ରାସ୍ତାକାମ ଆରମ୍ଭରୁ ଶାସକ-ବିରୋଧୀଙ୍କ ବାକ୍‌ଯୁଦ୍ଧ: ଶ୍ରେୟ ନେବାକୁ ଟଣାଓଟଣରା

ବରଗଡ଼,୧୦।୧୧(ପ୍ରେମାନନ୍ଦ ଖମାରୀ):ବରଗଡ଼-ସମ୍ବଲପୁର ରାସ୍ତାର ଅତାବିରା ବ୍ଲକ ଅନ୍ତର୍ଗତ ରେଙ୍ଗାଲିକ୍ୟାମ୍ପରୁ ଭାୟା ପପଙ୍ଗା ଦେଇ ବାଘପାଲିକୁ ସଂଯୋଗ କରୁଥିବା ରାସ୍ତା ଅଞ୍ଚଳବାସୀଙ୍କ ଜୀବନରେଖା। ୫୩ ନମ୍ବର ଜାତୀୟ ରାଜପଥରୁ ବାହାରିଥିବା ଏହି ରାସ୍ତା ଉପରେ ଅଞ୍ଚଳ ଛାତ୍ରୀଛାତ୍ର, କୃଷକ ଏବଂ ସାଧାରଣ ଲୋକେ ନିର୍ଭର କରିଥାନ୍ତି। ଏହି ରାସ୍ତା ଦେଇ ଲୋକେ ବରଗଡ଼, ସମ୍ବଲପୁର, ସୋନପୁର, ବଲାଙ୍ଗୀର ଜିଲାକୁ ମଧ୍ୟ ଯାତାୟାତ କରନ୍ତି। ଏହି ରାସ୍ତାର ପ୍ରଶସ୍ତୀକରଣ ଓ ଉନ୍ନତୀକରଣ ପାଇଁ ରାଜ୍ୟ ସରକାର ୬୧କୋଟି ୫୬ଲକ୍ଷ ୩୮ହଜାର ଟଙ୍କା ମଞ୍ଜୁର କରିଛନ୍ତି। ଗତ ୬ତାରିଖ ଅତାବିରା ବିଧାୟକ ନୀହାର ରଞ୍ଜନ ମହାନନ୍ଦ ଏହି ରାସ୍ତାକାମର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଭିତ୍ତିପ୍ରସ୍ତର ସ୍ଥାପନ ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇ ଥିବାବେଳେ ଦୀର୍ଘଦିନର ସ୍ବପ୍ନ ପୂରଣ ହେବାକୁ ଯାଉଛି ବୋଲି ସ୍ଥାନୀୟ ଲୋକେ ମତବ୍ୟକ୍ତ କରିଛନ୍ତି। ଅନ୍ୟପଟେ ଏହି ବହୁ ପ୍ରତୀକ୍ଷିତ ରାସ୍ତାକାମର ଶ୍ରେୟ ନେବାକୁ ଉଭୟ ଶାସକ ଓ ବିରୋଧୀ ଦଳର ସ୍ଥାନୀୟ ନେତୃବୃନ୍ଦ ପୂରାଦମ୍‌ରେ ଲାଗି ପଡ଼ିଛନ୍ତି।
ଭିତ୍ତିପ୍ରସ୍ତର ସ୍ଥାପନ ସମାରୋହରେ ବିଧାୟକ ମହାନନ୍ଦ ଉକ୍ତ ରାସ୍ତାର ଶୋଚନୀୟ ଅବସ୍ଥାକୁ ନେଇ ସିଧାସଳଖ ପୂର୍ବ ସରକାର ତଥା ପୂର୍ବତନ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କୁ ଟାର୍ଗେଟ୍‌ କରିଥିଲେ। ପୂର୍ବ ସରକାର ତଥା ପୂର୍ବତନ ବିଧାୟିକା