ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଆରମ୍ଭ: ମୋଦି-ଶାହା ଦେବେ ଭୋଟ

ନୂଆଦିଲ୍ଲୀ,୭।୫: ୧୦ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୯୩ଟି ଲୋକ ସଭା ଆସନରେ ଆଜି ତୃତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଯାଇଛି। ସକାଳ ୭ଟାରୁ ଭୋଟର ମତଦାନ କରିଛନ୍ତି। ଏହି ପର୍ଯ୍ୟାୟରେ ଗୁଜରାଟର ୨୬ ଆସନ, କର୍ନାଟକର ୧୪, ମହାରାଷ୍ଟ୍ରର ୧୧, ଉତ୍ତରପ୍ରଦେଶର ୧୦, ମଧ୍ୟପ୍ରଦେଶର ୯, ଛତିଶଗଡ଼ର ୭, ବିହାରର ୫, ଆସାମ ଓ ପଶ୍ଚିମବଙ୍ଗର ୪ଟି ଲେଖାଏ, ଗୋଆ ଏବଂ ଦାଦ୍ରା ନଗର ହାଭେଲି ଓ ଡାମନର ୨ଟି ଲେଖାଏ ଆସନରେ ଭୋଟ ଚାଲିଛି। ୧୭ କୋଟିରୁ ଊର୍ଦ୍ଧ୍ୱ ମତଦାତା ୧ ଲକ୍ଷ ୮୫ ହଜାର ଭୋଟକେନ୍ଦ୍ରରେ ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ। ଏହି ପର୍ଯ୍ୟାୟର ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି ବରିଷ୍ଠ ଭାଜପା ନେତା ଅମିତ୍‌ ଶାହା, ମନସୁଖ ମାଣ୍ଡବ୍ୟ, ଜ୍ୟୋତିରାଦିତ୍ୟ ସିନ୍ଧିଆ, ପ୍ରହଲ୍ଲାଦ ଜୋଷୀ, ଶିବରାଜ ସିଂ ଚୌହାନ, ବାସବରାଜ ବୋମାଇ, କଂଗ୍ରେସ ନେତା ଦିଗବିଜୟ ସିଂ, ସମାଜବାଦୀ ପାର୍ଟିର ଡିମ୍ପଲ ଯାଦବ ଏବଂ ଏନ୍‌ସିପି(ଏସ୍‌ପି) ନେତ୍ରୀ ସୁପ୍ରିୟା ସୁଲେ।

Share