ନୂଆଦିଲ୍ଲୀ,୧୦ା୧୧: ମୃତ୍ୟୁକୁ ମାତ୍ ଦେଇ ଫେରିଲେ ୫ ଜଣ । ପ୍ରଶାନ୍ତ ମହାସାଗରରେ ପ୍ରାୟ ୧୦୦ ଦିନ ଧରି ଏକ ଛୋଟ ଡଙ୍ଗାରେ ଭାସିବା ପରେ ୨ ଶିଶୁଙ୍କ ସମେତ ୫ ଜଣଙ୍କୁ ଜୀବିତ ଉଦ୍ଧାର କରାଯାଇଛି । ବଞ୍ଚିବା ପାଇଁ ସେମାନେ କଇଁଛ ଓ ପକ୍ଷୀଙ୍କୁ ଖାଦ୍ୟ ଭାବେ ଖାଇଥିବା ବେଳେ ପିଇବା ପାଇଁ ବର୍ଷା ପାଣି ଉପରେ ନିର୍ଭର କରିଥିଲେ । ନଭେମ୍ବର ୧ ତାରିଖରେ କିରିବାଟି ନିକଟରୁ ସେମାନଙ୍କୁ ଉଦ୍ଧାର କରାଯାଇଥିଲା। ତେବେ ଏହି ଯାତ୍ରାରେ ୪ ଜଣଙ୍କ ଜୀବନ ଚାଲିଯାଇଛି ।
ଏକ ରିପୋର୍ଟ ଅନୁଯାୟୀ, ଜୁଲାଇ ୩୦ ତାରିଖରେ ୩୧ ବର୍ଷୀୟ ଟେଡ୍ୱିନ୍ସନ୍ ପଲ୍ ଏବଂ ତାଙ୍କ ପରିବାରର ଅନ୍ୟ ୮ ଜଣ ସଦସ୍ୟ ଏକ ଛୋଟ ଡଙ୍ଗାରେ ଚୁକ୍ରୁ ମାଇକ୍ରୋନେସିଆର ଏକ ଦ୍ୱୀପ ଅଭିମୁଖେ ବାହାରିଥିଲେ । ସେଠାରୁ କିଛି ଅତ୍ୟାବଶ୍ୟକ ସାମଗ୍ରୀ ସଂଗ୍ରହ କରିବା ସେମାନଙ୍କ ଉଦ୍ଦେଶ୍ୟ ଥିଲା। କିନ୍ତୁ ଯାତ୍ରା ସମୟରେ ଏକ ଝଡ଼ ଯୋଗୁଁ ଡଙ୍ଗାଟି ନିଜ ରାସ୍ତାରୁ ବିଚ୍ୟୁତ ହୋଇଯାଇଥିଲା। ଏହା ସହ ଡଙ୍ଗାର ଇନ୍ଧନ ମଧ୍ୟ ସରିଯାଇଥିଲା। ସେମାନେ ନିଖୋଜ ହେବା ନେଇ ସ୍ଥାନୀୟ ପ୍ରଶାସନକୁ ସୂଚନା ଦିଆଯିବା ପରେ ଆମେରିକା କୋଷ୍ଟ ଗାର୍ଡ ପକ୍ଷରୁ ଖୋଜାଖୋଜି ଆରମ୍ଭ ହୋଇଥିଲା। କିନ୍ତୁ କୌଣସି ସଫଳତା ନମିଳିବାରୁ ଶେଷରେ ଉଦ୍ଧାର ଅଭିଯାନ ବନ୍ଦ କରାଯାଇଥିଲା।
ସମୁଦ୍ର ମଧ୍ୟରେ ଫସି ରହିଥିବା ପରିବାର ସଦସ୍ୟମାନେ ଉଦ୍ଧାର ହେବା ଆଶାରେ ସମୁଦ୍ର ଦେଇ ଯାଉଥିବା ଜାହାଜଗୁଡ଼ିକୁ ହାତ ହଲାଇ ସାହାଯ୍ୟ ମାଗିଥିଲେ । ହେଲେ କେହି ସେମାନଙ୍କ ଆହ୍ୱାନର ଜବାବ ଦେଇନଥିଲେ । ଦିନ ପରେ ଦିନ ବିତିବା ସହ ଦଳର ୪ ଜଣଙ୍କ ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରେ ଜଣେ ଶିଶୁ ମଧ୍ୟ ଥିଲା। ପରିସ୍ଥିତି ଏପରି ହୋଇଥିଲା ଯେ ମୃତଦେହଗୁଡ଼ିକୁ ସମୁଦ୍ରରେ ଫିଙ୍ଗିବାକୁ ପଡ଼ିଥିଲା। ଅନ୍ୟପଟେ, ଜୀବିତ ରହିଥିବା ୫ ଜଣ କଇଁଛ ଓ ପକ୍ଷୀ ଖାଇ ଭୋକ ମେଣ୍ଟାଉଥିଲେ। ବର୍ଷା ହେଲେ ପାଣି ସଂଗ୍ରହ କରି ପିଉଥିଲେ। ଏହିପରି ଭାବେ ସେମାନେ ପ୍ରାୟ ୧୦୦ ଦିନ ସମୁଦ୍ରରେ ସଂଘର୍ଷ କରିଥିଲେ।
ପ୍ରାୟ ୩ ହଜାର ମାଇଲରୁ ଅଧିକ ଦୂରତା ଭାସିବା ପରେ ନଭେମ୍ବର ୧ ତାରିଖରେ ସେମାନଙ୍କ ଡଙ୍ଗା କିରିବାଟିର ଫ୍ୟାନିଂ ଦ୍ୱୀପ କୂଳରେ ପହଞ୍ଚିଥିଲା। ସେଠାରେ ସେମାନେ ଚର୍ଚ୍ଚର ଘଣ୍ଟି ଶବ୍ଦ ଶୁଣି ଏକ ଗାଁ ଆଡ଼କୁ ଯାଇଥିଲେ। ଦୀର୍ଘଦିନ ଧରି ଖାଦ୍ୟ ଓ ପାଣି ଅଭାବରେ ରହିଥିବାରୁ ସେମାନେ ଠିକ୍ ଭାବେ ଚାଲିବାକୁ ମଧ୍ୟ ସକ୍ଷମ ନଥିଲେ। ଏହା ଦେଖି ପ୍ରଥମେ ଗ୍ରାମବାସୀ ସେମାନଙ୍କୁ ନିଶାଗ୍ରସ୍ତ ବୋଲି ଭାବିଥିଲେ। ପରେ ସେମାନଙ୍କୁ ଏକ ସ୍ଥାନୀୟ ଚର୍ଚ୍ଚର ପାଦ୍ରୀଙ୍କ ନିକଟକୁ ନିଆଯାଇଥିଲା।
ରିପୋର୍ଟ ଅନୁଯାୟୀ, ନଭେମ୍ବର ୨ ତାରିଖ ସୁଦ୍ଧା ଉଦ୍ଧାର ହୋଇଥିବା ୫ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିବା ଆରମ୍ଭ କରିଥିଲା। ନର୍ସିଂ ଅଫିସର ପୋକିନ୍ ଟୋରୋରୋ କହିଥିଲେ ଯେ ଧୀରେ ଧୀରେ ସେମାନଙ୍କ ଶରୀରରେ ଶକ୍ତି ଫେରିବାରେ ଲାଗିଛି। ଏପଟେ ଚୁକ୍ର ଗଭର୍ଣ୍ଣର ଆଲେକ୍ଜାଣ୍ଡର ନାରୁହନ୍ କହିଛନ୍ତି ଯେ ଉଦ୍ଧାର ହୋଇଥିବା ଲୋକଙ୍କୁ ସୁରକ୍ଷିତ ଭାବେ ଘରକୁ ଫେରାଇ ଆଣିବା ପାଇଁ କିରିବାଟି ସରକାରଙ୍କ ସହ ଆଲୋଚନା ଆରମ୍ଭ ହୋଇଛି। ଦୀର୍ଘ ୧୦୦ ଦିନ ପରେ ୫ ଜଣ ଜୀବିତ ମିଳିବା ଖବର ଆମେରିକା କୋଷ୍ଟ ଗାର୍ଡ ପାଇଁ ମଧ୍ୟ ଆଶ୍ୱସ୍ତି ଆଣିଛି ।

