Categories: ଗଞ୍ଜାମ

ଭୋଟର ସଚେତନତା କାର୍ଯ୍ୟକ୍ରମ

ଭଞ୍ଜନଗର,୧୦।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ନିର୍ବାଚନମଣ୍ଡଳୀରେ ଭୋଟର ସଚେତନତା ଓ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଶ୍ରୀବତ୍ସ ସରକାରୀ ଉଚ୍ଚ ବିଦ୍ୟାଳୟ, ଭଞ୍ଜନଗର ଏବଂ ଡି.ଏମ. ଜୁନିୟର ଓ ଡିଗ୍ରୀ ମହାବିଦ୍ୟାଳୟ, ଗାଲେରୀଠାରେ ବିଭିନ୍ନ ଭୋଟର ସଚେତନତା କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଟିତ ହୋଇଯାଇଛି।
ଶ୍ରୀବତ୍ସ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଭଞ୍ଜନଗର ନିର୍ବାଚନମଣ୍ଡଳୀର ନିର୍ବାଚକ ପଞ୍ଜୀକରଣ ଅଧିକାରୀ ତଥା ଉପଜିଲାପାଳ ଉମାଶଙ୍କର ବେହେରା , ଅତିରିକ୍ତ ଉପଜିଲାପାଳ ପ୍ରଧାନ ଟୁଲିଆମା, ନିର୍ବାଚନ ଉପଜିଲାପାଳ ରଚିତା ମହାପାତ୍ର, ସହକାରୀ ନିର୍ବାଚକ ପଞ୍ଜୀକରଣ ଅଧିକାରୀ ତଥା ଭଞ୍ଜନଗର ସହକାରୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପାଢ଼ୀ, ପ୍ରଧାନ ଶିକ୍ଷୟିତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ଛାତ୍ରୀଛାତ୍ରମାନେଯୋଗଦେଇଥିଲେ।
ସେହିପରି, ଗାଲେରୀସ୍ଥିତ ଡି.ଏମ. ଜୁନିୟର ଓ ଡିଗ୍ରୀ ମହାବିଦ୍ୟାଳୟର ନିର୍ବାଚନୀ ସାକ୍ଷରତା କ୍ଲବ ମାଧ୍ୟମରେ ମଧ୍ୟ ଏକ ଭୋଟର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା। ଏଥିରେ ଭଞ୍ଜନଗର ନିର୍ବାଚନମଣ୍ଡଳୀର ନିର୍ବାଚକ ପଞ୍ଜୀକରଣ ଅଧିକାରୀ ତଥା ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ବେହେରା, ଅତିରିକ୍ତ ଉପଜିଲ୍ଲାପାଳ ପ୍ରଧାନ ଟୁଲିଆମ୍ମା, ସହକାରୀ ନିର୍ବାଚକ ପଞ୍ଜୀକରଣ ଅଧିକାରୀ ତଥା ସହକାରୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଭଞ୍ଜନଗର, ନିର୍ବାଚନ ଉପଜିଲ୍ଲାପାଳ, ମହାବିଦ୍ୟାଳୟ ଅଧ୍ୟକ୍ଷ ବଂଶୀଧର ପାଢ଼ୀ, ଅଧ୍ୟାପକ-ଅଧ୍ୟାପିକା ଓ ଛାତ୍ରୀଛାତ୍ରମାନେ ଉପସ୍ଥିତ ଥିଲେ।
ଉଭୟ କାର୍ଯ୍ୟକ୍ରମରେ ଛାତ୍ରୀଛାତ୍ରମାନଙ୍କୁ ଗଣତନ୍ତ୍ରର ମହତ୍ତ୍ୱ, ଭାରତୀୟ ସମ୍ବିଧାନର ମୂଲ୍ୟବୋଧ, ନିର୍ବାଚନ ପ୍ରକ୍ରିୟା, ଭୋଟର ପଞ୍ଜୀକରଣ ପ୍ରକ୍ରିୟା ଏବଂ ସଚେତନ ଓ ଦାୟିତ୍ୱବାନ ନାଗରିକ ଭାବେ ନିଜର କର୍ତ୍ତବ୍ୟ ସମ୍ପର୍କରେ ସଚେତନ କରାଯାଇଥିଲା।
ଗାଲେରୀ ମହାବିଦ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଛାତ୍ରୀଛାତ୍ରମାନେ ଆଲୋଚନାତ୍ମକ ଓ ପ୍ରଶ୍ନୋତ୍ତର ଅଧିବେଶନରେ ଉତ୍ସାହର ସହ ଭାଗ ନେଇଥିଲେ। ସଚେତନ ଓ ଦାୟିତ୍ୱବାନ ନାଗରିକତାର ଗୁରୁତ୍ୱ ଉପରେ ସେମାନେ ସକ୍ରିୟ ଭାବେ ମତ ବିନିମୟ କରିଥିଲେ।
ଏହି ଅବସରରେ ଛାତ୍ରୀଛାତ୍ରମାନଙ୍କ ମଧ୍ୟରେ ବିଭିନ୍ନ ସଚେତନତାମୂଳକ ପ୍ରତିଯୋଗିତା ହୋଇଥିଲା । ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ବିଜେତା ଛାତ୍ରୀଛାତ୍ରମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ ଓ ସମ୍ମାନିତ କରାଯାଇଥିଲା।
ଛାତ୍ରୀଛାତ୍ରମାନଙ୍କ ମଧ୍ୟରେ ନିର୍ବାଚନୀ ସଚେତନତା ବୃଦ୍ଧି କରିବା ସହ ସେମାନଙ୍କ ମାଧ୍ୟମରେ ପରିବାର ଓ ସମାଜ ମଧ୍ୟରେ ସୂଚନାଭିତ୍ତିକ, ସଚେତନ ଓ ଦାୟିତ୍ୱବାନ ମତଦାନ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମଗୁଡ଼ିକର ମୁଖ୍ୟ ଉଦ୍ଦେଶ୍ୟ ଥିଲା।

Dharitri – Odisha’s No.1, Most Trusted Odia Daily

Share