ଭୋଟର ଖୋଜୁଛନ୍ତି ନୂଆ ମୁହଁ

ନୟାଗଡ଼/ରଣପୁର,୧୮।୩(ଲୋକନାଥ ମିଶ୍ର/ସୁକାନ୍ତ କିଶୋର ଡାକୁଆ): ନୟାଗଡ଼ ଜିଲାର ରଣପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଶାସକ ଦଳର ସତ୍ୟ ନାରାୟଣ ପ୍ରଧାନ ବିଧାୟକ ଅଛନ୍ତି। ହେଲେ ଦଳରେ ଗୋଷ୍ଠୀ କନ୍ଦଳ ଓ ଅନ୍ତର୍ଦ୍ୱନ୍ଦ୍ୱ ଲାଗି ରହିଥିବାରୁ ଆସନ୍ତା ନିର୍ବାଚନରେ ଶାସକ ଦଳ କାହାକୁ ପ୍ରାର୍ଥୀ କରୁଛି ତାହା ଉପରେ ସମସ୍ତଙ୍କ ରହିଛି ନଜର। ଅନ୍ୟପକ୍ଷେ ଯଦି ମେଣ୍ଟ ହୁଏ, ପୁରୁଣା ହିସାବ ଅନୁସାରେ ରଣପୁର ନିର୍ବାଚନମଣ୍ଡଳୀଟି ଭାଜପା ଦଖଲକୁ ଯାଇପାରେ। ଏଠାରେ ଭାଜପାର ଆଖିଦୃଶିଆ ସଙ୍ଗଠନ ନ ଥିଲେ ମଧ୍ୟ ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ ଏକକ ଆଶାୟୀ ପ୍ରାର୍ଥୀ ଥିବା ଶୁଣିବାକୁ ମିଳୁଛି।
ନିର୍ବାଚନମଣ୍ଡଳୀ ରଣପୁର ବ୍ଲକର ୩୭ ପଞ୍ଚାୟତ, ରଣପୁର ଏନ୍‌ଏସି ଏବଂ ଓଡ଼ଗଁା ବ୍ଲକର ଗୋଡ଼ିପଡ଼ା ଓ ଶରଣକୁଳ ଜୋନର ୧୮ଟି ପଞ୍ଚାୟତକୁ ନେଇ ଗଠିତ। ଏହି ନିର୍ବାଚନମଣ୍ଡଳୀ ଏକଦା କଂଗ୍ରେସର ଗଡ଼ ଥିଲା। କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିରୋଧୀ ଦଳ ନେତା ରମାକାନ୍ତ ମିଶ୍ର ୨୦୦୪ ନିର୍ବାଚନରେ ପରାସ୍ତ ହେବା ପରେ ନିର୍ବାଚନମଣ୍ଡଳୀରେ ସଙ୍ଗଠନକୁ ଗୁରୁତ୍ୱ ଦେଇ ନ ଥିଲେ। ଫଳରେ ସେବେଠାରୁ କଂଗ୍ରେସର ଦୁର୍ଗ ଭୁଶୁଡ଼ି ପଡିଛି। ଭାଜପା-ବିଜେଡି ମେଣ୍ଟ ଯୋଗୁ ସୁରମା ପାଢ଼ୀ ୨୦୦୪ରେ ବିଧାୟକ ହୋଇ ମନ୍ତ୍ରୀ ପଦ ହାତେଇଥିଲେ। ମେଣ୍ଟ ଭାଙ୍ଗିବା ପରେ ୨୦୦୯ଠାରୁ ଏଯାବତ ବିଜେଡି ଦଖଲରେ ଏହି ନିର୍ବାଚନମଣ୍ଡଳୀ ରହିଛି। ଶାସକ ଦଳ ପ୍ରତି ଲୋକଙ୍କର ସମର୍ଥନ ଅଛି। କିନ୍ତୁ ନିର୍ବାଚନମଣ୍ଡଳୀର ଜନସାଧାରଣ ନୂଅଁା ମୁହଁ ଖୋଜୁଥିବା ଚର୍ଚ୍ଚା ହେଉଛି। ୨୦୦୯ରେ ସତ୍ୟ ନାରାୟଣ ପ୍ରଧାନ, ୨୦୧୪ରେ ରବି ନାରାୟଣ ମହାପାତ୍ର, ୨୦୧୯ରେ ସତ୍ୟ ନାରାୟଣ ପ୍ରଧାନ ବିଜେଡିରୁ ଟିକେଟ ପାଇ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଶାସକ ଦଳ ଦଖଲରେ ରଣପୁର ନିର୍ବାଚନମଣ୍ଡଳୀ ରହିଥିବାବେଳେ ସ୍ଥାନୀୟ ବିଧାୟକ ଜନସାଧାରଣଙ୍କ ସମସ୍ୟା ବୁଝୁ ନ ଥିବା ଅଭିଯୋଗ ହେଉଛି। ଫଳରେ ତାଙ୍କ ଲୋକପ୍ରିୟତା ହ୍ରାସ ପାଉଥିବା କୁହାଯାଉଛି।
ଶାସକ ଦଳ ବିରୋଧରେ ଅନେକ ଇସ୍ୟୁ ରହିଥିବାବେଳେ ବିରୋଧୀ ଭାଜପା ଓ କଂଗ୍ରେସ ଏହାର ଫାଇଦା ନେଇପାରୁନାହାନ୍ତି। ନିର୍ବାଚନ ବିଗୁଲ ବାଜିଯାଇଥିବାରୁ ଭାଜପା, ବିଜେଡି ଓ କଂଗ୍ରେସ ତପତ୍ର ହୋଇ ଉଠିଛନ୍ତି। କଂଗ୍ରେସର ରାଜ୍ୟ ଯୁବ ସାଧାରଣ ସମ୍ପାଦକ ତଥା ରାଷ୍ଟ୍ରୀୟ ସଙ୍ଗଠନ ସମ୍ପାଦକ ସତ୍ୟବ୍ରତ ନାୟକ ୨୦୦୪ଠାରୁ ସଙ୍ଗଠନକୁ ସଜାଡୁଥିବାବେଳେ ପୂର୍ବତନ ମନ୍ତ୍ରୀ ରମାକାନ୍ତ ମିଶ୍ରଙ୍କ ପୁତୁରା ବିଭୁ ପ୍ରସାଦ ମିଶ୍ର ୨୦୨୪ରୁ ଅନୁରୂପ ଭାବେ ଆଶାୟୀ ହୋଇ ସଭାସମିତି କରି ଭୋଟରଙ୍କୁ ଆପଣେଇବାକୁ ଚେଷ୍ଟା କରୁଛନ୍ତି। ତେବେ ବିଜେଡିର ଆଲୋକ ପଟ୍ଟନାୟକ, ଲିଙ୍କନ ସୁବୁଦ୍ଧି, ରବି ମହାପାତ୍ର ଆଶାୟୀ ରହିବା ସହ ନିଜର କ୍ଷେତ୍ର ପ୍ରସ୍ତୁତିରେ ଲାଗି ପଡିଛନ୍ତି। ଏଭଳି ସ୍ଥଳେ ପୁରୁଣା ମୁହଁ ଅପେକ୍ଷା ଭୋଟର ନୂଆ ନେତାଙ୍କୁ ଚାହୁଁଥିବା ସାଧାରଣରେ ଆଲୋଚନା ହେଉଛି।