ଛୁରିଆଙ୍କ ଇଚ୍ଛାଶକ୍ତିର ଅଭାବ ଯୋଗୁ ଏପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତୀକରଣ କିମ୍ବା ଉନ୍ନତୀକରଣ ହୋଇପାରି ନ ଥିଲା ବୋଲି ସେ ଅଭିଯୋଗ କରିଥିଲେ। କେବଳ ସେତିକି ନୁହେଁ, ପୂର୍ବତନ ବିଧାୟିକା ଛୁରିଆଙ୍କୁ ସୁଜାତା ରାଉତ୍‌ କାର୍ତ୍ତିକେୟନଙ୍କ ପିଏସ୍‌ଓ ବୋଲି କହିବାକୁ ମଧ୍ୟ ପଛାଇ ନ ଥିଲେ ଏବଂ କହିଥିଲେ, ସେ(ମହାନନ୍ଦ) ଯେତେବେଳେ ବିଧାୟକ ଥିଲେ ସେତେବେଳେ ୨୦୧୩ ଜୁଲାଇ ୧୧ତାରିଖରେ ଏହି ରାସ୍ତାର ଉନ୍ନତୀକରଣର ମୂଳଦୁଆ ପକାଇଥିଲେ। ତେବେ ବିଧାୟକ ମହାନନ୍ଦଙ୍କ ଏଭଳି ମନ୍ତବ୍ୟ ପରେ ପୂର୍ବତନ ବିଧାୟିକା ଛୁରିଆ କଡ଼ା ଜବାବ୍‌ ରଖିଛନ୍ତି।
ଏହି କ୍ରମରେ ସୋମବାର ଭେଡ଼େନ ବ୍ଲକ ଅନ୍ତର୍ଗତ ପପଙ୍ଗା କଲୋନିରେ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ପୂର୍ବତନ ବିଧାୟିକା ଛୁରିଆ ବିଧାୟକ ମହାନନ୍ଦଙ୍କ ଉପରେ ଜୋର୍‌ ବର୍ଷି ଥିଲେ। କିଛି ତଥ୍ୟ ସମ୍ବଳିତ ଦସ୍ତାବିଜ୍‌ ଦେଖାଇ ବିଜେଡି ସରକାରଙ୍କ କାମକୁ ନିଜ କାମ କହି ବିଧାୟକ ମହାନନ୍ଦ ଲୋକଙ୍କୁ ଭ୍ରମିତ କରୁଛନ୍ତି ବୋଲି ସେ ଅଭିଯୋଗ କରିଥିଲେ। ବିଜେଡି ସରକାର ଶାସନରୁ ଉକ୍ତ ରାସ୍ତାର ଉନ୍ନତୀକରଣ, ପ୍ରଶସ୍ତୀକରଣ ପାଇଁ ଅର୍ଥ ମଞ୍ଜୁର ହୋଇଥିବାବେଳେ ଖୋଦ୍‌ ମହାନନ୍ଦ କାମ ବନ୍ଦ କରି ବର୍ତ୍ତମାନ ଶ୍ରେୟ ନେବାକୁ ଉଦ୍ୟମ କରୁଛନ୍ତି ବୋଲି ଛୁରିଆ କହିଥିଲେ। ସେ ଆହୁରି କହିଥିଲେ, ୨୦୨୨ରେ ବାଘପାଲିରୁ ରେଙ୍ଗାଲି କ୍ୟାମ୍ପ ରାସ୍ତା ଆରଡି ବିଭାଗରୁ ପିଡବ୍ଲ୍ୟୁଡି ବିଭାଗକୁ ହସ୍ତାନ୍ତର ହେବା ପରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉକ୍ତ ରାସ୍ତାର ଉନ୍ନତୀକରଣ, ପ୍ରଶସ୍ତୀକରଣ ପାଇଁ ୬୧କୋଟି ୫୮ଲକ୍ଷ ଟଙ୍କା ଅନୁଦାନ ମଞ୍ଜୁର କରିଥିଲେ। ପୂର୍ତ୍ତ ବିଭାଗ ଦ୍ୱାରା ଟେଣ୍ଡର ହେବା ପରେ ଏକ ଠିକାସଂସ୍ଥାକୁ ଉକ୍ତ କାମ ଦିଆଯାଇଥିଲା। କିନ୍ତୁ ବର୍ତ୍ତମାନର ବିଧାୟକ ମହାନନ୍ଦ ସେତେବେଳେ ଟେଣ୍ଡର ଫିକ୍ସିଂ ଅଭିଯୋଗ ଆଣିବା ସହିତ ପୂର୍ତ୍ତ ବିଭାଗର ଭୁବନେଶ୍ୱର କାର୍ଯ୍ୟାଳୟ ନିର୍ମାଣ ସୌଧରେ ଆନ୍ଦୋଳନ କରି ଟେଣ୍ଡର ବାତିଲ କରିବାକୁ ସକ୍ଷମ ହୋଇଥିଲେ।
ସମ୍ପୃକ୍ତ ଠିକାସଂସ୍ଥାର ଠିକାଦାର ହାଇକୋର୍ଟ ଏବଂ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଏବଂ ୨୦୨୪ ଜୁଲାଇରୁ ସୁପ୍ରିମକୋର୍ଟ ସମ୍ପୃକ୍ତ ଠିକାଦାରଙ୍କ ସପକ୍ଷରେ ରାୟ ଦେଇଥିଲେ। ହେଲେ ଏହାସତ୍ତ୍ୱେ ଦୀର୍ଘ ୨ବର୍ଷ ହେଲା କ’ଣ ପାଇଁ କାମ ହେଉ ନ ଥିଲା ବୋଲି ପୂର୍ବତନ ବିଧାୟିକା ଛୁରିଆ ପ୍ରଶ୍ନ କରିଛନ୍ତି। ସେହିପରି ସୁଜାତା ରାଉତ କାର୍ତ୍ତିକେୟନଙ୍କ ପିଏସ୍‌ଓ ବୋଲି କହିଥିବା ଜବାବ୍‌ରେ ଜଣେ ପୂର୍ବତନ ବରିଷ୍ଠ ଭାରତୀୟ ପ୍ରଶାସନିକ ଅଧିକାରୀ ତଥା ବିଜେଡି ନେତ୍ରୀଙ୍କ ପ୍ରତି ମହାନନ୍ଦଙ୍କ ମନ୍ତବ୍ୟକୁ ମହିଳା ବିରୋଧୀ ଏବଂ ହୀନ ମାନସିକତାର ପରିଚୟ ବୋଲି ଛୁରିଆ କହିଥିଲେ। ଖବରଦାତା ସମ୍ମିଳନୀରେ ଭେଡ଼େନ ବ୍ଲକ ଅଧ୍ୟକ୍ଷା ସୁପ୍ରଭା ମହାଲିଙ୍ଗ, ବ୍ଲକ ବିଜେଡି ସଭାପତି ହରିଶଙ୍ଗର ବେହେରା, ଜିଲାପରିଷଦ ସଭ୍ୟା ପଦ୍ମିନୀ ଗଡ଼ତିଆ, ପିଙ୍କି ବଢ଼େଇ, ଜିଲା ପରିଷଦ ସଭ୍ୟ ସତ୍ୟଜିତ ପୁରୋହିତ ପ୍ରମୁଖ ଉପସ୍ଥିତ ଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଅବସର ନିଷ୍ପତ୍ତିକୁ ନେଇ କେନ୍‌ ୱିଲିୟମସନ୍‌ଙ୍କ ବଡ଼ ଖୁଲାସା, ଦିନକ ପୂର୍ବରୁ ବିରାଟ କୋହଲିଙ୍କ ସହ ହୋଇଥିଲା….

