Categories: ଖେଳ

‘ବଡ଼ ସଫଳତା ପାଇଁ କୋହଲିଙ୍କ ପାଖରେ ସମୟ ଅଛି’

ନୂଆଦିଲ୍ଲୀ,୩।୩: ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲି ଶୁକ୍ରବାର କ୍ୟାରିୟରର ୧୦୦ତମ ଟେଷ୍ଟ ମ୍ୟାଚ୍‌ ଖେଳିବାକୁ ଯାଉଛନ୍ତି। କୋହଲିଙ୍କ ମାଇଲଷ୍ଟୋନ ମ୍ୟାଚ୍‌ ପୂର୍ବରୁ ତାଙ୍କ ପାଇଁ ଏକ ସ୍ବତନ୍ତ୍ର ମେସେଜ ଦେଇଛନ୍ତି ବିସିସିଆଇ ମୁଖ୍ୟ ସୌରଭ ଗାଙ୍ଗୁଲି।

“ଭାରତୀୟ କ୍ରିକେଟରେ ୧୦୦ ଟେଷ୍ଟ ମ୍ୟାଚ୍‌ ଖେଳିବା ଏକ ବଡ଼ ଉପଲବ୍ଧୀ। ଦେଶ ପାଇଁ କ୍ରିକେଟ ଖେଳିବା ଆରମ୍ଭ କଲା ବେଳେ ