ରାକ୍ଷୀ ପୂର୍ଣ୍ଣିମା ପାଇଁ ବାପଘରକୁ ଆସିଥିଲେ: ମାଟି କାନ୍ଥ ଭୁଶୁଡ଼ି ଶିଶୁ ସମେତ ୩ ଗୁରୁତର

ବାରିପଦା, ୨୯।୮ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଅନ୍ତର୍ଗତ ପଟିସାରି ଗ୍ରାମପଞ୍ଚାୟତର ଜଡ଼ିପଦା ଗାଁରେ ମାଟି କାନ୍ଥ ଭୁଶୁଡ଼ି ଶିଶୁ ସମେତ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନେ ହେଲେ ମିନତୀ ସିଂ (୬୫), ସୁଜାତା ସିଂ (୩୦) ଓ ଏଲିସା ସିଂ (୪)।

ସୂଚନାଯୋଗ୍ୟ, ସୁଜାତା ଓ ତାଙ୍କ ଝିଅ ରାକ୍ଷୀ ପୂର୍ଣ୍ଣିମା ଉପଲକ୍ଷେ ବାପଘରକୁ ଆସିଥିଲେ। ଗୁରୁବାର ପ୍ରବଳ ବର୍ଷା ଯୋଗୁଁ ମାଟି କାନ୍ଥଟି ବିପଦସଙ୍କୁଳ ଅବସ୍ଥାରେ ରହିଥିଲା। ରାତି ପ୍ରାୟ ୧ଟା ସମୟରେ ମାଟି କାନ୍ଥ ଭୁଶୁଡ଼ି ପଡ଼ିବାରୁ ନିର୍ମାଣାଧୀନ ପକ୍କାଘରର କାନ୍ଥ ମଧ୍ୟ ଭାଙ୍ଗି ପଡ଼ିଥିଲା। ଫଳରେ ଘରେ ଶୋଇଥିବା ତିନିଜଣଙ୍କ ଉପରେ ପକ୍କା କାନ୍ଥ ଚାପି ହୋଇଯାଇଥିଲା।

ଶବ୍ଦ ଶୁଣି ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ତିନିଜଣଙ୍କୁ ଉଦ୍ଧାର କରିଥିଲେ। ପରେ ସେମାନଙ୍କୁ ପ୍ରଥମେ ବଡ଼ସାହି ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ବାରିପଦା ରଙ୍ଗାମାଟିଆସ୍ଥିତ ପିଆର୍‌ଏମ୍ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଘଟଣା ସମ୍ପର୍କରେ ଖବର ପାଇ ବଡ଼ସାହି ତହସିଲଦାର ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏଥିସହ ପୀଡ଼ିତ ପରିବାରକୁ ସରକାରୀ ସହାୟତା ପ୍ରଦାନ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

Dharitri – Odisha’s No.1 Odia Daily

Share