ଆଳି, ୧୮ା୫(ବନମାଳୀ ସେନାପତି ): କେନ୍ଦ୍ରାପଡ଼ା ଜିଲା ଆଳି ବ୍ଳକ ପ୍ରଶାସନ ପକ୍ଷରୁ ଜଣେ ୮୫ବର୍ଷୀୟ ବୃଦ୍ଧଙ୍କୁ ଲଗାତର ଆଠ ମାସ ୩୫୦୦ ଟଙ୍କା ଲେଖାଏ ଭତ୍ତା ଟଙ୍କା ଦିଆଯାଇଥିଲା। ହେଲେ ଗତ ୪ମାସ ହେବ ୩୫୦୦ ଟଙ୍କା ଭତ୍ତା ବଦଳରେ ତାଙ୍କ ଆକାଉଣ୍ଟରେ ହଜାରେ ଟଙ୍କା ଲେଖାଏ ଜମା ହୋଇଛି। ଏହାର କାରଣ ଜାଣିବା ନିମନ୍ତେ ବ୍ଳକ ଅରଗଳ ପଞ୍ଚାୟତ ମାହାରାକୁଳ ଗ୍ରାମର ଭଜହରି ରାଉତ ବ୍ଳକ ଅଫିସକୁ ଦୌଡ଼ି ନୟାନ୍ତ ହେଲେବି ତାଙ୍କ କଥା କେହି ଶୁଣୁ ନ ଥିବା ଦୁଃଖର ସହ କହିଛନ୍ତି।
ସେ ଅଭିଯୋଗ କରିଛନ୍ତି, ୨୦୨୫ ମସିହା ଏପ୍ରିଲରୁ ପ୍ରତିମାସ ୩୫୦୦ ଟଙ୍କା ଭତ୍ତା ମିଳିଥିଲା। ଡିସେମ୍ବର ମାସ ପର୍ଯ୍ୟନ୍ତ ୩୫ଶହ ଟଙ୍କା ଲେଖାଏ ମିଳିବା ପରେ ତାଙ୍କ ଭତ୍ତା ବନ୍ଦ ହୋଇଯାଇଥିଲା। ଏ ନେଇ ସେ ପଞ୍ଚାୟତ ଅପିସରେ ବୁଝିବାରୁ ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଭତ୍ତା ଯାଉଛି ବୋଲି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ କହିଥିଲେ। ସେ ବ୍ୟାଙ୍କ ଖାତା ଯାଞ୍ଚ କରିବାରୁ ହଜାରେ ଟଙ୍କା ଲେଖାଏ ପାଞ୍ଚ ମାସର ଭତ୍ତା ଆସିଥିବା ଜାଣିବାକୁ ପାଇଥିଲେ। ଏ ନେଇ ସେ ବ୍ଲକ ଅଫିସକୁ ଆସି ନିରାଶ ହୋଇଥିଲେ। ପରେ ଭଜହରି ଘଟଣା ସମ୍ପର୍କରେ ଗଣମାଧ୍ୟମରେ ଅଭିଯୋଗ କରିଥିଲେ। ଗଣମାଧ୍ୟମ ପ୍ରତିନିଧି ଭଜହରିଙ୍କୁ ନେଇ ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ଦେବାଶିଷ ଆଚାର୍ଯ୍ୟଙ୍କ ପାଖକୁ ଯାଇଥିଲେ। ସେଠାରେ କାଗଜ ପତ୍ର ଯାଞ୍ଚ କରିବା ପରେ ଭଜହରିଙ୍କ ଆକାଉଣ୍ଟରେ ହଜାରେ ଟଙ୍କା ଲେଖାଏ ଜମା ହୋଇଥିବା ଜଣାପଡିଥିଲା। ଅଧିକାରୀ ଆଚାର୍ଯ୍ୟ କହିଥିଲେ, ଏଣିକି ଆକାଉଣ୍ଟ ବଦଳରେ ହିତାଧିକାରୀଙ୍କ ହାତରେ ଭତ୍ତା ଟଙ୍କା ଦିଆଯିବା ବ୍ୟବସ୍ଥା ହୋଇଛି। ଯେଉଁ ପାଞ୍ଚ ମାସ ୩୫୦୦ ଟଙ୍କା ପାଇବାରୁ ସେ ବଞ୍ଚିତ ହୋଇଛନ୍ତି, ଉକ୍ତ ବଳକା ଅର୍ଥ ଚଳିତ ମାସ ଭତ୍ତା ଦେବା ସମୟରେ ଭଜହରିଙ୍କୁ ପ୍ରଦାନ କରାଯିବ।