ବିଶାଳ ଦେବ ଅର୍ଥ ସଚିବ

ଭୁବନେଶ୍ୱର,୩୦।୭ (ବ୍ୟୁରୋ): ରାଜ୍ୟ ସରକାର ବରିଷ୍ଠ ଆଇଏଏସ୍‌ ଅଫିସର ସ୍ତରରେ ଛୋଟ ଧରଣର ଅଦଳବଦଳ କରିଛନ୍ତି। ଗୁରୁବାର ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ୧୯୯୬ ବ୍ୟାଚ୍‌ ଆଇଏଏସ୍‌ ଅଫିସର ବିଶାଳ ଦେବଙ୍କୁ ରାଜ୍ୟ ସରକାର ଅର୍ଥ ବିଭାଗର ପ୍ରମୁଖ ସଚିବ ଦାୟିତ୍ୱ ଦେଇଛନ୍ତି। ଏହା ପୂର୍ବରୁ ସେ ରାଜ୍ୟର କ୍ରୀଡ଼ା ଓ ଯୁବବ୍ୟାପାର ବିଭାଗର ପ୍ରମୁଖ ସଚିବ ସହିତ ଅତିରିକ୍ତ ଭାବେ ପର୍ଯ୍ୟଟନ ବିଭାଗର ଦାୟିତ୍ୱ ତୁଲାଉଥିଲେ। ସେହିଭଳି ୧୯୯୩ ବ୍ୟାଚ୍‌ ଆଇଏଏସ୍‌ ଅଫିସର ତଥା ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ସଚିବ ଦେଓରଞ୍ଜନ କୁମାର ସିଂହଙ୍କୁ ଇସ୍ପାତ ଓ ଖଣି ବିଭାଗର ସଚିବ ଭାବେ ବଦଳି କରାଯାଇଛି। ସିଂହ ପ୍ରାୟ ୮ବର୍ଷ ହେବ ପଞ୍ଚାୟତିରାଜ ବିଭାଗ ଦାୟିତ୍ୱରେ ଥିଲେ। ୧୯୯୩ ବ୍ୟାଚ୍‌ ଆଇଏଏସ୍‌ ଅଫିସର ଅଶୋକ କୁମାର ମୀନାଙ୍କୁ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ପ୍ରମୁଖ ସଚିବ ଭାବେ ବଦଳି କରାଯାଇଛି। ମୀନା ଅର୍ଥ ବିଭାଗର ପ୍ରମୁଖ ସଚିବ ଭାବେ ଦାୟିତ୍ୱ ନିର୍ବାହ କରୁଥିଲେ।
ଇସ୍ପାତ ଓ ଖଣି ବିଭାଗର ପ୍ରମୁଖ ସଚିବ ଥିବା ୧୯୯୩ ବ୍ୟାଚ୍‌ ଆଇଏଏସ୍‌ ଅଫିସର ସୁରେନ୍ଦ୍ର କୁମାରଙ୍କୁ ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ସଚିବ ଭାବେ ବଦଳି କରାଯାଇଛି। କୁମାର ସାଧାରଣ ପ୍ରଶାସନ ବିଭାଗ ସହିତ ଅତିରିକ୍ତ ଭାବେ ପର୍ଯ୍ୟଟନ ବିଭାଗର ପ୍ରମୁଖ ସଚିବ ଭାବେ ଦାୟିତ୍ୱ ତୁଲାଇବେ। କୁମାର ଇସ୍ପାତ ଓ ଖଣି ବିଭାଗର ପ୍ରମୁଖ ସଚିବ ସହିତ ଓଏମ୍‌ସି, ଏମ୍‌ଇସିଏଲ୍‌ ଓ ଇଡ୍‌କଲର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱରେ ଥିଲେ। ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଞ୍ଜୀବ ଚୋପ୍ରା ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ଦାୟିତ୍ୱ ତୁଲାଉଥିଲେ। ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ଶାସନ ସଚିବ ତଥା ୨୦୦୫ ବ୍ୟାଚ୍‌ ଆଇଏଏସ୍‌ ଅଫିସର ଆର. ଭିନିଲ କ୍ରିଷ୍ଣାଙ୍କୁ ଅତିରିକ୍ତ ଭାବେ କ୍ରୀଡ଼ା ଓ ଯୁବବ୍ୟାପାର ବିଭାଗର ଶାସନ ସଚିବ ଦାୟିତ୍ୱ ଦିଆଯାଇଛି। ପୂର୍ବରୁ ଭିନ୍‌ିଲ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗର ସ୍ବତନ୍ତ୍ର ସଚିବ ଭାବେ ଅତିରିକ୍ତ ଦାୟିତ୍ୱରେ ଥିଲେ।