ଭୋରା ସାଗରର ମା’

ଶୈଳେନ୍ଦ୍ର ଦ୍ୱିବେଦୀ

ପାଠକେ, ୨୪ ମାର୍ଚ୍ଚ ୨୦୨୦ ରାତି ୮ ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୂରଦର୍ଶନରେ ଘୋଷଣା କରିଥିଲେ, କରୋନା ସଂକ୍ରମଣକୁ ରୋକିବା ଉଦ୍ଦେଶ୍ୟରେ ମଧ୍ୟରାତ୍ରିଠାରୁ (ମାର୍ଚ୍ଚ ୨୪) ସାରା ଦେଶରେ ଲକ୍‌ଡାଉନ ଜାରି ହେବ l ଦୋକାନ ବଜାର ଓ ଗାଡ଼ିମୋଟର ଚଳାଚଳ ବନ୍ଦ ରହିବ, ଜରୁରୀ ସେବାକୁ ବାଦ୍‌ ଦେଇ l ମୋଦି କହିଥିଲେ, କେବଳ ପ୍ରଧାନମନ୍ତ୍ରୀ ଭାବରେ ନୁହେଁ, ୧.୩୮ ବିଲିୟନ ଦେଶବାସୀଙ୍କ ପରିବାରର ଜଣେ ବରିଷ୍ଠ ସଦସ୍ୟ ହିସାବରେ ସେ ଏଇ ନିଷ୍ପତ୍ତି ନେଇଛନ୍ତି l ଭାରତରେ ଏଇ ଘୋଷଣାର ୨୪ ଘଣ୍ଟା ନ ପୂରୁଣୁ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା l ମୁଣ୍ଡରେ ଗଣ୍ଠିଲି ବୋହି, କାଖରେ ଛୋଟ ପିଲାଙ୍କୁ କାଖେଇ ଲକ୍ଷ ଲକ୍ଷ ଦାଦନ ଶ୍ରମିକ ନିଜ ଘରମୁହଁI ହେଲେ l ଖ୍ୟାତନାମା ଔପନ୍ୟାସିକା ଏବଂ ସାମାଜିକ କର୍ମୀ ଅରୁନ୍ଧତୀ ରାୟ ସେତେବେଳେ ଲେଖିଥିଲେ, ରାସ୍ତାରେ ଲକ୍ଷ ଲକ୍ଷ ବୁଭୁକ୍ଷୁଙ୍କ ପଟୁଆର ଆମକୁ ମନେପକାଇ ଦେଉଥିଲା ଭାରତ ପାକିସ୍ତାନ ବିଭାଜନ ସମୟର ଦୃଶ୍ୟ l ସାରା ବିଶ୍ୱ ନୁହେଁ, ଖୋଦ୍‌ ଆମ ସରକାର ଆଶ୍ଚର୍ଯ୍ୟ ହେଲେ ଯେ ଏକବିଂଶ ଶତାବ୍ଦୀର ଏକ ଅଗ୍ରଣୀ ଅର୍ଥନୀତିରେ ପ୍ରକୃତ ସ୍ଥିତି ଏମିତି ହୃଦୟ ବିଦାରକ ହୋଇପାରେ ! ନା ସ୍ଥିରତା ଏଠି ନିଯୁକ୍ତିର, ନା ରୋଜଗାରର, ନା ଦୁଇବେଳା ଦାନାର l ସ୍ଥିରତା ଥିଲା ତ କେବଳ ଅନିଶ୍ଚିତତାର l
କେଇଦିନ ତଳେ ପଦ୍ମପୁର ଉପନିର୍ବାଚନ ବେଳେ ହଠାତ୍‌ ମନେହେଇଥିଲା ଅର୍ଥନୀତି , ରାଜନୀତି ଓ ସମାଜ ନୀତିର ସବୁ ପରୀକ୍ଷା ନିରୀକ୍ଷା ପଦ୍ମପୁର ମୁହାଁ ହୋଇଛି l ଆଉ ସେତିକିବେଳେ ଗଣମାଧ୍ୟମ ସୌଜନ୍ୟରୁ ପଦ୍ମପୁର ଦାଦନ ସମସ୍ୟା ଉପରେ କିଛି ସମୟ ପାଇଁ ଆଲୋଚନା ଉଷ୍ମ ହୋଇଥିଲା l ଜଣେ ସାମ୍ବାଦିକ ପାଇକମାଳଠୁ କିଛି ଦୂରରେ ଗୋଟିଏ ଗାଁରେ ଆବିଷ୍କାର କରିଥିଲେ ଏକ ଝାଟିମାଟି ଘରର ବାରଣ୍ଡାରେ ବସିଥିବା ଜଣେ ବୃଦ୍ଧାଙ୍କୁ। ଭୋରା ସାଗରର ମା’। ବୃଦ୍ଧା କହିଲେ, ସ୍ବାମୀ କେଇବର୍ଷ ହେବ ଆଖି ବୁଜିଦେଇଛନ୍ତି। ପୁଅ ବୋହୂ ଦାଦନ ଖଟିବାକୁ ବାହାରକୁ ଯାଇଛନ୍ତି l ସେମାନଙ୍କ ସାଙ୍ଗରେ ବର୍ଷକର ନାତି l ୨/୩ ମାସରେ ୪୦୦/ ୫୦୦ ଟଙ୍କା ପଠାନ୍ତି। ଏଣେ ନିର୍ବାଚନ ପ୍ରଚାରରେ ମସ୍‌ଗୁଲ ତୁଙ୍ଗନେତାମାନେ ଦାଦନ ସମସ୍ୟାକୁ ନେଇ ପରସ୍ପର ଉପରେ କାଦୁଅ ଫିଙ୍ଗିବାରେ ବ୍ୟସ୍ତ ଥିଲେ। ପରିସ୍ଥିତିକୁ ସାମାନ୍ୟ ସମ୍ବେଦନଶୀଳ କରି ବରତୁଣ୍ଡା ଗ୍ରାମପଞ୍ଚାୟତର ଜଣେ ମହିଳା ସେଇ ସମୟରେ କହିଲେ ଯେ ୧୦ ବର୍ଷ ହେବ ସେ ବିବାହ ତ କରିଛନ୍ତି, କିନ୍ତୁ ତାଙ୍କ ସ୍ବାମୀ ରାଜମୋହନ ଅଧିକାଂଶ ସମୟ ଦାଦନ ଖଟିବା ପାଇଁ ରାଜ୍ୟ ବାହାରେ।
ଆଉ ଦାମ୍ପତ୍ୟ ଜୀବନ କ’ଣ!
ରାଜ୍ୟରେ ଅନ୍ତତଃ ୧୧ଟି ଜିଲା ଦାଦନ ପ୍ରବଣ : ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି, ସୋନପୁର , ବରଗଡ଼, କୋରାପୁଟ, ଗଜପତି, ମାଲକାନଗିରି, ଗଞ୍ଜାମ, ରାୟଗଡ଼ା ଓ ନବରଙ୍ଗପୁର l କିଛି ଜିଲା ପାଇଁ ସରକାର ପାଇଲଟ ପ୍ରୋଜେକ୍ଟ ହାତକୁ ନେଇଛନ୍ତି l ଏମ୍‌ଜିଏନ୍‌ଆର୍‌ଜିଏ ସମେତ ଅନ୍ୟାନ୍ୟ ଯୋଜନାରେ ଜୀବିକା ପାଇଁ ବ୍ୟବସ୍ଥା ହୋଇଛି l ତଥାପି ସମସ୍ୟାର ସମାଧାନ ନାହିଁ l ଏକ ସର୍ଭେ ଅନୁସାରେ ଜିଲାଗୁଡ଼ିକରୁ ୧୮ରୁ ୩୧ ପ୍ରତିଶତ ପରିବାରରୁ ଅନ୍ତତଃ ଜଣେ ଦାଦନ ଖଟିବାକୁ ବାହାରକୁ ଯାଆନ୍ତି। ଏହା ସାମୟିକ ନିଯୁକ୍ତି, ତେବେ ଇଟାଭାଟି ହେଉ ବା ନିର୍ମାଣ କାର୍ଯ୍ୟ, ପ୍ରବାସରେ ଖଟିବା ୬ ମାସରୁ କମ୍‌ ନୁହେଁ l ଆମ ରାଜ୍ୟରେ ଅବିକଳ ଦାଦନ ଶ୍ରମିକଙ୍କ ସଂଖ୍ୟା କେତେ ସେଇ ତଥ୍ୟ ସରକାରଙ୍କ ପାଖରେ ନାହିଁ l ପ୍ରବାସୀ ଶ୍ରମିକଙ୍କ ସୁରକ୍ଷା ନେଇ ସରକାର ଅନ୍ୟ ରାଜ୍ୟଗୁଡ଼ିକ ସହିତ ରାଜିନାମା କରିଛନ୍ତି, ତେବେ ଏହା ସମସ୍ୟାର ସମାଧାନ ନୁହେଁ l ଏକାଧିକ ଅଧ୍ୟୟନ ସୂଚେଇ ସାରିଛି ଯେ ଓଡ଼ିଶା ବାଦ୍‌ ଉତ୍ତରପ୍ରଦେଶ, ବିହାର, ପଶ୍ଚିମବଙ୍ଗରେ ଦାଦନ ସମସ୍ୟା ଗମ୍ଭୀର। ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଝାଡ଼ଖଣ୍ଡରୁ ପ୍ରବାସକୁ ଯାଉଥିବା ଶ୍ରମିକଙ୍କ ସଂଖ୍ୟା ମଧ୍ୟ କମ୍‌ ନୁହେଁ। ବିଭିନ୍ନ ରାଜ୍ୟରେ କରୋନା ସମୟରେ ଦାଦନ ଶ୍ରମିକମାନଙ୍କୁ ବିକଳ୍ପ ଜୀବିକା ଯୋଗାଇଦେବା ପାଇଁ ଉଦ୍ୟମ ତ ହୋଇଥିଲା, ତେବେ ପରିଣତି ଉତ୍ସାହଜନକ ନ ଥିଲା l
ଯେତେବେଳେ ଭାରତ ସରକାରଙ୍କ ନିଦ ଭାଙ୍ଗିଲା ଯେ, ଅସଂଗଠିତ/ ଅନିୟମିତ କ୍ଷେତ୍ରରେ କାମ କରୁଥିବା ଶ୍ରମିକମାନଙ୍କ ତଥ୍ୟ କୌଣସି ବିଭାଗରେ ନାହିଁ, ସ୍ଥିର ହେଲା ଯେ ଦାଦନ ଶ୍ରମିକଙ୍କର ସର୍ବଭାରତୀୟ ସର୍ଭେ କରାଯିବ। ଦାୟିତ୍ୱ ଅର୍ପଣ ହେଲା ଲେବର ବ୍ୟୁରୋକୁ l ପ୍ରବନ୍ଧ ଲେଖିଲା ବେଳକୁ ଯାହା ଖବର, ସର୍ଭେ ସରିନାହିଁ l କିନ୍ତୁ କେନ୍ଦ୍ର ସରକାର ପ୍ରେସ୍‌ ବିଜ୍ଞପ୍ତିରେ ଦର୍ଶାଇଛନ୍ତି, କରୋନା ପ୍ରକରଣରେ ୪୩୭୮.୪୪ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରବାସୀ ଶ୍ରମିକମାନଙ୍କୁ ଦିଆଯାଇଛି, ସେମାନଙ୍କ ଇପିଏଫ୍‌ ଆକାଉଣ୍ଟ ମାଧ୍ୟମରେ।
