ଆଜି ଦ୍ୱିତୀୟ ଦିନରେ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ

ଭୁବନେଶ୍ୱର,୪।୧(ବ୍ୟୁରୋ): ଦୀର୍ଘମାସର ପ୍ରତୀକ୍ଷା ପରେ ରବିବାର ରାଜ୍ୟର ସମସ୍ତ ମନ୍ଦିର ଖୋଲିଛି। ଭାବ ଓ ଭକ୍ତିମୟ ପରିବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ଭଗବାନ। ଭୁବନେଶ୍ୱରର ପ୍ରସିଦ୍ଧ ଶୈବପୀଠ ଲିଙ୍ଗରାଜ ମନ୍ଦିର, କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ସିଦ୍ଧ ବଳଦେବଜୀଉଙ୍କ ମନ୍ଦିର, ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀ ମନ୍ଦିର, ଗଞ୍ଜାମର ଆରାଧ୍ୟା ଦେବୀ ମା’ ତାରାତାରିଣୀ ମନ୍ଦିର, ଭଦ୍ରକର ଆଖଣ୍ଡଳମଣି ଓ ଭଦ୍ରକାଳୀ ମନ୍ଦିର ସମେତ ବହୁ ମନ୍ଦିର ଖୋଲିଛି। ସବୁଠି କରୋନା କଟକଣାକୁ କଡ଼ାକଡ଼ି ପାଳନ କରାଯାଇ ପୂଜାନୀତି ସହ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଛି। ଏଥିପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।
୯ ମାସରୁ ଊର୍ଦ୍ଧ୍ୱ ହେବ ମନ୍ଦିର ବନ୍ଦ ରହିଥିବାରୁ ଠାକୁରଙ୍କୁ ଦର୍ଶନ କରିପାରି ନ ଥିଲେ ଭକ୍ତ। ପ୍ରଥମେ ଶ୍ରୀମନ୍ଦିର ଖୋଲିବା ପରେ ଭକ୍ତଙ୍କ ଉତ୍କଣ୍ଠା ବଢ଼ି ଯାଇଥିଲା। ଏହାପରେ ରାଜ୍ୟର ଅନ୍ୟ ପ୍ରମୁଖ ମନ୍ଦିର ସବୁ ଖୋଲିଛି। ୨୭ ତାରିଖରୁ ଲିଙ୍ଗରାଜ ମନ୍ଦିର ଖୋଲିଥିବାବେଳେ ରବିବାରଠାରୁ କେବଳ ଭୁବନେଶ୍ୱରବାସୀଙ୍କ ପାଇଁ ଦର୍ଶନ ଆରମ୍ଭ ହୋଇଛି। ଗର୍ଭଗୃହ ଦର୍ଶନ ବାରଣ ହେତୁ କେବଳ ଆଡକାଠ ଦର୍ଶନ ଓ ବେଢ଼ା ପରିକ୍ରମା କରି ସନ୍ତୁଷ୍ଟ ହୋଇଛନ୍ତି ଶ୍ରଦ୍ଧାଳୁ। ଭକ୍ତି ଓ ଭାବାବେଗରେ ମନ୍ଦିର ପରିବେଶ ପୁଣି ଉଛୁଳି ଉଠିଛି। ଭଗବାନଙ୍କୁ ପାଖରେ ପାଇ ବହୁ ଶ୍ରଦ୍ଧାଳୁ ନିଜ କୋହକୁ ସମ୍ଭାଳି ପାରି ନ ଥିବା ଦେଖିବାକୁ ମିଳିଛି। ସେପଟେ କେନ୍ଦ୍ରାପଡ଼ାର ବଳଦେବଜୀଉଙ୍କ ମନ୍ଦିରରେ ମଧ୍ୟ ଦେଖିବାକୁ ମିଳିଥିଲା ସମାନ ଦୃଶ୍ୟ। ବଳଦେବଜୀଉ ଟ୍ରଷ୍ଟ ଓ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ସେବାୟତଙ୍କୁ ଛାଡ଼ି ଦେଲେ ଭକ୍ତମାନେ ଅରୁଣସ୍ତମ୍ଭ ନିକଟରୁ ପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଶ୍ରୀଜୀଉଙ୍କୁ ଦର୍ଶନ କରିସାରିବା ପରେ ସେମାନେ ଉତ୍ତର ଓ ଦକ୍ଷିଣ ଦ୍ବାର ବାଟେ ବେଢ଼ା ଦେଇ ପ୍ରସ୍ଥାନ କରିଛନ୍ତି। ସେହିପରି ସମ୍ବଲପୁରର ମା’ ସମଲେଶ୍ବରୀ ମନ୍ଦିର ମଧ୍ୟ କୋଭିଡ୍‌ କଟକଣା ଭିତରେ ଖୋଲିଛି। ସକାଳ ୬ଟାରୁ ଦର୍ଶନ ଆରମ୍ଭ ହୋଇଥିଲା। ଦୀର୍ଘମାସ ପରେ ଭକ୍ତମାନେ ମା’ ସମଲେଇଙ୍କ ଦର୍ଶନ ପାଇବାର ସୌଭାଗ୍ୟ ଅର୍ଜନ କରିଥିଲେ। ମା’ ତାରାତାରିଣୀଙ୍କ ମନ୍ଦିର ମଧ୍ୟ ରବିବାର ସକାଳୁ ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ଖୋଲାଯାଇଥିଲା। ଏହା ପୂର୍ବରୁ ଅର୍ଥାତ୍‌ ଭୋର ୪ଟା ୩୦ରେ ମନ୍ଦିରର ଦ୍ୱାରାଫିଟା ନୀତି ଅନୁଷ୍ଠିତ ହେବା ପରେ ମଙ୍ଗଳ ଆଳତି, ମାର୍ଜନା, ସିଂହାର ଓ ପହିଲି ଭୋଗ ଆଦି ନୀତି ସମ୍ପନ୍ନ ହୋଇଥିଲା।