ଭୋଗରା ଜମି ଜବରଦଖଲ ଅଭିଯୋଗ: ତହସିଲଦାରଙ୍କଠାରେ ବଡ଼ପୋଡ଼ାଗୁଡ଼ାବାସୀ ଫେରାଦ

କୋକସରା,୧୭।୮(ଡି.ଏନ.ଏ.):କଳାହାଣ୍ଡି ଜିଲା କୋକସରା ବ୍ଲକ ବଡ଼ପୋଡ଼ାଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଭାଳିଆଯୋର ଗ୍ରାମର ଦେବଦେବୀଙ୍କ ପୂଜା ପାଇଁ ରହିଥିବା ୧୭ ଏକର ୫୨ ଡେସିମିଲ ସରକାରୀ ଭୋଗରା ଜମିକୁ କେତେଜଣ ବ୍ୟକ୍ତି ବଳପୂର୍ବକ ଜବରଦଖଲ କରିଥିବା ଅଭିଯୋଗ ହୋଇଛି। ଏହାକୁ ବିରୋଧ କରି ବଡ଼ପୋଡ଼ାଗୁଡ଼ା ପଞ୍ଚାୟତ ଭାଳିଆଯୋର, ଦାବ୍ରିଗୁଡା, ତଲାଗାଁ, ସର୍ଗିଗୁଡା, ରଏନଗୁଡା, ବାବେକୋହରା, ତେଲିଗୁଡା ଗ୍ରାମର ବଳଭଦ୍ର ପୂଝାରୀ, ରାମକୃଷ୍ଣ ମାଝି, ପୋ ସରପଞ୍ଚ ପ୍ରତିନିଧି ଧର୍ମାନନ୍ଦ ନାଏକ, ବିରେନ ନାଏକ, ପ୍ରଫୁଲ୍ଲ ନାଏକ, ପରକ୍ଷିତ ବେଶ୍ରା, ହରିଶ୍ଚନ୍ଦ୍ର ନାଏକ, ଚତୁର ପୂଝାରୀ, ଦାମୁ ପୂଝାରୀ, ଭଜମନ ନାଏକ, ଗୋବର୍ଦ୍ଧନ ପୂଝାରୀଙ୍କ ସମେତ ୮ଖଣ୍ଡ ଗ୍ରାମବାସୀ ବୁଧବାର ସ୍ଥାନୀୟ ତହସିଲଦାରଙ୍କଠାରେ ଫେରଦ ହୋଇ ଜବରଦଖଲକାରୀଙ୍କଠାରୁ ଜମିମୁକ୍ତ କରି ଡିଗ୍ରୀ ପାଇଥିବା କାଶୀନାଥ ଧଙ୍ଗଡାମାଝିଙ୍କୁ ହସ୍ତାନ୍ତର କରିବାକୁ ଦାବି କରିଛନ୍ତି। ସୂଚନା ଯେ, ଭାଳିଆଯୋର ଗ୍ରାମର ଦେବଦେବୀଙ୍କ ପୂଜା ପାଇଁ ରହିଥିବା ୧୭ ଏକର ୫୨ ଡେସିମିଲ ସରକାରୀ ଭୋଗରା ଜମିକୁ ଗ୍ରାମର ଝାଙ୍କର କାଶିନାଥ ଧଙ୍ଗଡା ମାଝି ପୁରୁଷାନୁକ୍ରମେ ଦଖଲ କରି ଆସୁଛନ୍ତି। ଅଞ୍ଚଳରେ ଦେବଦେବୀଙ୍କ ସେ ପୂଜାର୍ଚ୍ଚନା କରି ଆସୁଛନ୍ତି। ଏହି ସରକାରୀ ଭୋଗରା ଜମି ଦଖଲ ପାଇଁ ସିଭିଲ ଜଜ୍‌ ୩୧/୦୧/୨୦୧୩ରେ କାଶିନାଥ ଧଙ୍ଗଡା ମାଝିଙ୍କୁ ଡିଗ୍ରୀ ପ୍ରଦାନ କରିଛନ୍ତି। ଏ ନେଇ ପୂର୍ବରୁ ଏକ ଚୁକ୍ତିନାମା ୫।୪।୨୦୧୦ରେ କୋକସରା ଥାନାରେ ମଧ୍ୟ ହୋଇଛି। କିନ୍ତୁ ଗ୍ରାମର କେତେଜଣ ବ୍ୟକ୍ତିମାନେ ବିଭିନ୍ନ ସମୟରେ ବିଶୃଙ୍ଖଳା କରି କୋର୍ଟ ନିର୍ଦ୍ଦେଶ ଓ ଥାନା ରାଜିନାମାକୁ ବେଖାତିର କରି ଏକ ଗୋଷ୍ଠି ବଳପୂର୍ବକ ଦଖଲ କରିଛନ୍ତି। ଏ ନେଇ କୋକସରା ତହସିଲଦାର ରାକେଶ ପରୁଆଙ୍କ ପ୍ରତିକ୍ରିୟା ନେବାରୁ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।