ଏହାବାଦ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଏବଂ ଅନ୍ୟାନ୍ୟ ଯୋଜନାରେ ସେମାନଙ୍କୁ ସହାୟତା ମିଳିଛି l ପାଠକେ, ପଶ୍ଚିମ ଓଡ଼ିଶାର ୭ଟି ଜିଲା (ବରଗଡ଼, ସମ୍ବଲପୁର, ବଲାଙ୍ଗୀର, ଝାରସୁଗୁଡ଼ା, ସୁନ୍ଦରଗଡ଼, ସୋନପୁର ଏବଂ ଦେବଗଡ଼) ରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ତରଫରୁ କରାଯାଇଥିବା ଏକ ଅଧ୍ୟୟନ ଗତବର୍ଷ ଇଙ୍ଗିତ କରିଛି ଯେ ସର୍ଭେଭୁକ୍ତ ୧୯.୮ ପ୍ରତିଶତ ପ୍ରବାସୀ ପରିବାରଙ୍କ ମାସିକ ଆୟ ୧୦,୦୦୦ ଟଙ୍କା ହୋଇଥିବା ବେଳେ ୫୮.୬ ପ୍ରତିଶତ ପ୍ରବାସୀ ରୋଜଗାର କରନ୍ତି ମାସକୁ ୧୦,୦୦୦ ରୁ ୧୫,୦୦୦ ଟଙ୍କା। ୪୧ ପ୍ରତିଶତ ସର୍ଭେଭୁକ୍ତ ପରିବାରଙ୍କ ମତ, ସେମାନଙ୍କ ସ୍ଥିତିରେ ଖାସ୍‌ କିଛି ଉନ୍ନତି ନାହିଁ। ‘ମାଇଗ୍ରେସନ ଇନ୍‌ ଇଣ୍ଡିଆ ୨୦୨୦-୨୧’ ରିପୋର୍ଟ ମୁତାବକ ୫୧.୬ ପ୍ରତିଶତ ଗ୍ରାମାଞ୍ଚଳ ବାସିନ୍ଦା ରୋଜଗାର ପାଇଁ ଗାଁ ଛାଡ଼ିଥିଲେ। ୨୦୧୧ ଜନଗଣନା ତଥ୍ୟ ଅନୁସାରେ ପ୍ରାୟ ୪୫.୬ କୋଟି ଥିଲେ ଦାଦନ / ପ୍ରବାସୀ ଶ୍ରମିକ। ତେବେ ଏହା ନିର୍ଭରଯୋଗ୍ୟ ବିଶ୍ଳେଷଣ ନୁହେଁ, କାରଣ ୪୫.୬ କୋଟି ଶ୍ରମିକ ଜୀବିକା ପାଇଁ ଗ୍ରାମାଞ୍ଚଳରୁ ବାହାରକୁ ତ ଆସୁଥିଲେ, ତେବେ ସେମାନେ ରାଜ୍ୟ ବାହାରକୁ ଯାଉଥିଲେ ନା ନାହିଁ, ଦେଶ ବାହାରକୁ କେତେ ଯାଇଥିଲେ ସେ ବାବଦରେ ତଥ୍ୟ ନାହିଁ। ଅନ୍ୟାନ୍ୟ ସୂତ୍ର ମୁତାବକ ଭାରତରେ ଦାଦନ ଶ୍ରମିକ ସଂଖ୍ୟା ୭୦ ରୁ ୧୯୫ ନିୟୁତ। ତଥ୍ୟ ଅନୁସାରେ (ସରକାରୀ ନୁହେଁ) ଓଡ଼ିଶାରେ ପ୍ରବାସୀ ଶ୍ରମିକଙ୍କ ସଂଖ୍ୟା ୨.୫ ନିୟୁତରୁ କମ୍‌ ନୁହେଁ l ୨୦୨୦ ରେ ‘ସେଣ୍ଟର ଫର୍‌ ମନିଟରିଂ ଇଣ୍ଡିଆନ ଇକୋନୋମି’(CMIE) ବିଶ୍ଳେଷଣ ଅନୁସାରେ ଓଡ଼ିଶାରେ ବେରୋଜଗାରୀ ହାର ଥିଲା ୨୩.୮ ପ୍ରତିଶତ l ଭୋରା ସାଗରର ମା’ ପୁଅ ବୋହୂଙ୍କ ଅପେକ୍ଷାରେ ଅଛି l ଆଖିରେ ଉଦ୍ଦୀପନା ନାହିଁ। ଆଶା ନାହିଁ l ସବୁ ଦେହସୁହା ହୋଇଗଲାଣି l ଆଖି ବୁଜିବା ଯାହା ବାକି ଅଛି !
ମୋ:୯୪୩୭୧୩୭୦୬୦
sailendradwivedi@gmail.com


Enter your email to get our daily news in your inbox.

All Right Reserved By Dharitri.Com

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

ଏକତରଫା ମୂଲଚାଲ

ଦୁଇଦଶନ୍ଧିରୁ ଅଧିକ ସମୟ ଧରି ଭାରତକୁ ଏକ ନିରପେକ୍ଷ ଭାଗୀଦାରି ଭାବେ ଆମେରିକା ବିବେଚନା କରିଆସିଛି। ଭାରତର ବିକାଶଶୀଳ ଶକ୍ତି, ଦକ୍ଷତାସମ୍ପନ୍ନ ମିଲିଟାରି ଏବଂ ଗଣତାନ୍ତ୍ରିକ ପରିଚୟ…

ଚଉପାଢ଼ିର ନୀରବତା

ଧୁନିକତା, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ସୁବର୍ଣ୍ଣ ଯୁଗ ଭାବରେ ଅଭିହିତ ଏକବିଂଶ ଶତାବ୍ଦୀରେ ମୋବାଇଲ, ଇଣ୍ଟରନେଟ, ସାମାଜିକ ଗଣମାଧ୍ୟମ, କୃତ୍ରିମ ବୁଦ୍ଧିମତ୍ତା ଆଦି ମାଧ୍ୟମରେ ସମଗ୍ର ବିଶ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri