ମରାଗୋଳା ବୁଥ୍‌ରେ ଭୋଟ ବର୍ଜନ

କେନ୍ଦୁଝର,୧୯ ।୨(ସ୍ବ.ପ୍ର./ଡି.ଏନ.ଏ.)

କେନ୍ଦୁଝର ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି। ହରିଚନ୍ଦନପୁର ବ୍ଲକ ପିଠାଗୋଳା ପଞ୍ଚାୟତର ମରାଗୋଳା ବୁଥ୍‌ ନଂ.୧୪ରେ ଗ୍ରାମବାସୀ ଭୋଟ ବର୍ଜନ କରିଛନ୍ତି। ରାସ୍ତା ନିର୍ମାଣ ଦାବିରେ ଉକ୍ତ ବୁଥ୍‌ର ୧୭୬ ଭୋଟର ଭୋଟ ବର୍ଜନ କରିଥିବା ଜଣାପଡ଼ିଛି। ହରିଚନ୍ଦନପୁର ବ୍ଲକରେ ୭୮ ପ୍ରତିଶତ ଓ ତେଲକୋଇ ବ୍ଲକରେ ୭୮.୮ ପ୍ରତିଶତ ମତଦାନ ହୋଇଛି। ଉଭୟ ବ୍ଲକର ସମୁଦାୟ ୧୨୩୪ଜଣ ପ୍ରାର୍ଥୀଙ୍କର ଭାଗ୍ୟ ଭୋଟ ବାକ୍ସ ମଧ୍ୟରେ ସିଲ୍‌ ହୋଇଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବାବେଳେ ସବୁ ବୁଥ୍‌ରେ ଲୋକଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଥିଲା।
ପ୍ରେମାନନ୍ଦ ନାୟକ ଓ ଭାଜପାରୁ ବିଜେଡିକୁ ଆସିଥିବା ଧନୁର୍ଜୟ ସିଦ୍ଦୁଙ୍କ ପାଇଁ ଏହି ନିର୍ବାଚନ ବେଶ ଗୁରୁତ୍ୱ ବହନ କରୁଛି। ତେଲକୋଇ ବ୍ଲକ ବିଞ୍ଝବାହାଳ ପଞ୍ଚାୟତ କଣ୍ଟାବାହାଳ ବୁଥ୍‌ ନଂ. ୧ରେ ବାଲାଟ ପେପରରେ ଅବ୍ୟବସ୍ଥାକୁ ନେଇ କିଛି ସମୟ ପାଇଁ ମତଦାନ ବନ୍ଦ ରହିଥିଲା। ମୋଟ ୧୦ଜଣ ପ୍ରାର୍ଥୀଙ୍କ ନାମ ବାଲଟ ପେପରରେ ଥିଲା। ବାଲଟ ପେପରର ଶେଷରେ ଥିବା ପ୍ରାର୍ଥୀଙ୍କ ନାମ ବାଲଟ ପେପର ଭାଙ୍ଗିଲା ବେଳକୁ ଜଣାପଡୁ ନ ଥିଲା। ଏହା ଜାଣିଶୁଣି କରାଯାଇଥିବା ଅଭିଯୋଗ କରି ଉକ୍ତ ପ୍ରାର୍ଥୀଙ୍କ ସମର୍ଥକମାନେ ଭୋଟ କେନ୍ଦ୍ର ସମ୍ମୁଖରେ ପାଟିତୁଣ୍ଡ କରି ଭୋଟ ଦେଇ ନ ଥିଲେ। ବୁଝାସୁଝା କରିବା ପରେ ଭୋଟଦାନ ପୁଣି ସ୍ବାଭାବିକ ହୋଇଥିଲା। ଏନେଇ ତେଲକୋଇ ବିଡିଓ ପ୍ରେମାଂଶୁ ଚାନ୍ଦଙ୍କ ସହ ଯୋଗାଯୋଗ କରିବାରୁ ଲୋକଙ୍କୁ ବୁଝାସୁଝା କରିବା ପରେ ଭୋଟ ଗ୍ରହଣ ସ୍ବାଭାବିକ ହୋଇଥିଲା ଏବଂ ଘଟଣା ସମ୍ପର୍କରେ ଜିଲାପାଳଙ୍କୁ ଅବଗତ କରାଯାଇଛି ବୋଲି କହିଛନ୍ତି।