକ୍କର ଦେଇପାରିବ। ଜିଡିପି ଆକଳନରେ ବି। କିନ୍ତୁ ଭାରତ ସେ ସୁବିଧା ହରାଉଛି। କରୋନା ସଂକ୍ରମଣ ସିନା ଆପାତତଃ ତଳକୁ ଖସାଇ ଦେଇଛି କିନ୍ତୁ ଭାରତ ଚାହିଁଲେ ଏହାକୁ ସମ୍ଭବ କରିପାରିବ। ଭାରତ ମାନେ ତା’ର ନେତାମାନେ।
ଭାରତ ଏକ ପ୍ରାଚୀନ ସଭ୍ୟତା। ଏବକାର ଜନସଂଖ୍ୟା ପରିସଂଖ୍ୟାନ ତାକୁ ଏକ ଯୁବ ରାଷ୍ଟ୍ର କରିଛି। ଚାଇନାରେ ପରିବାର ନିୟୋଜନ କାର୍ଯ୍ୟକ୍ରମରେ ପ୍ରତି ପରିବାର ଗୋଟିଏ ସନ୍ତାନ ଜାତ କରାଇଲେ ସରକାରୀ ସାହାଯ୍ୟ ପାଇବେ, ଏକାଧିକ ସନ୍ତାନ ହେଲେ ଅପରାଧୀ ରୂପେ ଗଣାହେବେ ବୋଲି ଆଇନ କରିଥିଲା, ଫଳରେ କେବଳ ଗୋଟିଏ ବର୍ଷରେ, ୨୦୧୨ରେ, ଚାଇନାର କାମିକା ଲୋକ ସଂଖ୍ୟା ୩୦ ଲକ୍ଷ କମିଗଲା। କିନ୍ତୁ ଭାରତରେ ପ୍ରତିବର୍ଷ ୨୦ ଲକ୍ଷ କାମିକା ଲୋକ ଜନସଂଖ୍ୟାରେ ଯୋଡିହେଉଛନ୍ତି। ଏବେ ଅବଶ୍ୟ ଚାଇନା ପରିବାର ନିୟନ୍ତ୍ରଣ ଆଇନ ବଦଲାଇ ଦେଲାଣି, ଏକାଧିକ ସନ୍ତାନ ଅନୁମତି ଦେଲାଣି।
କିନ୍ତୁ ଦୁଃଖର କଥା ଯେଉଁ ଯୁବଗୋଷ୍ଠୀ ଉପରେ ଜିଡିପି ଅଭିବୃଦ୍ଧି ନିର୍ଭର କରିବ ସେହି ଯୁବ ଗୋଷ୍ଠୀ ନେତାମାନଙ୍କୁ ସନ୍ଦେହ କରୁଛନ୍ତି। ସେମାନଙ୍କୁ ତ କାମ ମିଳୁନାହିଁ, ଉପସ୍ଥିତ ଅଭିବୃଦ୍ଧିରେ ତ ସେମାନଙ୍କୁ ଉପେକ୍ଷିତ କରାଯାଉଛି, ନେତାମାନଙ୍କ ସମ୍ପର୍କୀୟମାନେ ସବୁ ମାରି ନେଉଛନ୍ତି, ସେମାନେ ଦେଶର ଅର୍ଥନୈତିକ ବୃଦ୍ଧିରେ କିପରି ଯୋଗଦେବେ?
