୫-ଟି ସଚିବଙ୍କ ଯାଜପୁର ଜିଲା ଗସ୍ତ: ‘ପରିବାରର ଉନ୍ନତି ହେଲେ ରାଜ୍ୟର ବିକାଶ ସମ୍ଭବ’

ଯାଜପୁର/ଯାଜପୁର ରୋଡ,୩୦।୮(ହର୍ଷବର୍ଦ୍ଧନ ବେହେରା/ପବିତ୍ର ରଞ୍ଜନ ମହାନ୍ତି): ଘରେ ବାନ୍ଧି ହୋଇ ରହିଥିବା ମହିଳାମାନେ ଘରୁ ପାଦ କାଢି ପାରିଲେ ଓଡ଼ିଶା ଏକ ସଶକ୍ତ ରାଜ୍ୟ ହୋଇ ପାରିବ। ମହିଳାମାନଙ୍କୁ ଆବଶ୍ୟକ ତାଲିମ ନେବାକୁ ପଡ଼ିବ। ମହାଜନ ପାଖକୁ ନ ଯାଇ ବ୍ୟାଙ୍କରୁ ଋଣ ନେଇ ବ୍ୟବସାୟ କରି ନିଜ ଗୋଡ଼ରେ ନିଜେ ଠିଆ ହେବାକୁ ପଡ଼ିବ। ଏହି କ୍ରମରେ ମହିଳାମାନଙ୍କ ଦ୍ୱାରା ପରିବାରର ଉନ୍ନତି ହେଲେ ରାଜ୍ୟର ବିକାଶ ସମ୍ଭବ ହେବ ବୋଲି ୫-ଟି ସଚିବ ଭି.କେ. ପାଣ୍ଡିଆନ କହିଛନ୍ତି ା
ଯାଜପୁର ଜିଲା ବ୍ୟାସନଗର ପୌର ପରିଷଦ ଅନ୍ତର୍ଗତ ଚାନ୍ଦମା ଖେଳପଡ଼ିଆରେ ମଙ୍ଗଳବାର ମିଶନ ଶକ୍ତି ସମାବେଶରେ ଯୋଗଦେଇ ୫-ଟି ସଚିବ କହିଛନ୍ତି, ମୁଖ୍ୟମନ୍ତ୍ରୀ ଯେତେବେଳେ ଓଡ଼ିଶାର ଦାୟିତ୍ୱ ନେଇଥିଲେ, ସେତେବେଳେ ମହିଳାମାନଙ୍କ ବିକାଶ କଥା ଚିନ୍ତା କରିଥିଲେ। ତେଣୁ ୨୦୦୧ରେ ମୁଖ୍ୟମନ୍ତ୍ରୀ ମିଶନ ଶକ୍ତି କାର୍ଯ୍ୟକୁ ହାତକୁ ନେଇଥିଲେ। ସେବେଠାରୁ ଆଜି ପର୍ଯ୍ୟନ୍ତ ଏଥିରେ ରାଜ୍ୟରେ ୭୦ ଲକ୍ଷ ମହିଳା ସାମିଲ ଅଛନ୍ତି। ଗତ ଏକ ବର୍ଷରେ ରାଜ୍ୟର ମହିଳାମାନେ ୧୧,୩୦୦ କୋଟି ଟଙ୍କା ବ୍ୟାଙ୍କରୁ ଋଣ ନେଇ ପାରିଛନ୍ତି। ସେଥିମଧ୍ୟରୁ କେବଳ ଯାଜପୁର ଜିଲାର ୭୦ ହଜାର ମିଶନ ଶକ୍ତି ଦଳର ମହିଳା ୫୪୦ କୋଟି ଟଙ୍କା ଋଣ ଉଠାଇଛନ୍ତି। ଏହାବାଦ୍‌ ମହିଳାମାନଙ୍କୁ ବିନା ସୁଧରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦେବାର ବ୍ୟବସ୍ଥା ହୋଇଛି। ଆଗାମୀ ଦିନରେ ଏହି ଋଣ ପରିମାଣ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ଲକ୍ଷ୍ୟ ରହିଛି। ମହିଳାମାନଙ୍କୁ ପ୍ରାୟ ପ୍ରତ୍ୟେକ ଯୋଜନାରେ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଛି। ଜିଲାରେ ୩୨୦ଟି ମିଶନ ଶକ୍ତି ଗୃହ ନିର୍ମାଣ କରିବାକୁ ଧାର୍ଯ୍ୟ ହୋଇଛି। ସେଥିମଧ୍ୟରୁ ୨୬୦ଟି ଗୃହ ମିଶନ ଶକ୍ତିକୁ ହସ୍ତାନ୍ତର ହୋଇଛି। ଏହାସହ ବିଭିନ୍ନ ଗ୍ରାମରେ ପଡ଼ି ରହିଥିବା ପୁରୁଣା ସରକାରୀ ଗୃହଗୁଡ଼ିକୁ ମରାମତି କରି ମିଶନ ଶକ୍ତି ମହିଳାମାନଙ୍କୁ ହସ୍ତାନ୍ତର କରିବାକୁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି। ତେଣୁ ମହିଳାମାନେ ସେଭଳି ଗୃହଗୁଡ଼ିକୁ ଚିହ୍ନଟ କରି ବିଡିଓଙ୍କୁ ଜଣାଇଲେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ। ଏଥିରେ ସେମାନେ ବିଭିନ୍ନ ବ୍ୟବସାୟ କରିବା ସହ ଅଫିସ ଗୃହ ଭାବେ ବ୍ୟବହାର କରିପାରିବେ। ମହିଳାମାନଙ୍କ ପକ୍ଷରୁ ୧୭୦୦ ସ୍କୁଟି ପ୍ରଦାନ କରିବାକୁ ଆବେଦନ ହୋଇଛି। ତେଣୁ ଏନେଇ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ଯେମିତି ବିଡିଓ, ସିଡିପିଓ ପ୍ରମୁଖଙ୍କ ପାଖରେ ସରକାରୀ ଗାଡ଼ି ରହିଛି ସେଭଳି ଭାବେ ବ୍ଲକସ୍ତରରେ ମିଶନ ଶକ୍ତି ଗ୍ରୁପମାନଙ୍କୁ ଗାଡ଼ି ପ୍ରଦାନ କରଯିବ। ମହିଳାମାନଙ୍କୁ ଲକ୍ଷପତି କରିବାକୁ ମୁଖ୍ୟମନ୍ତ୍ରୀ ଚାହୁଁଛନ୍ତି। ସେହିଭଳି ମିଶନଶକ୍ତିର ସକ୍ରିୟ ମହିଳାମାନଙ୍କୁ ଦରମା ଦେବାର ବ୍ୟବସ୍ଥା କରାଯାଉଛି। ଏହାବାଦ୍‌ ମିଶନ ଶକ୍ତିରେ ସଂପୃକ୍ତ ମହିଳା କର୍ମଚାରୀମାନଙ୍କୁ ୬ ମାସ ମ୍ୟାଟରନିଟି ଛୁଟି ଦେବାର ବ୍ୟବସ୍ଥା କରାଯାଇଛି। ଏହି ଛୁଟି ସମୟରେ ସେମାନେ ସମ୍ମାନର ସହ ସମ୍ପୂର୍ଣ୍ଣ ଦରମା ପାଇବେ। ନୂଆ ଓଡ଼ିଶା ଗଠନରେ ମହିଳାମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ସୂଚନା ଦେଇଥିଲେ ା
୫-ଟି ସଚିବ ପାଣ୍ଡିଆନ ସଭାସ୍ଥଳକୁ ପୂର୍ବାହ୍ନ ସାଢେ ୧୦ଟାରେ ହେଲିକପ୍ଟର ଯୋଗେ ପହଞ୍ଚିଥିଲେ। ପ୍ରଥମେ ସଭାସ୍ଥଳରେ ଉପସ୍ଥିତ ମିଶନ ଶକ୍ତିର ମହିଳାମାନଙ୍କ ନିକଟକୁ ଯାଇ ସେମାନଙ୍କ ସହ ହାତ ମିଳାଇଥିଲେ। ମହିଳାମାନେ ୫-ଟି ସଚିବଙ୍କ ଉପରେ ପୁଷ୍ପ ବୃଷ୍ଟି କରିବା ସହ କେତେଜଣ ମହିଳା ତାଙ୍କ ହାତରେ ରାଖୀ ବାନ୍ଧିଥିଲେ । ଏହାପରେ ସଚିବ ମଞ୍ଚ ଉପରକୁ ଯାଇ ଜୟ ଜଗନ୍ନାଥ ଓ ଜୟ ମା’ ବିରଜା କହି ସମସ୍ତଙ୍କୁ ପ୍ରଣାମ ଜଣାଇଥିଲେ । ତାଙ୍କ ବକ୍ତବ୍ୟ ଶେଷରେ ରାଖୀ ବାନ୍ଧିଥିବା ମହିଳାମାନଙ୍କୁ କୃତଜ୍ଞତା ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ଯାଜପୁର ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର, ଏସ୍‌ପି ଭିନିତ ଅଗ୍ରୱାଲ, କଳିଙ୍ଗନଗର ନଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ର, ଅତିରିକ୍ତ ଏସ୍‌ପି ସିଲଭାରୀୟସ ଟପ୍ପୋ ପ୍ରମୁଖ ଉପସ୍ଥିତ ଥିଲେ। ଏହାସହ ଅଗ୍ନିଶମ ଓ ସ୍ବାସ୍ଥ୍ୟ ବିଭାଗ ସମେତ ଶାନ୍ତି ଶୃଙ୍ଖଳା ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ପ୍ରାୟ ୧୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା। ଏହି ସମବେଶରେ ପ୍ରାୟ ୧୦ ହଜାରରୁ ଊର୍ଦ୍ଧ୍ୱ ମିଶନ ଶକ୍ତି ମହିଳା ଯୋଗ ଦେଇଥିଲେ।