ନୂଆଦିଲ୍ଲୀ,୧୦।୧୧: ନ୍ୟୁଜିଲାଣ୍ଡର ଷ୍ଟାର୍‌ କ୍ରିକେଟର୍‌ କେନ୍‌ ୱିଲିୟମସନ୍‌ ନିଜ ଅବସର ନିଷ୍ପତ୍ତିକୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି । ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ଘୋଷଣା କରିବାର…

କିଏ ଭାଙ୍ଗିବେ ସଚିନଙ୍କ ୧୦୦ ଶତକ ରେକର୍ଡ: ରେସ୍‌ରେ ସବୁଠୁ ଆଗରେ ଅଛନ୍ତି…

ନୂଆଦିଲ୍ଲୀ,୧୦।୧୧:କ୍ରିକେଟ ଜଗତରେ ଏବେ ପୁଣି ଚର୍ଚ୍ଚାରେ ବିରାଟ କୋହଲି ଓ ସଚିନ ତେନ୍ଦୁଲକରଙ୍କ ରେକର୍ଡ। ଗତ ୧୬ଟି ଦିନିକିଆ ଇନିଂସରେ ୪ଟି ଶତକ ହାସଲ କରିଛନ୍ତି କୋହଲି।…

IOAରେ ବଡ଼ ଓଲଟପାଲଟ: ପି.ଟି. ଉଷାଙ୍କୁ ଝଟକା, ସାଇନା ମାରିଲେ ବାଜି

ନୂଆଦିଲ୍ଲୀ,୧୦।୧୧: ଭାରତୀୟ ଅଲିମ୍ପିକ ସଂଘ (IOA)ର ନିର୍ବାଚନକୁ ନେଇ ଚର୍ଚ୍ଚା ଜୋର ଧରିଛି। ସ୍ପୋର୍ଟସପର୍ସନ ଅଫ ମେରିଟ (SOM) ନିର୍ବାଚନରେ IOA ଅଧ୍ୟକ୍ଷ ପି.ଟି. ଉଷା ନିର୍ବାଚିତ…

ଜର୍ମାନୀ ଇତିହାସରେ ଯୋଡ଼ି ହେବ ନୂଆ ଅଧ୍ୟାୟ! ଆଇଗ୍ନର ହେବେ ଜର୍ମାନୀର ପ୍ରଥମ ମହିଳା ରାଷ୍ଟ୍ରପତି

ବର୍ଲିନ,୧୦ା୧୧: ଜର୍ମାନୀକୁ ପ୍ରଥମ ମହିଳା ରାଷ୍ଟ୍ରପତି ମିଳିବାକୁ ଯାଉଛି । ଚାନ୍ସେଲର ଫ୍ରିଡରିଚ୍‌ ମେର୍ଜଙ୍କ ପାର୍ଟି ପକ୍ଷରୁ ଦକ୍ଷିଣପନ୍ଥୀ ରାଜନେତା ଇଲ୍‌ସେ ଆଇଗ୍ନରଙ୍କୁ ଆସନ୍ତାବର୍ଷ ଦେଶର ସର୍ବୋଚ୍ଚ…

ଆଶ୍ଚର୍ଯ୍ୟ… ସମୁଦ୍ର ଭିତରେ କଇଁଛ-ପକ୍ଷୀ ଖାଇ ବଞ୍ଚିଲେ ୫, ୧୦୦ ଦିନ ଘଟିଲା….

ନୂଆଦିଲ୍ଲୀ,୧୦ା୧୧: ମୃତ୍ୟୁକୁ ମାତ୍‌ ଦେଇ ଫେରିଲେ ୫ ଜଣ । ପ୍ରଶାନ୍ତ ମହାସାଗରରେ ପ୍ରାୟ ୧୦୦ ଦିନ ଧରି ଏକ ଛୋଟ ଡଙ୍ଗାରେ ଭାସିବା ପରେ ୨…

ବଡ଼ ଘୋଷଣା କଲେ ଟ୍ରମ୍ପ; ‘ଇରାନ ସହ ଯୁଦ୍ଧ ପ୍ରାୟ ଶେଷ’, କହିଲେ ଏବେ….

ୱାଶିଂଟନ୍‌,୧୦।୧୧: ଇରାନ ସହ ଚାଲିଥିବା ଯୁଦ୍ଧ ପ୍ରାୟ ଶେଷ ହୋଇଯାଇଛି । ଏବେ ଆମେରିକା ପକ୍ଷରୁ ଆଉ ଆକ୍ରମଣ ଆରମ୍ଭ କରିବାର ବିଶେଷ ଆବଶ୍ୟକତା ନାହିଁ ।…

କଳାହାଣ୍ଡିରେ ଶୀତର ଲହରୀ; ୧୫ ଡିଗ୍ରୀ ଛୁଇଁଲା ରାତି ତାପମାତ୍ରା, ଆଗକୁ….

ଭବାନୀପାଟଣା,୧୦।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଶୀତର ଲହରୀ ଧୀରେ ଧୀରେ ତୀବ୍ର ହେବାରେ ଲାଗିଛି । ବିଶେଷ କରି ଜିଲାର ସଦର ମହକୁମା ଭବାନୀପାଟଣା ସହରରେ…

ଗାଦି ପାଇବେ କି ଗାଦି

ଗୋଟେ ମାସରୁ କମ୍‌ ସମୟ ମଧ୍ୟରେ ୪ଟି ଦେଶରେ ଗୁରୁତ୍ୱପୂର୍ଣ୍ଣ ୪ଟି ଘଟଣା ଦେଖିବାକୁ ମିଳିଛି। ସେହି ଦେଶଗୁଡ଼ିକ ହେଲା ଇସ୍ରାଏଲ୍‌, ଆମେରିକା, ସର୍ବିୟା ଓ ବ୍ରାଜିଲ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?