ଦିଗପହଣ୍ଡି, ୧୧।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜୟଲକ୍ଷ୍ମୀନାରାୟଣପୁର ଗ୍ରାମରେ ଗତ ବର୍ଷ ଘଟିଥିବା ସବର୍ଣ୍ଣ-ଅସବର୍ଣ୍ଣ ଗୋଷ୍ଠୀ ସଂଘର୍ଷ ଏବଂ ହତ୍ୟା ଉଦ୍ୟମ ମାମଲାରେ ପୋଲିସ ମଙ୍ଗଳବାର ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଦାଲତରେ ଜାମିନ ଆବେଦନ ଖାରଜ ହେବାରୁ ସେମାନଙ୍କୁ ଦିଗପହଣ୍ଡି ସବ୍ ଜେଲ୍ ହାଜତକୁ ପଠାଇ ଦିଆଯାଇଛି।
ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ବିଜୟଲକ୍ଷ୍ମୀନାରାୟଣପୁର ଗ୍ରାମ ଦଳିତ ସାହିର ଦୁଃଖିଶ୍ୟାମ ବଳିୟାରସିଂ (୨୫), ସୁଦର୍ଶନ ଜେନା (୪୪) ଏବଂ ଭୀଷ୍ମଗିରି ଗ୍ରାମ ଗାନ୍ଧୀନଗରର ଗୌରାଙ୍ଗ ନାୟକ ଓରଫ ରୋହିତ (୫୧)। କେ. ନୂଆଗାଁ ପୋଲିସ ମଙ୍ଗଳବାର ଅପରାହ୍ନ ପ୍ରାୟ ୧ଟାରେ ସେମାନଙ୍କୁ ଗିରଫ କରିବା ପରେ ସନ୍ଧ୍ୟାରେ କୋର୍ଟଚାଲାଣ କରିଥିଲା। ଥାନା ମାମଲା ନଂ. ୧୭୫/୨୫ ଅନୁଯାୟୀ ଏହି ଗିରଫଦାରି କରାଯାଇଛି।
ଗତ ୨୦୨୫ ମେ ୨୧ ତାରିଖ ରାତିରେ ବିଜୟଲକ୍ଷ୍ମୀନାରାୟଣପୁର ଗ୍ରାମ ଦଳିତ ସାହିର କିଛି ବ୍ୟକ୍ତିଙ୍କ ସହ ସବର୍ଣ୍ଣ ଗୋଷ୍ଠୀର ଲୋକଙ୍କ ମଧ୍ୟରେ ଆକ୍ରମଣ ଓ ପ୍ରତିଆକ୍ରମଣ ହୋଇଥିଲା। ଉଭୟ ପକ୍ଷ ମାରଣାସ୍ତ୍ର ଧରି ପରସ୍ପର ଉପରେ ଘାତକ ଆକ୍ରମଣ କରିବା ଫଳରେ ଉଭୟ ପକ୍ଷର ଏକାଧିକ ବ୍ୟକ୍ତି ଗୁରୁତର ଆହତ ହୋଇଥିଲେ। ସବର୍ଣ୍ଣ ଗୋଷ୍ଠୀର ବେଣୁ ସାହୁ ଏବଂ ଗୋପୀକୃଷ୍ଣ ସାହୁ ଗୁରୁତର ଆହତ ହେବାନେଇ ବେଣୁଙ୍କ ସ୍ତ୍ରୀ ନମିତା ସାହୁ ଥାନାରେ ଏତଲା ଦେଇଥିଲେ। ଘଟଣା ପରଠାରୁ ଅଭିଯୁକ୍ତମାନେ ଫେରାର ଥିଲେ। ଆଇଆଇସି ବିଶ୍ୱଜିତ ନାୟକଙ୍କ ନିର୍ଦ୍ଦେଶକ୍ରମେ ତଦନ୍ତକାରୀ ଅଧିକାରୀ ତଥା ନୂଆପଡ଼ା ଫାଣ୍ଡି ଏସ.ଆଇ. ଅତିଥି ଚରଣ ନାୟକ ଅଭିଯୁକ୍ତମାନଙ୍କୁ କାବୁ କରିବାରେ ସଫଳ ହୋଇଛନ୍ତି।
ସେହିପରି ଏହି ଗୋଷ୍ଠୀ ସଂଘର୍ଷରେ ଦଳିତ ସାହିର ପିଙ୍କୁ ଜେନା ମଧ୍ୟ ଗୁରୁତର ଆହତ ହୋଇଥିଲେ। ଏନେଇ ଏତଲା ପରେ ପୋଲିସ ମାମଲା ନଂ. ୧୭୭/୨୫ ଅନୁଯାୟୀ ସବର୍ଣ୍ଣ ଗୋଷ୍ଠୀର ଲୋକଙ୍କ ବିରୋଧରେ ପୃଥକ ମକଦ୍ଦମା ରୁଜୁ କରିଥିଲା। ସୋମବାର ଅସବର୍ଣ୍ଣ ଗୋଷ୍ଠୀର ପିଣ୍ଟୁ ଜେନାଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ, ପୂର୍ବରୁ ମଧ୍ୟ ଉଭୟ ମାମଲାରେ ସମ୍ପୃକ୍ତ କିଛି ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିସାରିଛି।