Categories: ଜାତୀୟ

ଭାରତକୁ ସତର୍କ ସୂଚନା: ଅବୈଧ ମାଂସ ବଜାର ଯୋଗୁ ନୂଆ ମହାମାରୀ ଆଶଙ୍କା

ନୂଆଦିଲ୍ଲୀ,୬।୭: ପ୍ରାଣୀଙ୍କ ସୁରକ୍ଷା ପାଇଁ ପୃଥିବୀରେ ଅଭିଯାନ ଜାରି ରଖିଥିବା ପେଟା(ପିପୁଲ୍ସ୍‌ ଅପ୍‌ ଦି ଇଥିକାଲ ଟ୍ରିଟ୍‌ମେଣ୍ଟ୍‌ ଅଫ୍‌ ଆନିମଲ୍ସ) ପକ୍ଷରୁ ଭାରତ ଲାଗି ସତର୍କ ସୂଚନା ଜାରି କରାଯାଇଛି। ଭାରତରେ ରହିଥିବା ଅବୈଧ ମାଂସ ବଜାର ଯୋଗୁ ଆଗାମୀ ଦିନରେ କରୋନା ଠାରୁ ଅଧିକ ଶକ୍ତିଶାଳୀ ନୂଆ ମହାମାରୀ ସଂକ୍ରମଣ ହେବାର ଆଶଙ୍କା ରହିଥିବା ପେଟା କହିଛି। ପେଟା ପକ୍ଷରୁ ଦେଶରେ ରହିଥିବା ଅବୈଧ ମାଂସ ବଜାରର ଭିଡ଼ିଓ ଫୁଟେଜ୍‌ ମଧ୍ୟ ଜାରି କରାଯାଇଛି। ଭାରତର ଦିଲ୍ଲୀ, ପଶ୍ଚିମବଙ୍ଗ, ନାଗାଲାଣ୍ଡ ଏବଂ ମଣିପୁରର ବହୁ ଅଞ୍ଚଳରେ ଏଭଳି ବଜାର ରହିଥିବା ପେଟା କହିଛି। ସଚେତନ ନ ହେଲେ ଚାଇନାର ଉହାନ ଭଳି ସ୍ଥିତି ଭାରତରେ ମଧ୍ୟ ହୋଇପାରେ। ପେଟା ପକ୍ଷରୁ ଜାରି କରାଯାଇଥିବା ଭିଡ଼ିଓରେ ଦିଲ୍ଲୀର ଗାଜିପୁର ସ୍ଥିତ ଚିକେନ ବଜାରର ଦୃଶ୍ୟ ରହିଛି। ସେହିପରି ପଶ୍ଚିମବଙ୍ଗର ମଲାଂଛା ବଜାର ଏବଂ ନାଗାଲାଣ୍ଡର ଦିମାପୁର ସ୍ଥିତ କୀଟ ବଜାରର ଦୃଶ୍ୟ ଏଥିରେ ରହିଛି। ମଣିପୁରର ନୁତେ ଏବଂ ଚୁଡ଼ାଚନ୍ଦପୁର ବଜାରର ଦୃଶ୍ୟ ମଧ୍ୟ ଏଥିରେ ରହିଛି। ପେଟା ଇଣ୍ଡିଆର ଆଉଟ୍‌ରିଚ୍‌ କୋର୍ଡିନେଟର ଡ.କିରଣ ଆହୁଜା ସତର୍କ ସୂଚନା ଦେଇଛନ୍ତି ଯେ, ଏଭଳି ଅବୈଧ ମାଂସ ବଜାର ଯୋଗୁ ପରିସ୍ଥିତି କରୋନା ମହାମାରୀଠାରୁ ଅଧିକ ଭୟଙ୍କର ହେବାର ଆଶଙ୍କା ରହିଛି। ଏନେଇ କେନ୍ଦ୍ରୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ, ପରିବେଶ ମନ୍ତ୍ରଣାଳୟ, ପ୍ରାଣୀ ସମ୍ପଦ ବିଭାଗ, ଦୁଗ୍ଧ ଏବଂ ମତ୍ସ୍ୟ ବିଭାଗକୁ ପେଟା ପକ୍ଷରୁ ଚିଠି ଲେଖାଯାଇଛି। ଏସବୁ ଅବୈଧ ମାଂସ ବଜାରକୁ ବନ୍ଦ କରିବାକୁ ଚିଠିରେ ପରାମର୍ଶ ଦିଆଯାଇଥିବା କିରଣ ଆହୁଜା କହିଛନ୍ତି।

Share