ଦିଗପହଣ୍ଡି,୧୧।୮(ଅଶେଷ ନାଥ ମିଶ୍ର): ତାମିଲନାଡ଼ୁରେ ଟ୍ରେନରୁ ଖସି ମୃତ୍ୟୁବରଣ କରିଥିବା ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମର ଦାଦନ ଶ୍ରମିକ ଟୁନା ବେହେରାଙ୍କ ମୃତଦେହ ମଙ୍ଗଳବାର ସନ୍ଧ୍ୟାରେ ଭିଟାମାଟିରେ ପହଞ୍ଚିଛି। ଏହି ଅଘଟଣରେ ଶୋକସନ୍ତପ୍ତ ପରିବାରକୁ ଜିଲା ପ୍ରଶାସନ ପକ୍ଷରୁ ରେଡକ୍ରସ ପାଣ୍ଠିରୁ ୩୦,୦୦୦ ଟଙ୍କାର ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯାଇଛି।
ଗତ ଶନିବାର ଭୋର ପ୍ରାୟ ୫ଟା ସମୟରେ ତାମିଲନାଡ଼ୁର ମାଲେପାଟମ୍ୱକମ୍ ଗାଁ ନିକଟ (କୁଡ଼ାଲୁର୍ ପୋର୍ଟ ଜଙ୍କସନ୍ ରେଲୱେ ଥାନା ଅନ୍ତର୍ଗତ) ଟୁନା ଟ୍ରେନରୁ ଖସି ମୃତ୍ୟୁବରଣ କରିଥିଲେ। ସେଠାକାର ଜିଆରପି ପୋଲିସ ମୃତଦେହ ଜବତ କରି ସରକାରୀ ହସ୍ପିଟାଲରେ ବ୍ୟବଚ୍ଛେଦ କରାଇଥିଲା। ୩୧ ବର୍ଷୀୟ ଟୁନା ଥିଲେ ପରିବାରର ଏକମାତ୍ର ରୋଜଗାରକ୍ଷମ ପୁଅ। ବାହାର ରାଜ୍ୟରେ ଦାଦନ ଶ୍ରମିକ ଭାବେ କାମ କରି ସେ ପରିବାର ପ୍ରତିପୋଷଣ କରୁଥିଲେ। ତାଙ୍କ ପରିବାର ଅତ୍ୟନ୍ତ ଗରିବ ହୋଇଥିବାବେଳେ ନିଜର ଘର ନାହିଁ ଏବଂ ସେମାନେ ଭଡ଼ା ଘରେ ରୁହନ୍ତି।
ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢ଼େ ୬ଟାରେ ତାଙ୍କ ମୃତଦେହ ଭୀଷ୍ମଗିରି ଗ୍ରାମରେ ପହଞ୍ଚିଥିଲା। ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ୍ଙ୍କ ନିର୍ଦ୍ଦେଶକ୍ରମେ ଦିଗପହଣ୍ଡି ତହସିଲଦାର ସନ୍ତୋଷ କୁମାର ସାହୁଙ୍କ ଜରିଆରେ ରାଜସ୍ବ ନିରୀକ୍ଷକ ସୁଶାନ୍ତ ବେହେରା ମୃତକଙ୍କ ବାସଭବନରେ ପହଞ୍ଚି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ମାଆ ଝୁନୁ ବେହେରାଙ୍କୁ ରେଡକ୍ରସ ପାଣ୍ଠିରୁ ୩୦ ହଜାର ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରିଥିଲେ। ଗ୍ରାମର ବହୁ ସଂଖ୍ୟକ ଗଣ୍ୟମାନ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହ ଗଭୀର ଶୋକ ବ୍ୟକ୍ତ କରିଥିଲେ।
ପରେ ଏକ ଶୋଭାଯାତ୍ରାରେ ମରଶରୀରକୁ ଗାଁ ଶ୍ମଶାନକୁ ନିଆଯାଇ ତାଙ୍କର ଅନ୍ତିମ ସଂସ୍କାର ସମ୍ପନ୍ନ କରାଯାଇଛି। ପୂର୍ବତନ ସରପଞ୍ଚ ପିତାମ୍ବର ଗୌଡ଼ ଏବଂ ସମିତି ସଭ୍ୟ ଶିବରାମ ମହାନ୍ତି ପ୍ରମୁଖ ଗୃହହୀନ ମୃତକଙ୍କ ପରିବାରକୁ ଆବାସ ଯୋଜନାରେ ବାସଗୃହ ଯୋଗାଇଦେବା ସହ ସେମାନଙ୍କୁ ଥଇଥାନ ପାଇଁ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନଙ୍କ ନିକଟରେ ଦୃଢ଼ ଦାବି କରିଛନ୍ତି।