୨୦୦୫ରୁ ୨୦୦୭ ଭିତରେ ଆମର ଆର୍ଥିକ ଅଭିବୃଦ୍ଧି ବର୍ଷକୁ ୭% ବଢିଲା, ଏପରି କି ୨୦୧୦ରେ ଭାରତର ଅଭିବୃଦ୍ଧି ହାର ଚାଇନାର ଅଭିବୃଦ୍ଧି ହାରଠାରୁ ବେଶି ଥିଲା। ସେତେବେଳର ଉପା ସରକାରର ନେତାମାନଙ୍କ ହାରାହାରି ବୟସ ୬୫ରୁ ବେଶିଥିଲା, ସେତେବେଳେ ଯୁବଗୋଷ୍ଠୀ ପ୍ରତି ସେମାନେ ଧ୍ୟାନ ଦେଲେ ନାହିଁ, ଭ୍ରଷ୍ଟାଚାରରେ ଉବୁଟୁବୁ ସରକାର ଠିକାଦାରମାନଙ୍କ ସ୍ବାର୍ଥ ଦେଖିଲେ, ସମ୍ଭବତଃ ସେଥିରୁ ସିଧାସଳଖ ପଇସା ମିଳୁଥିଲା। ଅସମ୍ପର୍କୀୟ ଯୁବଗୋଷ୍ଠୀକୁ ଚାକିରି ଯୋଗାଇ ଏତେ ପଇସା ପାଇ ନ ଥାନ୍ତେ। ମନରେଗା ଯୋଜନାରେ ଶାରୀରିକ ଶ୍ରମ ବଦଳରେ ମେଶିନ୍‌ ଲାଗିବ ନାହିଁ ବୋଲି ଆଇନରେ ଥିଲେ ବି ଠିକାଦାରମାନେ ଲାଭ ବଢାଇବା ଆଶାରେ ମେଶିନ୍‌ ଲଗାଇଦେଲେ। ଠିକା କାମର ତତ୍ତ୍ୱାବଧାନ ପାଇଁ ଅବସରପ୍ରାପ୍ତ ଲୋକଙ୍କୁ ଲଗାଇଲେ, ଯୁବ ଇଂଜିନିୟରଙ୍କୁ ଚାକିରି ଦେଲେ ନାହିଁ। ୧୯୯୧ରେ କଂଗ୍ରେସ ସରକାର ଉଦାର ଅର୍ଥନୀତି ଗ୍ରହଣ କଲାବେଳକୁ ଆଜିର ଭାରତୀୟମାନଙ୍କ ଭିତରୁ ୪୦% ଜନ୍ମ ହୋଇ ନ ଥିଲେ, ସେହି ନେତାମାନେ ୨୦୧୩ ପଯର୍‌ୟନ୍ତ ସରକାର ଚଳାଇଥିଲେ ମଧ୍ୟ ସେମାନଙ୍କ ୬୫ବର୍ଷିଆ ଆଖିକୁ ଯୁବଗୋଷ୍ଠୀର ଦୁର୍ଦ୍ଦଶା ଓ ଦୁଶ୍ଚିନ୍ତା ଦିଶିଲା ନାହିଁ। ପାଚିଲା କେଶ ଓ ଧୁଡୁଧୁଡୁକା ଚମର ଲୋକେ ଭାରତକୁ ଚଳାଇଆସିଲେ। ୨୦୧୪ ଓ ପରେ ନୂଆ ସରକାର ଆସିଛି, ତହିଁରେ ଯୁବଗୋଷ୍ଠୀର ମତ ପ୍ରଦାନ ନିର୍ଣ୍ଣାୟକ ହୋଇଛି ବୋଲି ମନେହେଲା, କିନ୍ତୁ ନଭେଲ୍‌ କରୋନା ଭାଇରସ୍‌ ୧୯ ସବୁକୁ ଓଲଟପାଲଟ କରିଦେଇଛି। ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ଦୂରତା ରଖିବା ଦରକାର ହେଉଥିବାରୁ ୱାଇଫାଇ ତଥା ଇଣ୍ଟରନେଟ ଉପରେ ତଥା ସୋସିଆଲ ମିଡିଆ ଉପରେ ନିର୍ଭର କରି କାଯର୍‌ୟ ଚଳାଇବାକୁ ପଡିବ। ଆମର ଶିକ୍ଷା ବ୍ୟବସ୍ଥା ସେହି ଅନୁସାରେ ବଦଳିବ। କିନ୍ତୁ ଏବର ଓ ଭବିଷ୍ୟତର ନିଯୁକ୍ତି ଅଟୋମେଶନ ଓ ଟେକ୍ନୋଲଜି ଦ୍ୱାରା ପରିଚାଳିତ ହେଉଥିବା ବେଳେ ଆମ ଦେଶର ଉଚ୍ଚଶିକ୍ଷାପ୍ରାପ୍ତ ଯୁବତୀ ଯୁବକଙ୍କ ଭିତରୁ ୨୦%ରୁ କମ୍‌ ନିଯୁକ୍ତି-ଯୋଗ୍ୟ (ଏମ୍ପ୍ଲୟେବ୍ଲ) ବୋଲି ସର୍ଭେ କହୁଛି। ଉଚ୍ଚ ଶିକ୍ଷାର ଅନୁଷ୍ଠାନମାନ ତ ଆମ ରାଜନେତାଙ୍କ କଳାଧନରେ ପରିଚାଳିତ ଏବଂ ହଠାତ୍‌ ଧନୀ ହେବାର ଲକ୍ଷ୍ୟ ରଖିଥିବା ଦଳୀୟ ନେତାମାନଙ୍କ ହାତରେ ଅଛି, ଭଲ କୋଠା ବାଡି କରିଦେଲେ ଉତ୍ତମ ଶିକ୍ଷାନୁଷ୍ଠାନ ହୋଇଗଲା ଏବଂ ଡିଗ୍ରୀ ଡିପ୍ଲୋମା ବିକ୍ରି କରିବା ସେମାନଙ୍କ ଲକ୍ଷ୍ୟ ହୋଇଗଲା। ଏପରି ଉଚ୍ଚଶିକ୍ଷାପ୍ରାପ୍ତ ଯୁବଗୋଷ୍ଠୀ କିପରି ଜିଡିପି ଅଭିବୃଦ୍ଧିରେ ସାହାଯ୍ୟ କରିବେ?
ପିଲାମାନଙ୍କର ଦକ୍ଷତା ବୃଦ୍ଧି ପାଇଁ ସରକାର ଚିନ୍ତିତ ହେଲେ, କିନ୍ତୁ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ସେହି ଲାଭଖୋର କମ୍ପାନୀ-ମାଲିକଙ୍କ ହାତରେ ଛାଡି ଦିଆଗଲା, ତେଣୁ ପୁଣି ସାର୍ଟିଫିକେଟ୍‌ ବିକିବା କାମ ମୁଖ୍ୟ ହୋଇଗଲା, କମ୍ପାନୀଗୁଡ଼ିକ ତାଲିମ କେନ୍ଦ୍ରର ଉପସ୍ଥାନ ଖାତା ଉପରେ ନିର୍ଭର କରି ପିଲାଙ୍କ ସଂଖ୍ୟା ଉପରେ ସରକାରଙ୍କଠାରୁ ପଇସା ପାଇଗଲେ, ତଥାକଥିତ ତାଲିମ ପାଇ ଦକ୍ଷତା ପାଇଥିବା ପିଲାମାନଙ୍କୁ ତାଲିମ ଦେଇଥିବା କମ୍ପାନୀଗୁଡ଼ିକ ବି ନିଯୁକ୍ତି ଦେଲେ ନାହିଁ, ଏବେ ବି ଶହ ଶହ କାର୍ଯ୍ୟଦକ୍ଷତା ସାର୍ଟିଫିକେଟ୍‌ ପାଇଥିବା ପିଲାଏ ଏ ଦ୍ୱାର ସେ ଦ୍ୱାର ହେଉଛନ୍ତି। ଡିମୋଗ୍ରାଫିକ୍‌ ଡିଭିଡେଣ୍ଡ କୁଆଡେ ଗଲା? ଗୋଷ୍ଠୀ କାମ ପାଉନାହିଁ ତ ସେମାନେ କିପରି ଜିଡିପି ଅଭିବୃଦ୍ଧିରେ ଯୋଗଦାନ କରିବେ?
ମାନୁଫାକ୍ଚରିଂ ଇଣ୍ଡଷ୍ଟ୍ରି ଯୋଗୁ ଚାଇନା ପୃଥିବୀରେ ଶ୍ରେଷ୍ଠ ସ୍ଥାନ ଲାଭ କରିଛି। ଚାଇନା ତିଆରି ସାମଗ୍ରୀ ପୃଥିବୀସାରା ବ୍ୟାପିଛି। ଆମ ଲୋକେ ମାନୁଫାକ୍ଚରିଂ ଅପେକ୍ଷା କନଷ୍ଟ୍ରକ୍‌ସନ୍‌ କାମରେ ଲାଗିଛନ୍ତି, ପ୍ରଦେଶ ବାହାରେ ସହରୀବାବୁମାନଙ୍କ ଘରେ ପାଇଟି ବା କମ୍ପାନୀଗୁଡ଼ିକର ମଇଳା ସଫା କରିବା କାମରେ ଲାଗିଛନ୍ତି। ମୁଣ୍ଡରେ ଇଟା ବୋହିବା ବା ତଳକୁ ଚାହିଁ ସଫାକାମ କରିବା ଯୁବତୀ ଯୁବକ ଉପରକୁ ଚାହିଁବା ଛାଡି ଦେଲେଣି। ଦେଖିବାକୁ ରହିଲା, ବର୍ତ୍ତମାନର ସରକାର ନୂଆ ଶିକ୍ଷାନୀତିରେ କିପରି ଡିମୋଗ୍ରାଫିକ୍‌ ଡିଭିଡେଣ୍ଡ ଆଦାୟ କରୁଛନ୍ତି!
Email:sahadevs@yahoo.com


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri