ସମ୍ପ୍ରଦାୟ ଊର୍ଦ୍ଧ୍ୱରେ ବିବେକାନନ୍ଦ

ଡ. ଛାୟାକାନ୍ତ ଷଡ଼ଙ୍ଗୀ

ସ୍ବାମୀ ବିବେକାନନ୍ଦ ଆମେରିକାର ଚିକାଗୋରେ ଅନୁଷ୍ଠିତ ବିଶ୍ୱଧର୍ମ ସମ୍ମିଳନୀରେ ଯେଉଁ ବାର୍ତ୍ତା ଦେଇଥିଲେ ତାହା ଥିଲା ଅଦ୍ୱୈତବାଦ। ବେଦ, ବେଦାନ୍ତ, ଉପନିଷଦ ଆଦିରୁ ଅନେକ ଉଦ୍ଧୃତି ଦେଇ ସେ କହିଥିଲେ ଯେ ଆମତ୍ା ଓ ପରମାମତ୍ା ଏକ ଓ ଅଭିନ୍ନ। ଆମେ ସମସ୍ତେ ଅମୃତର ସନ୍ତାନ। ପରମେଶ୍ୱର ଏକ। ତାଙ୍କୁ ପଣ୍ଡିତମାନେ ବିଭିନ୍ନ ନାମରେ ନାମିତ କରିଥାନ୍ତି। ସେ ”ଶିବ ମହିମ୍ନ ସ୍ତ୍ରୋତ୍ରଂମ୍‌ରୁ ଉଦ୍ଧୃତ କରି କହିଲେ ”ରୁଚୀନାଂ ବୈଚିତ୍ର଼୍ୟାଦୃଜୁକୁଟିଳ ନାନାପଥଯୂଷାମ୍‌/ ନୃଣାମେକୋ ଗମ୍ୟସ୍ତ୍ୟମସି ପୟସାମର୍ଣ୍ଣବଇବ।“ ଅର୍ଥାତ୍‌ ରୁଚି ଅନୁସାରେ ଜଣେ ସରଳ କୁଟିଳ ଯେଭଳି ପଥରେ ଗଲେ ମଧ୍ୟ ସେହି ଏକ ପରମେଶ୍ୱରଙ୍କ ପାଖରେ ପହଞ୍ଚେ ଠିକ୍‌ ଯେପରି ନଦୀମାନେ ଯେତେ କୁଟିଳ ପଥରେ ପ୍ରବହମାନ ହେଲେ ମଧ୍ୟ ଶେଷରେ ସେହି ଏକ ସମୁଦ୍ରରେ ମିଶନ୍ତି। ଏଣୁ ”ଜଣେ ଖ୍ରୀଷ୍ଟିଆନ୍‌କୁ ହିନ୍ଦୁ ବା ବୌଦ୍ଧ ହେବାର ଆବଶ୍ୟକତା ନାହିଁ। ଜଣେ ହିନ୍ଦୁ ବା ବୌଦ୍ଧକୁ ଖ୍ରୀଷ୍ଟିଆନ୍‌ ହେବାର ଯଥାର୍ଥତା ନାହିଁ। କିନ୍ତୁ ପ୍ରତ୍ୟେକ ବ୍ୟକ୍ତି ଯେଉଁ ଧର୍ମରେ ଦୀକ୍ଷିତ ହେଉ ପଛେ ଅନ୍ୟଧର୍ମ ପ୍ରତି ବିଦ୍ୱେଷ ଭାବ ପ୍ରକଟ ନ କରି ନିଜ ଧର୍ମ ଅନୁଯାୟୀ ଜୀବନ ଧାରଣ କରୁ। ଆଗାମୀ ଦିନରେ ସବୁଧର୍ମର ବିଜୟ ପତାକା ଉପରେ ସମସ୍ତ ପ୍ରତିବନ୍ଧ ସତ୍ତ୍ୱେ ଲିଖିତ ହେଉ ସହାୟତା-ସଂଘର୍ଷ ନୁହେଁ, ଗ୍ରହଣଶୀଳତା-ଧ୍ୱଂସ ନୁହେଁ, ସମନ୍ବୟ ଓ ଶାନ୍ତି- କଳହ ନୁହେଁ।“ ପୁଣି ସେ କହିଲେ ”ପ୍ରସାରଣ ହିଁ ଜୀବନ, ସଂକୋଚନ ହିଁ ମୃତ୍ୟୁ। ପ୍ରେମ ହିଁ ଜୀବନ, ଘୃଣା ହିଁ ମୃତ୍ୟୁ।“ ବିବେକାନନ୍ଦଙ୍କ ଏହି ବାଣୀ କେବଳ ଖ୍ରୀଷ୍ଟିଆନ୍‌ ନୁହେଁ, ମୁସଲମାନମାନଙ୍କ ଉପରେ ମଧ୍ୟ ଗଭୀର ପ୍ରଭାବ ପକାଇଥିଲା ଓ କିଛି ମୁସଲମାନ ତାଙ୍କର ଅନୁଗାମୀ ହୋଇଥିଲେ।
ସ୍ବାମିଜୀଙ୍କ ପରିବ୍ରାଜକ ଜୀବନର କଥା। ୧୮୯୧ ଫେବୃୟାରୀ ପ୍ରାରମ୍ଭରେ ସେ ଅଲୱାରରେ ପହଞ୍ଚତ୍ଲେ। ତାଙ୍କର ପ୍ରଥମ ସାକ୍ଷାତ ହେଲା ଜଣେ ଅପରିଚିତ ଡାକ୍ତର ଗୁରଚରଣ ଲାସ୍କାରଙ୍କ ସହିତ। ସେ ସ୍ବାମିଜୀଙ୍କ ତେଜସ୍ବୀ ରୂପ ଓ ଶାଳୀନତାରେ ମୋହିତ ହୋଇ ସେଠି କିଛିଦିନ ରହିବା ପାଇଁ ଗୋଟିଏ ଗୃହର ବ୍ୟବସ୍ଥା କରିଦେଲେ। ସେହି ସମୟରେ ହାଇସ୍କୁଲର ଜଣେ ଉର୍ଦ୍ଦୁ ଓ ପାର୍ଶୀ ଭାଷାରେ ଦକ୍ଷ ଶିକ୍ଷକ ମୌଲବୀ ସାହେବ ସ୍ବାମିଜୀଙ୍କ ସହ କଥୋପକଥନ କରୁକରୁ ମୁଗ୍ଧ ହେଲେ। ହିନ୍ଦୁ ଓ ଖ୍ରୀଷ୍ଟିଆନ୍‌ମାନଙ୍କ ସହ ମୁସଲମାନମାନେ ମଧ୍ୟ ସେଠାରେ ତାଙ୍କ ପ୍ରବଚନ ଶୁଣିବା ପାଇଁ ରୁଣ୍ଡ ହେଲେ। ତାଙ୍କ ପ୍ରବଚନରେ ବେଦ ଉପନିଷଦ ସହ ବାଇବେଲ ଓ କୋରାନ୍‌ର ବାଣୀ ମଧ୍ୟ ସ୍ଥାନ ପାଉଥିଲା। ମୌଲବୀ ସାହେବ ତାଙ୍କ ପ୍ରବଚନରେ ଏତେ ମୁଗ୍ଧ ହେଲେ ଯେ ସ୍ବାମିଜୀଙ୍କୁ ନିଜ ଘରକୁ ଆମନ୍ତ୍ରଣ କରି ଖୁଆଇବା ପାଇଁ ତାଙ୍କର ଇଚ୍ଛା ହେଲା। ମାତ୍ର ସେ ରହୁଥିଲେ ଜଣେ ପଣ୍ଡିତଙ୍କ ଘରେ। ଏଣୁ ସେ ଆଶଙ୍କା କଲେ ସେ ମୁସଲମାନ ହୋଇଥିବାରୁ ହୁଏତ ସେହି ନୈଷ୍ଠିକ ପଣ୍ଡିତ ଆପତ୍ତି କରିପାରନ୍ତି। ଏଣୁ ଦିନେ ସନ୍ଧ୍ୟାରେ ସେ ପଣ୍ଡିତଙ୍କ ପାଖରେ ପହଞ୍ଚତ୍ କହିଲେ, ”ମହାଶୟ, ସ୍ବାମିଜୀଙ୍କୁ ମୁଁ ମୋ ଘରେ ଖୁଆଇବା ପାଇଁ ଚାହୁଁଛି। ଜଣେ ବ୍ରାହ୍ମଣ ପୂଝାରୀ ଦ୍ୱାରା ମୁଁ ଖାଦ୍ୟ ରନ୍ଧାଇବି। ଯେଉଁ ବାସନ କୁଶନରେ ଖାଦ୍ୟ ପରିବେଷିତ ହେବ ତାହା ମଧ୍ୟ ବ୍ରାହ୍ମଣ ଘରୁ ଆଣିବି। ଆପଣ ଦୟାକରି ମୋତେ ଏଥିପାଇଁ ଅନୁମତି ଦିଅନ୍ତୁ।“ ମୌଲବୀ ସାହେବଙ୍କ ଆନ୍ତରିକତା ଓ ନମ୍ରତାରେ ପଣ୍ଡିତ ମୁଗ୍ଧ ହୋଇ ତାଙ୍କୁ ଅନୁମତି ଦେଇଥିଲେ। ମୌଲବୀ ସାହେବ ସ୍ବାମିଜୀଙ୍କୁ ଆମନ୍ତ୍ରଣ କରି ନିଜ ଘରେ ତାଙ୍କୁ ମହାନନ୍ଦରେ ଖୁଆଇଲେ। ପରବର୍ତ୍ତୀ ସମୟରେ ବହୁ ମୁସଲମାନଙ୍କ ଘରେ ସ୍ବାମିଜୀ ଭୋଜନ କରିଥିଲେ।
ପାଶ୍ଚାତ୍ୟରୁ ଫେରିବାପରେ ଥରେ ନୈନିତାଲରେ ସ୍ବାମିଜୀଙ୍କ ଖେତଡ଼ି ମହାରାଜଙ୍କ ସହ ସାକ୍ଷାତ ହେଲା। ସ୍ବାମିଜୀ ତାଙ୍କ ପାଶ୍ଚାତ୍ୟ ଶିଷ୍ୟଶିଷ୍ୟାଙ୍କୁ ରାଜାଙ୍କ ସହ ପରିଚୟ କରାଇଲେ। ସେଠାରେ ଜଣେ ମୁସଲମାନ ବ୍ୟକ୍ତିଙ୍କ ସହ ସ୍ବାମିଜୀଙ୍କ ସାକ୍ଷାତ ହେଲା। ତାଙ୍କ ନାମ ଥିଲା ମହମ୍ମଦ ସର୍ଫରାଜ ହୁସେନ୍‌। ସ୍ବାମିଜୀଙ୍କ ଅସାଧାରଣ ଆଧ୍ୟାମତ୍ିକ ଜ୍ଞାନରେ ସେ ଏତେ ବିମୁଗ୍ଧ ହେଲେ ଯେ ସେ କହିଲେ, ”ସ୍ବାମିଜୀ ପରବର୍ତ୍ତୀ କାଳରେ ଯଦି କେହି ଆପଣଙ୍କୁ ଅବତାର ବା ସ୍ବତନ୍ତ୍ର ଦେବଦୂତ ବୋଲି ଦାବି କରେ ମୁଁ ଜଣେ ମୁସଲମାନ ହୋଇଥିଲେ ବି ତାକୁ ଗ୍ରହଣ କରିବି।