କୂଅରୁ ବାହାରୁଛି ଉଷୁମ ପାଣି

ଦେବଗଡ,୩ା୧୧(ଶଶାଙ୍କ ଶେଖର ଝାଙ୍କର): ଆମ୍ବ ଗଛ ଛାଇ ତଳେ ରହିଛି କୂଅ। ହେଲେ ସେଥିରୁ ବାହାରୁଛି ଉଷୁମ ପାଣି। ଏକଥା ଜଣାପଡିବା ପରେ ଏହାର କାରଣ ଜାଣିବା ପାଇଁ ଅଞ୍ଚଳବାସୀଙ୍କ ମଧ୍ୟରେ ବେଶ ଉତ୍ସୁକତା ପ୍ରକାଶ ପାଇବାସହ ପରୀକ୍ଷା କରିବାକୁ ସମ୍ପୃକ୍ତ କୂଅ ନିକଟରେ ଗୁରୁବାର ପ୍ରବଳ ଭିଡ ହୋଇଥିଲା। ପୌରାଞ୍ଚଳ ୩ ନମ୍ବର ୱାର୍ଡ ବଣିଆସାହିରେ ଥିବା ପୁରୁଣା ହୋମିଓପ୍ୟାଥିକ ଡାକ୍ତରଖାନା ପରିସରରେ ଥିବା କୂଅରୁ ଉଷୁମ ପାଣି ବାହାରିଥିବା ଦେଖିବାକୁ ମିଳିଥିଲା। ବନିଆସାହିରେ ଚାଲିଥିବା ଗଜଲକ୍ଷ୍ମୀ ପୂଜାର ସୁବର୍ଣ୍ଣଜୟନ୍ତୀ ଉତ୍ସବ ଅବସରରେ ଶ୍ରଦ୍ଧାଳୁଙ୍କ ନିମନ୍ତେ ଅନ୍ନ ଭୋଗ ପ୍ରସ୍ତୁତି ପାଇଁ ପୂର୍ବାହ୍ନରେ ସମ୍ପୃକ୍ତ ପୁରୁଣା ହୋମିଓପ୍ୟାଥିକ ଡାକ୍ତରଖାନାକୁ ଖୋଲାଯିବା ସହ ରୋଷେଇ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ତେବେ ଉକ୍ତ କୂଅରୁ ପାଣି ଆଣିବା ବେଳେ ସେଥିରୁ ଉଷୁମ ପାଣି ବାହାରିଥିଲା। ରୋଷେଇ ଦାୟିତ୍ୱରେ ଥିବା କର୍ମକର୍ତ୍ତା ଏକଥା ପୂଜା କମିଟି ସଦସ୍ୟ ଓ କର୍ମକର୍ତ୍ତାଙ୍କୁ ଜଣାଇଥିଲେ। ବିଶ୍ୱାସ ନ ହେବାରୁ ପୂଜା କମିଟି କର୍ମକର୍ତ୍ତାଙ୍କ ସମେତ ବହୁ ଲୋକ ସମ୍ପୃକ୍ତ କୂଅରୁ ବାରମ୍ବାର ପାଣି ଆଣି ପରୀକ୍ଷା କରିଥିବା ବେଳେ ପ୍ରତ୍ୟେକ ଥର ସେଥିରୁ ଉଷୁମ ପାଣି ବାହାରୁଥିବା ଦେଖିବାକୁ ମିଳିଥିଲା। ଫଳରେ ଏହା ପଛରେ କଣ କାରଣ ଥାଇପାରେ ସେଥିନେଇ ସାଧାରଣରେ ବେଶ ଉତ୍ସୁକତା ପ୍ରକାଶ ପାଇଥିଲା । ଏକଥା ପ୍ରଚାରିତ ହେବାପରେ ସତ୍ୟାସତ୍ୟ ଜାଣିବା ପାଇଁ ଉକ୍ତ କୂଅ ନିକଟରେ ଲୋକଙ୍କ ପ୍ରବଳ ଭିଡ ପରିଲକ୍ଷିତ ହେବା ସହ ଦୈବୀ ଶକ୍ତି ପ୍ରଭାବରେ ଏଭଳି ଅସ୍ବାଭାବିକ ଭାବେ କୂଅରୁ ଉଷୁମ ପାଣି ବାହାରୁଥିବା ବିଶ୍ୱାସ କରାଯାଇଥିଲା। ତେବେ ଏହାର ବୈଜ୍ଞାନିକ କାରଣ ସମ୍ପର୍କରେ ବଣାଇଁ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ଉଦ୍ଭିଦ ବିଜ୍ଞାନ ପ୍ରାଧ୍ୟାପକ ଜେନାମଣି ସାହୁଙ୍କ ମତାମତ ଲୋଡିବାରୁ , ହୁଏ ତ ଉକ୍ତ କୂଅର ଶ୍ରୋତରେ କୌଣସି ଉଷ୍ମ ପ୍ରସବଣର ଶ୍ରୋତ ମିଶିଯିବାରୁ ଏଭଳି ହୋଇଥାଇପାରେ ବୋଲି ସେ ପ୍ରକାଶ କରିଛନ୍ତି।