ରିଷିଡ଼ା,୬ା୬(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ଗ୍ରାମର ବୈବସତ ରଣା ପିତା ସତ୍ୟ ରଣାଙ୍କ ପରିବାର ଆବାସ ଯୋଜନାରୁ ବଞ୍ଚିତ ହୋଇ ଦୟନୀୟ ଭାବେ ଜୀବନ ବିତାଉଛନ୍ତି।
ପରିବାର କହିଲେ ସ୍ବାମୀ, ସ୍ତ୍ରୀ ଏବଂ ତାଙ୍କ ୯ ବର୍ଷ ବୟସର ଏକ ପୁଅକୁ ନେଇ ପରିବାର। ଆବାସ ଯୋଜନାରେ ଘର ଖଣ୍ଡିଏ ପାଇଁ ବାରମ୍ବାର ଆବେଦନ କରି ସୁଦ୍ଧା ପରିବାର ଏଥିରୁ ବଞ୍ଚିତ ହୋଇଛନ୍ତି। ଫଳରେ ଭଙ୍ଗା ଦଦରା ଝାଟିମାଟି କୁଡିଆରେ ଏମାନଙ୍କ ଜୀବନ ବିତୁଛି। ଏପରି କି ସମ୍ବଳ ଅଭାବରୁ ଘରକୁ ମରାମତି କରିପାରୁନାହାନ୍ତି। ଦୀର୍ଘବର୍ଷ ହେବ ଏମାନେ ଦୁର୍ଦ୍ଦଶାରେ କାଳାତିପାତ କରୁଛନ୍ତି।
ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁ ଯୋଜନା ଅପହଞ୍ଚ ରହିଥିବା ଅଭିଯୋଗ ହୋଇଛି। କିଛି ଦିନ ତଳେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ଝଡ଼ ପବନ ଯୋଗୁ ଘରର କାନ୍ଥ ଭୁଶୁଡ଼ି ପଡ଼ିଛି। ବିକଳ୍ପ ବ୍ୟବସ୍ଥା ନ ଥିବାରୁ ବାଧ୍ୟ ହୋଇ ଘର ଉପରେ ଜରିପାଲପକାଇ ବିପଦସଙ୍କୁଳ ଅବସ୍ଥାରେ ରହୁଛନ୍ତି। ଏହି ସମ୍ପର୍କରେ ସରପଞ୍ଚ ସେବତୀ ରଣାଙ୍କୁ ପଚାରିବାରୁ ଯଥାଶୀଘ୍ର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପରିବାରକୁ ସାମିଲ କରି ଘର ଯୋଗାଇ ଦିଆଯିବ ବୋଲି କହିଛନ୍ତି।