Categories: ଖେଳ

ମିଡଲ ଅର୍ଡର ବ୍ୟାଟ୍ସମ୍ୟାନଙ୍କୁ ଓ୍ବାର୍ନରଙ୍କ ସମାଲୋଚନା

ଆବୁଧାବି,୨୮।୯(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ କ୍ରମାଗତ ଦ୍ୱିତୀୟ ପରାଜୟ ବରଣ କରିବା ପରେ ଅଧିନାୟକ ଡେଭିଡ୍‌ ଓ୍ବାର୍ନର ଦଳର ପ୍ରଦର୍ଶନ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଖାସ୍‌ କରି ଦଳର ମିଡଲ ଅର୍ଡର ବ୍ୟାଟ୍ସମ୍ୟାନମାନଙ୍କୁ ସେ କଡ଼ା ସମାଲୋଚନା କରିଛନ୍ତି। ଦଳର ପରାଜୟ ପାଇଁ ଦଳର ମିଡିଲ ବ୍ୟାଟ୍ସମ୍ୟାନଙ୍କୁ ସେ ଦାୟୀ କରିଛନ୍ତି।
ମନୀଷ ପାଣ୍ଡେ ୩୮ ବଲରୁ ୫୧ ଓ ରିଦ୍ଧିମାନ ଶାହା ୩୧ ବଲରୁ ୩୦ ରନ ସଂଗ୍ରହ କରିଥିଲେ। ଫଳରେ ଦଳ ବୃହତ୍‌ ସ୍କୋର ହାସଲ କରିପାରି ନ ଥିଲା ଓ ଦଳ ୧୪୩ ରନରେ ସୀମିତ ରହିଥିଲା। ବିଜୟ ଶଙ୍କରଙ୍କ ବଦଳରେ ରିଦ୍ଧିମାନଙ୍କୁ ସୁଯୋଗ ଦିଆଯାଇଥିଲା। ସେ ବହୁତ ବଲ୍‌ ଖେଳିଥିଲେ ମଧ୍ୟ ଅଧିକ ରନ୍‌ କରିପାରି ନ ଥିଲେ ଓ ଶେଷରେ ରନ୍‌ ଆଉଟ୍‌ ହୋଇଥିଲେ। ଅଧିକ ଛକା ଓ ଚୌକାର ଆବଶ୍ୟକତା ଥିଲା। ତେବେ ଆମ ବ୍ୟାଟ୍ସମ୍ୟାନ ଅଧିକ ଡଟ୍‌ ବଲ୍‌ ଖେଳିଥିଲେ ବୋଲି କୋଲକାତା ନାଇଟ୍‌ ରାଇଡର୍ସଠାରୁ ୭ ଉଇକେଟରେ ପରାସ୍ତ ହେବାପରେ ଓ୍ବାର୍ନର କହିଛନ୍ତି। ମିଡିଲ୍‌ରେ ୩୫- ୩୬ ଡଟ୍‌ ବଲ ରହିଥିଲା। ଟି୨୦ କ୍ରିକେଟରେ ଏହା ଆଦୌ ଗ୍ରହଣୀୟ ନୁହେଁ। ଆମର ମାନସିକତାରେ ପରିବର୍ତ୍ତନର ଆବଶ୍ୟକତା ରହିଛି। ଆଉ ୨୦-୩୦ ରନ ଅଧିକ ସଂଗ୍ରହ କରିଥିଲେ ମ୍ୟାଚ୍‌ରେ ଭଲ ସଂଘର୍ଷ ତଥା ରୋମାଞ୍ଚ ଦେଖିବାକୁ ମିଳିଥାନ୍ତା। ନିଜ ପ୍ରଦର୍ଶନକୁ ନେଇ ମଧ୍ୟ ଓ୍ବାର୍ନର ସନ୍ତୁଷ୍ଟ ନୁହନ୍ତି ବୋଲି କହିଛନ୍ତି। ସେ ୩୦ ବଲରୁ ୩୬ ରନ ସଂଗ୍ରହ କରି ଲେଗ୍‌ ସ୍ପିନର ବରୁଣ ଚକ୍ରବର୍ତ୍ତୀଙ୍କ ଶିକାର ହୋଇଥିଲେ। କାହକୁ ଦାୟୀ କରୁନାହିଁ। ବରଂ ଦଳର ଦୁର୍ବଳ ପ୍ରଦର୍ଶନ ପାଇଁ ନିଜକୁ ଦାୟୀ କରୁଛି। ଆଗାମୀ ମ୍ୟାଚ୍‌ରେ ଆମେ ପ୍ରତ୍ୟାବର୍ତ୍ତନ କରି ଭଲ ପ୍ରଦର୍ଶନ କରିବୁ ବୋଲି ଓ୍ବାର୍ନର କହିଛନ୍ତି।

5

 

Share