“ ତା’ପରେ ସେ ସ୍ବାମିଜୀଙ୍କ ଅନୁଗାମୀ ହୋଇ ନିଜକୁ ମହମ୍ମଦାନନ୍ଦ ବୋଲି ନାମିତ କଲେ। ସ୍ବାମିଜୀ ଆଲମୋଡ଼ାରୁ ଏକ ଚିଠିରେ ତାଙ୍କ ପାଖକୁ ଲେଖିଥିଲେ, ”ଆମେ ଏହାକୁ ବେଦାନ୍ତବାଦ କିମ୍ବା କୌଣସି ବାଦ ବୋଲି କହୁ ବା ନ କହୁ, ସତ୍ୟ ହେଉଛି ଯେ ଧର୍ମ ଓ ଭାବଧାରାର ଶେଷ ବାକ୍ୟ ଅଦ୍ୱୈତବାଦ ଏବଂ ଏହି ସ୍ଥାନରୁ ଜଣେ ସମସ୍ତ ଧର୍ମ ଓ ସଂପ୍ରଦାୟକୁ ପ୍ରେମପୂର୍ଣ୍ଣ ଦୃଷ୍ଟିରେ ଦେଖିପାରିବ। ମୋର ବିଶ୍ୱାସ ଯେ ଆଗାମୀ ସଚେତନ ମାନବ ପାଇଁ ଏହା ହେବ ଧର୍ମ। ମୁଁ ଦୃଢ଼ତାର ସହ କହିବି ଯେ ପ୍ରକୃତ ଇସଲାମ ଧର୍ମର ସାହାଯ୍ୟ ବିନା ବେଦାନ୍ତର ତତ୍ତ୍ୱ ଯେତେ ବି ଶୁଦ୍ଧ ଓ ବିସ୍ମୟକର ହୋଇଥାଉ ସାଧାରଣ ଜନତାଙ୍କ ପାଇଁ ଅର୍ଥହୀନ ହେବ। ଆମର ମାତୃଭୂମି ନିମନ୍ତେ ହିନ୍ଦୁଧର୍ମ ଓ ଇସଲାମଧର୍ମ ଭଳି ଦୁଇଟି ମହାନ୍‌ ମାର୍ଗର ମିଳନ-ବେଦାନ୍ତ ମସ୍ତିଷ୍କ ଓ ଇସଲାମ ଶରୀର-କେବଳ ହିଁ ଆଶା।“
ସ୍ବାମିଜୀ ଅଦ୍ୱୈତବାଦ ଦର୍ଶନର କଥା କେବଳ କହୁ ନ ଥିଲେ, ତାକୁ ସେ ନିଜ ଜୀବନରେ ପ୍ରୟୋଗ କରୁଥିଲେ। ହିନ୍ଦୁ ଓ ମୁସଲମାନମାନଙ୍କ ମଧ୍ୟରେ ସେ କୌଣସି ପ୍ରଭେଦ ଦେଖୁ ନ ଥିଲେ। ପରିବ୍ରାଜକ ଜୀବନରେ ଆଲମୋଡ଼ାରେ ଭ୍ରମଣ କରୁଥିବା ବେଳେ ଥରେ ସେ କ୍ଷୁଧାର୍ତ୍ତ ହୋଇ କ୍ଲାନ୍ତ ହୋଇପଡ଼ିଲେ ଓ ଏକ ମୁସଲମାନ କବର ନିକଟରେ ବସି ପଡ଼ିଲେ। ତାଙ୍କର ଅଚେତପ୍ରାୟ ଅବସ୍ଥା ଉପନୀତ ହେଲା। ସାଙ୍ଗରେ ଥାନ୍ତି ଅଖଣ୍ଡାନନ୍ଦ। ସେ ଦୌଡ଼ିଗଲେ ନିକଟସ୍ଥ ନଦୀରୁ ଜଳ ଆଣିବା ପାଇଁ। ସେହି କବରର ରକ୍ଷକ ଥାନ୍ତି ଜଣେ ମୁସଲମାନ। ନାଁ ତାଙ୍କର ଜୁଲ ଫକୀର ଅଲ୍ଲୀ। ସେ ସ୍ବାମିଜୀଙ୍କ କ୍ଷୁଧାର୍ତ୍ତ ଅବସ୍ଥା ଦେଖି ଦୌଡ଼ି ଆସିଲେ ଓ ସେ ମୁସଲମାନ ହୋଇଥିବାରୁ ସଙ୍କୋଚ ସହ ସ୍ବାମିଜୀଙ୍କୁ ତାଙ୍କ ପାଖରେ ଥିବା କିଛି କାକୁଡ଼ି ଯାଚିଲେ। ସ୍ବାମିଜୀ କାକୁଡ଼ି ଖାଇବାକୁ ଆନନ୍ଦରେ ସମ୍ମତ ହେଲେ ଓ ତାଙ୍କୁ ଖୁଆଇ ଦେବାପାଇଁ ଅନୁରୋଧ କଲେ। ଜୁଲ ଫକୀର ଅଲ୍ଲୀ କହିଲେ, ”ମୁଁ ଜଣେ ମୁସଲମାନ। ଆପଣ ଜଣେ ସନ୍ନ୍ୟାସୀ। ଆପଣଙ୍କ ପବିତ୍ର ଦେହକୁ ମୁଁ ଛୁଇଁବି କିପରି?“ ସ୍ବାମିଜୀ କହିଲେ, ”ଧର୍ମ ଆମକୁ ଭିନ୍ନ କରିପାରିବ ନାହିଁ। ଆମେ ଦୁହେଁ ଭାଇ ଭାଇ। ଭାଇ ହାତରୁ କାକୁଡ଼ି ଖାଇବାରେ କୌଣସି ଦ୍ୱିଧା ନାହିଁ।“ ସେଦିନ ସେ ଫକୀର ଅଲ୍ଲୀ ସ୍ବାମିଜୀଙ୍କୁ ଆନନ୍ଦରେ କାକୁଡ଼ି ଖୁଆଇଦେଇ ନିଜକୁ ଧନ୍ୟ ମଣିଥିଲେ।
ସ୍ବାମିଜୀଙ୍କ ପରିବ୍ରାଜକ ଜୀବନର ଆଜମିର ପରିଭ୍ରମଣ ସମୟର କଥା। ସେ ମୁସଲମାନ ସୁଫି ସନ୍ଥ ମୈନୁଦ୍ଦିନ ଚିଷ୍ଟିଙ୍କର ସମାଧିସ୍ଥଳ ପରିଦର୍ଶନ କରିସାରି ମାଉଣ୍ଟ ଆବୁର ଏକ ପରିତ୍ୟକ୍ତ ଗୁମ୍ଫାରେ ଆଧ୍ୟାମତ୍ିକ ସାଧନା ଆରମ୍ଭ କଲେ। ଦୈବାତ୍‌ ସେହି ରାଜ୍ୟର ଯୁବରାଜଙ୍କର ଜଣେ ଓକିଲଙ୍କ ଦୃଷ୍ଟି ପଡ଼ିଲା ସ୍ବାମିଜୀଙ୍କ ଉପରେ। ତାଙ୍କ ତେଜସ୍ବୀ ରୂପ ଦେଖି ସେ ଆକର୍ଷିତ ହେଲେ ଓ ସ୍ବାମିଜୀଙ୍କ ସହ ବାର୍ତ୍ତାଳାପ କଲେ। ସେ ତାଙ୍କର ବ୍ୟକ୍ତିତ୍ୱ ଦ୍ୱାରା ଏତେ ମୁଗ୍ଦ ହେଲେ ଯେ ଶେଷରେ ସ୍ବାମିଜୀଙ୍କୁ ସେ ନିଜ ଗୃହକୁ ନିମନ୍ତ୍ରଣ କରି ତାଙ୍କ ରହଣିର ବ୍ୟବସ୍ଥା କରିଦେଲେ। ସେଠିକୁ ବହୁଲୋକ ଆସିଲେ ସ୍ବାମିଜୀଙ୍କ ବାଣୀ ଶୁଣିବା ପାଇଁ। ଖେତଡ଼ି ରାଜାଙ୍କ ବ୍ୟକ୍ତିଗତ ସଚିବ ମୁନ୍‌ସି ଜଗମୋହନ ଲାଲ ସେଠାକୁ ଆସି ସ୍ବାମିଜୀଙ୍କୁ କହିଲେ, ‘ମହାଭାଗ! ଆପଣ ଜଣେ ହିନ୍ଦୁ ହୋଇ ମୁସଲମାନଙ୍କ ଘରେ କାହିଁକି ରହୁଛନ୍ତି?’ ସ୍ବାମିଜୀ ଉତ୍ତର ଦେଇଥିଲେ, ”ମୁଁ ଜଣେ ସନ୍ନ୍ୟାସୀ, ମୁଁ ଜଣେ ମେହେନ୍ତର ପାଖରୁ ମଧ୍ୟ ଭୋଜନ ଗ୍ରହଣ କରିପାରିବି। ଯଦି ଶାସ୍ତ୍ର ଏହାକୁ ନିଷେଧ କରିଛି ମୁଁ ସେହିଭଳି ଶାସ୍ତ୍ରକୁ ଭୟ କରେ ନାହିଁ। ମୁଁ ସର୍ବତ୍ର ବ୍ରହ୍ମଙ୍କର ଦର୍ଶନ କରେ। ମୋ ପାଇଁ ଉଚ୍ଚନୀଚ ଭେଦଭାବ ନାହିଁ। ସବୁକିଛି ଶିବ।“ ଚିକାଗୋ ଧର୍ମ ମହାସଭାରେ ସେ କହିଥିଲେ ”ମାନବ ଭ୍ରାତୃତ୍ୱ ହିଁ ଆମର ବହୁ ଆକାଂକ୍ଷିତ ଉଦ୍ଦେଶ୍ୟ। ଏହି ଭ୍ରାତୃତ୍ୱ ଗୋଟିଏ ସ୍ବାଭାବିକ ଅବସ୍ଥା, କାରଣ ଆମେ ସମସ୍ତେ ଈଶ୍ୱରଙ୍କ ସନ୍ତାନ। ଏପରି ଅନେକ ସଂପ୍ରଦାୟ ଅଛନ୍ତି; ଯେଉଁମାନେ ଈଶ୍ୱରଙ୍କ ଅସ୍ତିତ୍ୱ ସ୍ବୀକାର କରନ୍ତି ନାହିଁ। ଯଦି ଆମେ ସେମାନଙ୍କୁ ଉପେକ୍ଷା କରୁ, ତେବେ ଆମର ଭ୍ରାତୃତ୍ୱ ସାର୍ବଜନୀନ ହେବନାହିଁ। ଏଣୁ ସମଗ୍ର ମାନବଜାତିକୁ ସମ୍ମିଳିତ କରିବାପାଇଁ ଆମତ୍ା ସହ ଆମତ୍ାର ମିଳନ ଭୂମିକୁ ଆହୁରି ପ୍ରଶସ୍ତ କରିବାକୁ ହେବ।“ ସ୍ବାମିଜୀଙ୍କ ଏହିଭଳି ଦୃଷ୍ଟିଭଙ୍ଗୀ ପାଇଁ କେବଳ ଖ୍ରୀଷ୍ଟିଆନ୍‌ ନୁହନ୍ତି, ମୁସଲମାନ୍‌ମାନେ ମଧ୍ୟ ତାଙ୍କୁ ସମ୍ମାନ ପ୍ରଦର୍ଶନ କରୁଥିଲେ। ସେଥିପାଇଁ ତ ସ୍ବାମିଜୀ ଜଣେ ଅନନ୍ୟ ସନ୍ନ୍ୟାସୀ।
ମୋ:୭୦୦୮୩୬୯୯୨୦


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri