ବାହା ହେବାକୁ ଚାଲିଲେ ୨୮ କିଲୋମିଟର

ରାୟଗଡ଼ା,୧୭ା୩(ସ୍ବ.ପ୍ର.): ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ପାଇଁ ଲୋକେ ନାନା ହଇରାଣ ହରକତ ହେଉଛନ୍ତି। ଏପରିକି ବସ୍‌ ଚଳାଚଳ ବନ୍ଦ ରହିଥିବାରୁ ବରଯାତ୍ରୀଙ୍କୁ ନେଇ ବର ୨୮ କିଲୋମିଟର ଚାଲିଛନ୍ତି। ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅଞ୍ଚଳରେ।

ପ୍ରକାଶ ଯେ, ସୁନାଖଣ୍ଡି ପଞ୍ଚାୟତ ଅନ୍ତର୍ଗତ ପାର୍ତିବେଡ଼ା ଗ୍ରାମର ବର ଗୁରୁବାର ବିବାହ ହେବା ନିମନ୍ତେ କନ୍ୟା ଘର ଡିବାଲପାଡୁ ଗ୍ରାମକୁ ବାହାରିଥିଲେ। ପୂର୍ବ ନିର୍ଦ୍ଧାରିତ ପ୍ରକାରେ ବର ଘର ପ୍ରସ୍ତୁତ ହୋଇଥିଲେ ମଧ୍ୟ ଭଡ଼ା ଗାଡ଼ିଗୁଡ଼ିକ ଆସି ନ ଥିଲେ। ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ପାଇଁ ଗାଡ଼ି ଆସିବା ପାଇଁ ମନା କରିଥିଲେ। ଫଳରେ କୌଣସି ଉପାୟ ନପାଇ ବର ବରଯାତ୍ରୀଙ୍କୁ ଧରି ଚାଲି ଚାଲି ୨୮ କିଲୋମିଟର ବାଟ ଯାଇଥିଲେ। ସନ୍ଧ୍ୟା ୬ଟାରେ ବାହାରି ଭୋର୍‌ ୩ ଟା ବେଳେ ଅର୍ଥାତ୍‌ ଶୁକ୍ରବାର କନ୍ୟାଘରେ ପହଞ୍ଚିଥିଲେ। ଭୋର୍‌ରୁ ବିବାହ ଅନୁଷ୍ଠିତ ହୋଇଥିଲା। ଏଥିପାଇଁ ବିବାହ ୧୦ ଘଣ୍ଟା ବିଳମ୍ବ ହୋଇଥିଲା। ଏହି ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।