ଦିଗପହଣ୍ଡି,୧୧।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥ ପିତାମ୍ବରପୁର ଗ୍ରାମ ନିକଟରେ ଥିବା ଏକ ପେଟ୍ରୋଲ ପମ୍ପରେ ମଙ୍ଗଳବାର ଜଣେ ଗ୍ରାହକଙ୍କ ବାଇକରେ ପେଟ୍ରୋଲ ଭରିବା ବେଳେ ଠକେଇ ହୋଇଥିବା ଅଭିଯୋଗକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଗ୍ରାହକ ଜଣକ ସନ୍ଦେହ କରି ଆପତ୍ତି କରିବା ପରେ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ସହ ତାଙ୍କର ଯୁକ୍ତିତର୍କ ଓ ବଚସା ହୋଇଥିଲା, ଯାହା ପରେ ସ୍ଥାନୀୟ ଲୋକେ ଏକଜୁଟ୍ ହୋଇ ହୋ-ହଲ୍ଲା କରିଥିଲେ।
ପାଟପୁର ଥାନା ମାଟିଆବୋରେଇ ଗ୍ରାମର କେଶବ ପାତ୍ର ତାଙ୍କ ବଜାଜ ପଲସର ବାଇକରେ ପେଟ୍ରୋଲ ପକାଇବାକୁ ମଙ୍ଗଳବାର ସକାଳେ ଉକ୍ତ ପେଟ୍ରୋଲ ପମ୍ପକୁ ଯାଇଥିଲେ। ସେ ଟାଙ୍କି ପୂରା ଭର୍ତ୍ତି କରିବାକୁ କହିଥିବା ବେଳେ କର୍ମଚାରୀ ଜଣକ ୧୭ ଲିଟର ପେଟ୍ରୋଲର ଟଙ୍କା ଦେବାକୁ କହିଥିଲେ ଏବଂ କେଶବ ଟଙ୍କା ଦେଇ ଫେରିଥିଲେ। ପରେ ସେ ବାଇକ କ୍ରୟ ସମୟର ମାନୁଏଲ୍ ବହି ଯାଞ୍ଚ କରିବାରୁ ବାଇକ ଟାଙ୍କିର ସମୁଦାୟ କ୍ଷମତା ୧୫ ଲିଟର ଥିବା ଜାଣିବାକୁ ପାଇଥିଲେ। ଟାଙ୍କିର ଧାରଣ କ୍ଷମତା ୧୫ ଲିଟର ଥାଉାଉ ୧୭ ଲିଟର କିଭଳି ରହିଲା ସେନେଇ ସନ୍ଦେହ କରି ସେ ପୂର୍ବାହ୍ନ ପ୍ରାୟ ସାଢେ ୧୧ଟାରେ ପମ୍ପରେ ପହଞ୍ଚି ପ୍ରଶ୍ନ କରିଥିଲେ। ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହେବାରୁ ପମ୍ପ କର୍ମଚାରୀମାନେ ତାଙ୍କୁ ଧମକାଇଥିଲେ।
ଏନେଇ ଗ୍ରାହକ ଜଣକ ନିଜ ସାଙ୍ଗସାଥୀଙ୍କୁ ଜଣାଇବାରୁ ଗ୍ରାମରୁ ଶତାଧିକ ଯୁବକ ସେଠାରେ ପହଞ୍ଚିଥିଲେ। ରାସ୍ତାରେ ଯାଉଥିବା ଲୋକେ ମଧ୍ୟ ଘଟଣା ସମ୍ପର୍କରେ ଜାଣିବା ପରେ ଉତ୍ତେଜିତ ହୋଇ ହୋ-ହଲ୍ଲା କରିଥିଲେ। ଖବର ପାଇ ଦିଗପହଣ୍ଡି ଥାନା ଏଏସଆଇ ମନୋଜ ସିଂ ଏବଂ ଦିଲ୍ଲୀପ ଗରଡ଼ା ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲେ। ପୋଲିସ ଉପସ୍ଥିତିରେ ପେଟ୍ରୋଲ ପମ୍ପର ମେସିନ୍ ସଠିକତା ଯାଞ୍ଚ ପାଇଁ ଏକ ସ୍ୱଚ୍ଛ ଜାରକୁ ୫ ଲିଟର ପେଟ୍ରୋଲ ବାହାର କରି ମାପ କରାଯିବାରୁ ମେସିନ୍ ଓ ଜାରର ମାପ ଠିକ୍ ବାହାରିଥିଲା। ସେହିପରି ଗ୍ରାହକଙ୍କ ବାଇକ ଟାଙ୍କିରୁ ସମସ୍ତ ପେଟ୍ରୋଲ ବାହାର କରି ପୁଣି ଥରେ ମାପ କରାଯିବାରୁ ତାହା ୧୮ ଲିଟର ହୋଇଥିଲା। ଯାହାଦ୍ୱାରା ପେଟ୍ରୋଲ ପମ୍ପ କର୍ମଚାରୀ କୌଣସି ଠକେଇ କରିନଥିବା ସ୍ପଷ୍ଟ ହୋଇଥିଲା।
ତଥାପି ଗ୍ରାହକ ଏବଂ ଉପସ୍ଥିତ ଯୁବକମାନେ ଏହାକୁ ମାନି ନଥିଲେ ଏବଂ ପୋଲିସ ଅଧିକାରୀଙ୍କ ସହ ଯୁକ୍ତିତର୍କ କରିଥିଲେ। ପରେ ପୋଲିସ ସେମାନଙ୍କୁ ବୁଝାସୁଝା କରି ସେଠାରୁ ଘୋଡ଼ାଇ ଦେଇଥିବା ଜଣାପଡିଛି। ଏନେଇ ସନ୍ଧ୍ୟା ସୁଦ୍ଧା କୌଣସି ପକ୍ଷରୁ ଥାନାରେ ଏତଲା ଦିଆଯାଇ ନାହିଁ। ଏ ସମ୍ପର୍ଣ୍ଣ ଘଟଣା ସମ୍ପର୍କରେ ପୋଲିସ ଅଧିକାରୀ ମନୋଜ ସିଂ କହିଛନ୍ତି ଯେ ବଜାଜ ପଲସର ବାଇକ ମାନୁଏଲ୍ ବହିରେ ତେଲ ଟାଙ୍କି କ୍ଷମତା ୧୫ ଲିଟର ଉଲ୍ଲେଖ ଥିଲେ ମଧ୍ୟ ରିଜର୍ଭରେ ପ୍ରାୟ ଅଧିକା ୩ ଲିଟର ପେଟ୍ରୋଲ ରହିଥାଏ। ତେଣୁ ଗ୍ରାହକ ଜଣକ ପ୍ରକୃତ ତଥ୍ୟ ନଜାଣି ଭ୍ରମରେ ଏଭଳି ଅଭିଯୋଗ କରିଥିଲେ।