ଭୋଟର ତାଲିକା ସଂଶୋଧନ ଆରମ୍ଭ

ଯାଜପୁର ଅଫିସ,୨୦।୧୧: ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଯାଜପୁର ଜିଲାରେ ଆରମ୍ଭ ହୋଇଛି। ଚୂଡାନ୍ତ ସଂଶୋଧିତ ଭୋଟର ତାଲିକା ୨୦୨୧ ଜାନୁୟାରୀ ୧୫ରେ ସମସ୍ତ ଭୋଟଗ୍ରହଣ କେନ୍ଦ୍ର ଓ ଜିଲା ନିର୍ବାଚନ ପଞ୍ଜୀକରଣ ଅଧିକାରୀଙ୍କ କାର୍ଯ୍ୟାଳୟରେ ପ୍ରକାଶ ପାଇବ। ଏ ନେଇ ଜିଲାପାଳ ଚକ୍ରବର୍ତ୍ତୀ ସିଂହ ରୋଠୋର ସୂଚନା ଦେଇଛନ୍ତି। ୨୦୨୧ ଜାନୁୟାରୀ ୧ ସୁଦ୍ଧା ଯେଉଁମାନଙ୍କୁ ୧୮ ବର୍ଷ ବୟସ ହୋଇଥିବ ସେମାନେ ଭୋଟର ତାଲିକାରେ ନିଜ ନାମ ପଞ୍ଜୀକରଣ କରିପାରିବେ। ଚଳିତ ମାସ ୧୬ରୁ ଜିଲାର ସମସ୍ତ ଭୋଟଗ୍ରହଣ କେନ୍ଦ୍ର, ଜିଲା ନିର୍ବାଚନ ପଞ୍ଜୀକରଣ ଅଧିକାରୀଙ୍କ କାର୍ଯ୍ୟାଳୟ, ତହସିଲ ଓ ବ୍ଲକ କାର୍ଯ୍ୟଳୟରେ ଭୋଟର ତାଲିକା ପ୍ରକାଶ ପାଇଛି। ଏହାକୁ ଭୋଟରମାନେ ଅନୁଧ୍ୟାନ କରିପାରିବେ। ଭୋଟର ତାଲିକାରେ ନାମ ଯୋଗ ପାଇଁ ୬ ନଂ. ଫର୍ମ ମାଧ୍ୟମରେ ବିଏଲଓ (ବୁଥସ୍ତରୀୟ ଅଧିକାରୀ)ଙ୍କ ନିକଟରେ ଆବେଦନ କରିପାରିବେ। ଭୋଟର ତାଲିକାରେ ଗୋଟିଏ ଭୋଟ ଗ୍ରହଣ କେନ୍ଦ୍ରରୁ ଅନ୍ୟ ଏକ ଭୋଟ କେନ୍ଦ୍ରକୁ ନିଜର ନାମ ସ୍ଥାନାନ୍ତର ନିମନ୍ତେ ଫର୍ମ ନଂ. ୮(କ) ଓ ଭୋଟର ତାଲିକାରେ ତ୍ରୁଟି ଥିଲେ ସଂଶୋଧନ ପାଇଁ ଫର୍ମ ନଂ.୮ ରେ ଆବେଦନ କରିପାରିବେ। ନୂତନ ଭୋଟରଙ୍କ ପାଇଁ ଚଳିତ ମାସ ୨୮, ୨୯ ଏବଂ ଡିସେମ୍ବର ୫ ଓ ୬ ତାରିଖକୁ ସ୍ବତନ୍ତ୍ର ଅଭିଯାନ ଦିବସ ଭାବେ ପ୍ରତ୍ୟେକ ମତଦାନ କେନ୍ଦ୍ରରେ ପାଳନ କରାଯିବ। ବୁଥସ୍ତରୀୟ ଅଧିକାରୀ ଓ ଅନ୍ୟ କର୍ମଚାରୀ ଉପସ୍ଥିତ ରହି ନୂତନ ଭୋଟରଙ୍କ ତାଲିକାରେ ନାମ ଯୋଗ ଓ ଭୋଟର ତାଲିକାର ସଂଶୋଧନ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବେ। ଜାନୁୟାରୀ ୫ ସୁଦ୍ଧା ଅଭିଯୋଗ ଗ୍ରହଣ କରାଯାଇ ସମାଧାନ କରାଯିବ। ଜିଲାର ୧୬୧୯ ମତଦାନ କେନ୍ଦ୍ରରେ ବର୍ତ୍ତମାନ ୧୪,୮୦,୦୨୫ ଭୋଟର ରହିଛନ୍ତି। ସେମାନଙ୍କ ମଧ୍ୟରେ ୭,୬୯,୦୭୨ ପୁରୁଷ, ୭,୧୦,୮୯୦ ମହିଳା ଓ ୬୩ ଜଣ ଅନ୍ୟାନ୍ୟ ଭୋଟର ରହିଥିବା ସୂଚନା ମିଳିଛି।