ଶଙ୍ଖ ଚିହ୍ନ ପାଇଁ ଭୋଟ କର

ଅନୁଗୋଳ,୧୪।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଏଯାଏ ପ୍ରାର୍ଥୀ ଘୋଷଣା କରିନାହିଁ। ଇତିମଧ୍ୟରେ ଦଳ ୪ର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିସାରିଥିଲେ ମଧ୍ୟ ଅନୁଗୋଳକୁ ଝୁଲାଇ ରଖାଯାଇଛି। ଫଳରେ ଦଳୀୟ ଟିକେଟ୍‌ ପାଇଁ ଲବି ଚଳାଇଥିବା ବିଧାୟକ ରଜନୀକାନ୍ତ ସିଂହ ଓ ଅନ୍ୟ ଆଶାୟୀଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଅନ୍ୟପକ୍ଷରେ ନିର୍ବାଚନମଣ୍ଡଳୀର ବିଜେଡି ସମର୍ଥତ୍ତ ବହୁ ପଞ୍ଚାୟତସ୍ତରୀୟ ନେତା ମେଳି କରି ତୁରନ୍ତ ଅନୁଗୋଳ ପାଇଁ ପ୍ରାର୍ଥୀ ଘୋଷଣା କରିବାକୁ ବାରମ୍ବାର ଦାବି କରୁଥିବାରୁ ଶନିବାର ଏହି ପ୍ରସଙ୍ଗ ନବୀନ ନିବାସରେ ପହଞ୍ଚିଛି। ବିଜେଡି ସମର୍ଥିତ ସମ୍ପୃକ୍ତ ସରପଞ୍ଚମାନଙ୍କୁ ନବୀନ ନିବାସ ଡାକି ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଆଲୋଚନା କରିବା ସହ ଦଳ ଠିକ୍‌ ସମୟରେ ଠିକ୍‌ ନିଷ୍ପତ୍ତି ନେବ ବୋଲି ବୁଝାଇ ଦେଇଛନ୍ତି। ଏଥିସହ ଦଳୀୟ ନିଷ୍ପତ୍ତିକୁ ଗ୍ରହଣ କରି ଶଙ୍ଖ ଚିହ୍ନ ପାଇଁ ଭୋଟ କରିବାକୁ ପରାମର୍ଶ ଦେଇଥିବା ସରପଞ୍ଚମାନେ ପ୍ରକାଶ କରିିଛନ୍ତି।
ସରପଞ୍ଚମାନଙ୍କ କହିବା ଅନୁଯାୟୀ, ଶୁକ୍ରବାର ଶଙ୍ଖ ଭବନରୁ ଅନୁଗୋଳ ବିଧାନସଭା କ୍ଷେତ୍ରର ବିଜେଡି ସମର୍ଥତ୍ତ ସରପଞ୍ଚମାନଙ୍କ ନିକଟକୁ ଫୋନ୍‌ କଲ୍‌ ଆସିଥିଲା। ନିର୍ଦ୍ଦେଶ ଅନୁଯାୟୀ ସମ୍ପୃକ୍ତ ସରପଞ୍ଚମାନଙ୍କ ସହ ସ୍ଥାନୀୟ କେତେଜଣ ନେତା ଶନିବାର ଶଙ୍ଖ ଭବନରେ ପହଞ୍ଚିଥିଲେ। ଏହାପରେ ସେମାନଙ୍କୁ ନବୀନ ନିବାସକୁ ୨ଟି ପର୍ଯ୍ୟାୟରେ ନିଆଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ପାଖାପାଖି ୩୦ ଜଣ ଯାଇଥିବା ବେଳେ ୫-ଟି ଅଧ୍ୟକ୍ଷ ପାଣ୍ଡିଆନ ସେମାନଙ୍କ ସହ ଆଲୋଚନା କରିଥିଲେ। ଦଳ କାହାକୁ ଟିକେଟ୍‌ ଦେବ, ତାହା ଜଣାନାହିଁ। ଦଳ ପ୍ରାର୍ଥୀ ଚୂଡ଼ାନ୍ତ କଲେ ତାଙ୍କ ପାଇଁ କାର୍ଯ୍ୟ କରିବାକୁ ପାଣ୍ଡିଆନ ପରାମର୍ଶ ଦେଇଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ମଧ୍ୟ ଯାଇଥିବା ପଞ୍ଚାୟତସ୍ତରୀୟ ଜନ ପ୍ରତିନିଧିଙ୍କ ସହ ପାଣ୍ଡିଆନ ଆଲୋଚନା କରିଥିଲେ। ସେମାନଙ୍କୁ ବି ସମାନ କଥା କୁହାଯାଇଥିଲା। ଅନୁଗୋଳ ପାଇଁ ଥିବା ୩ ଜଣ ଆଶାୟୀ ନେତାଙ୍କ ମଧ୍ୟରୁ ଜଣଙ୍କୁ ଦଳ ପକ୍ଷରୁ ଟିକେଟ୍‌ ଦିଆଯିବ ବୋଲି କୁହାଯାଇଥିଲା। କିନ୍ତୁ କେଉଁମାନେ ଆଶାୟୀ ରହିଛନ୍ତି, ସେମାନଙ୍କ ନାମ ଗୋପନ ରଖାଯାଇଥିଲା। ନବୀନ ନିବାସରେ ଆଲୋଚନା କରି ଫେରିଥିବା ସରପଞ୍ଚମାନେ ଏହି ସୂଚନା ଦେଇଥିଲେ ହେଁ ଅନୁଗୋଳର ପ୍ରାର୍ଥୀଙ୍କୁ ନେଇ ସେମାନେ ଏଯାଏ ଅନ୍ଧାରରେ ଥିବା ପ୍ରକାଶ କରିଛନ୍ତି।