ବେଙ୍ଗାଲୁରୁ,୩୧ା୧୨: ବିଜୟ ହଜାରେ ଟ୍ରଫିର ଏଲିଟ୍ ଗ୍ରୁପ୍-ଡି ମୁକାବିଲାରେ ଓଡ଼ିଶା କ୍ରିକେଟ୍ ଦଳ ଶକ୍ତିଶାଳୀ ଦିଲ୍ଲୀକୁ ୭୯ ରନ୍ରେ ପରାସ୍ତ କରିଛି। ଷ୍ଟାର୍ ବ୍ୟାଟର ବିରାଟ କୋହଲିଙ୍କ ଅନୁପସ୍ଥିତିରେ ରିଷଭ ପନ୍ତଙ୍କ ନେତୃତ୍ୱାଧୀନ ଦିଲ୍ଲୀ ଦଳ ଓଡ଼ିଶାର ଶାଣିତ ବୋଲିଂ ଆଗରେ ଆଣ୍ଠୁ ମାଡ଼ିଛି।
ଟସ୍ ଜିତି ଦିଲ୍ଲୀ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଓଡ଼ିଶା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୮ ଉଇକେଟ୍ ହରାଇ ୨୭୨ ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଅଧିନାୟକ ବିପ୍ଳବ ସାମନ୍ତରାୟ ସର୍ବାଧିକ ୭୨ ରନ୍ (୭୪ ବଲ୍, ୩ ଚୌକା, ୪ ଛକା) କରି ଦଳକୁ ଏକ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଗୋବିନ୍ଦ ପୋଦ୍ଦାର ୩୫ ରନ୍ କରିଥିବା ବେଳେ ଶେଷ ଭାଗରେ ଦେବବ୍ରତ ପ୍ରଧାନ ମାତ୍ର ୯ ବଲ୍ରୁ ୨୧ ରନ୍ର ବିସ୍ଫୋରକ ଇନିଂସ ଖେଳିଥିଲେ।
୨୭୩ ରନ୍ର ପିଛା କରୁଥିବା ଦିଲ୍ଲୀ ଆରମ୍ଭରୁ ହିଁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଷ୍ଟାର୍ ଖେଳାଳି ରିଷଭ ପନ୍ତ (୨୪) ଏବଂ ନୀତିଶ ରାଣା (୨) ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ। ଦେବବ୍ରତ ପ୍ରଧାନ ଓ ସମ୍ବିତ ବରାଳଙ୍କ ଘାତକ ବୋଲିଂ ଯୋଗୁଁ ଦିଲ୍ଲୀ ମାତ୍ର ୧୯୩ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା।


