ବିଶ୍ୱରୂପା ମହାନ୍ତିଙ୍କୁ ୟୁଏଇର ଗୋଲ୍‌ଡେନ୍‌ ଭିଜା

ଭୁବନେଶ୍ୱର, ୧।୭(ବ୍ୟୁରୋ): ମୟୂରଭଞ୍ଜ ଜିଲା ବାରିପଦାର କଳାକାର ବିଶ୍ୱରୂପା ମହାନ୍ତିଙ୍କୁ ୟୁଏଇର ସମ୍ମାନଜନକ ଗୋଲଡେନ୍‌ ଭିଜା ମିଳିଛି। ୟୁଏଇ ସରକାରଙ୍କ ପକ୍ଷରୁ ତାଙ୍କୁ ୧୦ ବର୍ଷ ଲାଗି ଏହି ଭିଜା ପ୍ରଦାନ କରାଯାଇଛି। ଗୋଲଡେନ୍‌ ଭିଜା ପାଇଥିବା ବ୍ୟକ୍ତି କୌଣସି ଜାତୀୟ ପ୍ରାୟୋଜକ ବିନା ୟୁଏଇରେ ବସବାସ ସହ ପାଠ ପଢ଼ିପାରିବେ ଓ ବ୍ୟବସାୟର ୧୦୦% ମାଲିକାନା ହାସଲ କରିପାରିବେ। ଏହି ଭିଜା ୫ କିମ୍ବା ୧୦ ବର୍ଷ ପାଇଁ ଦିଆଯାଏ ଓ ତାହା ସ୍ବୟଂକ୍ରିୟ ଭାବେ ନବୀକରଣ ହୁଏ। ୟୁଏଇର ଗୋଲ୍‌ଡେନ ଭିଜା ପାଇବାରେ ବିଶ୍ୱରୂପା ହେଉଛନ୍ତି ଓଡ଼ିଶାର ପ୍ରଥମ କଳାକାର। ୨୦୦୭ରୁ ଦୁବାଇରେ ରହୁଥିବା ବିଶ୍ୱରୂପା ପ୍ରାୟ ୮ ବର୍ଷ ଧରି ଏକାଡେମିକ୍‌ କ୍ଷେତ୍ରରେ ଏବଂ ଡିଜାଇନ୍‌ ଇଣ୍ଡଷ୍ଟ୍ରିରେ କାର୍ଯ୍ୟ କରିଥିଲେ। କିନ୍ତୁ ସେ ହୃଦୟଙ୍ଗମ କଲେ ଯେ, କଳା ହେଉଛି ତାଙ୍କର ପ୍ରକୃତ ଆହ୍ବାନ। ତେଣୁ ୨୦୧୬ରେ ବିଶ୍ୱରୂପା ଡିଜାଇନ୍‌ କ୍ଷେତ୍ର ଛାଡ଼ି ଜଣେ କଳାକାର ଭାବରେ ନୂଆ ଯାତ୍ରାରମ୍ଭ କରିଥିଲେ। ଏବେ ସେ ଦୁବାଇ ଅର୍ଥନୈତିକ ବିଭାଗରେ ସ୍ବ-ନିଯୁକ୍ତ କଳା ଅଭ୍ୟାସକାରୀ ଭାବେ ପଞ୍ଜୀକୃତ।
ସେ ଦିଲ୍ଲୀ ଏନ୍‌ଆଇଏଫ୍‌ଟିରୁ ଫ୍ୟାଶନ ଡିଜାଇନିଂରେ ବ୍ୟାଚେଲର ଡିଗ୍ରୀ, ଆଇଇଡି ମିଲାନରୁ ଫ୍ୟାଶନ ଓ ଟେକ୍ସଟାଇଲ ଡିଜାଇନରେ ମାଷ୍ଟର ଡିଗ୍ରୀ ଏବଂ ବାରିପଦାର ସ୍କୁଲ ଅଫ୍‌ ଆର୍ଟ ଆଣ୍ଡ୍‌ କ୍ରାଫ୍ଟସରୁ ଫାଇନ୍‌ ଆର୍ଟସ୍‌ରେ ଡିପ୍ଲୋମା କରିଛନ୍ତି। ଗୋଲ୍‌ଡେନ୍‌ ଭିଜା ପ୍ରଦାନ କରିଥିବାରୁ ବିଶ୍ୱରୂପା ୟୁଏଇ ସରକାରଙ୍କ ପ୍ରତି କୃତଜ୍ଞତା ଜଣାଇଛନ୍ତି। ଏଥିପାଇଁ ସେ ନିଜ ପରିବାରବର୍ଗଙ୍କ ସମେତ ମେଣ୍ଟର, ଶୁଭେଚ୍ଛୁ, ପୃଷ୍ଠପୋଷକ ଓ ଅନୁଗାମୀଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି। ସେ କହିଛନ୍ତି, ଏହି ସଫଳତା ମୋ ଜୀବନ ପାଇଁ ବହୁତ ବଡ଼। ଏହି ସଫଳତାରୁ ମୁଁ ବୁଝିଲି ଯେ, ଯଦି ତୁମେ ତୁମର ହୃଦୟକୁ ଅନୁସରଣ କର ଏବଂ ତୁମର ଆତ୍ମାକୁ ତୁମର ପେସାରେ ରଖ, ତେବେ ଧୀରେ ଧୀରେ ଏବଂ ଶେଷରେ ତୁମେ କଳ୍ପନାଠାରୁ ଅଧିକ ପୁରସ୍କୃତ ହୋଇପାରିବ।