୨୦ ବର୍ଷ ପରେ ଭୋଟ

ଲାଞ୍ଜିଗଡ଼,୨୩।୨(ଡି.ଏନ.ଏ.): ଦୀର୍ଘ ୨୦ ବର୍ଷ ପରେ କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ନିୟମଗିରି ପାହାଡ଼ ପାଦଦେଶରେ ଥିବା ତ୍ରିଲୋଚନପୁର ପଞ୍ଚାୟତରେ ମଙ୍ଗଳବାର ଚଳିତବର୍ଷ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏଥିଲାଗି ସକାଳୁ ଧାଡିବାନ୍ଧି ଡଙ୍ଗରିଆ ଝରଣିଆ ଯୁବଭୋଟରମାନେ ପାରମ୍ପରିକ ବେଶଭୂଷାରେ ସୁସଜ୍ଜିତ ହୋଇ ଭୋଟ କେନ୍ଦ୍ରକୁ ଆସିଥିଲେ। ସୂଚନାଯୋଗ୍ୟ, ପୂର୍ବରୁ ମାଓବାଦୀଗଡ଼ ବୋଲି କୁହାଯାଉଥିବା ତ୍ରିଲୋଚନପୁର ପଞ୍ଚାୟତରେ ଇଲେକ୍ସନ ନୁହଁ କେବଳ ସିଲେକ୍ସନ ଚାଲୁଥିଲା। ୨୦୦୨ ମସିହାରୁ ଏଠାରେ ନିର୍ବାଚନ ହୋଇପାରୁ ନ ଥିଲା। କିନ୍ତୁ ବାରମ୍ବାର ପ୍ରଶାସନ ପକ୍ଷରୁ ଲୋକଙ୍କୁ ସଚେତନତା ଓ ଅପହଞ୍ଚ ଇଲାକାରେ ଥିବା ଗାଁଗୁଡିକରେ ରାସ୍ତାଘାଟ, ଶିକ୍ଷା, ପାନୀୟଜଳ ଆଦି ବ୍ୟବସ୍ଥା କରାଯାଇଛି। ତେଣୁ ଏଥର ବାଲଟ ପେପରରେ ମୋହର ମାରି ନିଜ ଅଧିକାର ସାବ୍ୟସ୍ତ କରିଛନ୍ତି ନିୟମଗିରି ଅଞ୍ଚଳବାସୀ। ତ୍ରିଲୋଚନପୁର ପଞ୍ଚାୟତରେ ୧୧ଟି ଅତି ସମ୍ବେଦନଶୀଳ ବୁଥ ଚିହ୍ନଟ କରାଯାଇଥିଲା। ଏଠାରେ ମୋଟ ୧୦୮୦ ଭୋଟର ମଧ୍ୟରୁ ୯୮୨ଜଣ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି। ତେବେ ଅମଠାପଦର ୧ ନମ୍ବର ବୁଥରେ ନିର୍ଦ୍ଧାରିତ ସମୟ ପୂର୍ବରୁ ପୋଲିଂ ପାର୍ଟି ବୁଥ୍‌ ବନ୍ଦ କରି ଚାଲିଯାଇଥିବା ଭୋଟରମାନେ ଅଭିଯୋଗ କରିଛନ୍ତି। ତ୍ରିଲୋଚନପୁର ପଞ୍ଚାୟତରେ ୯୦ ପ୍ରତିଶତ ଭୋଟ ହୋଇଥିବା ନିର୍ବାଚନ ଅଧିକାରୀ ପ୍ରକାଶ କରିଛନ୍ତି। ଦୀର୍ଘ ୨୦ ବର୍ଷରେ ଯାହା ହୋଇ ନ ଥିଲା, ତାହା ଏବେ ସଫଳ କରି ଦେଖାଇ ଦେଇଛନ୍ତି ବୋଲି ଉପଜିଲାପାଳ ବିଶ୍ୱଜିତ ଦାସ କହିଛନ୍ତି।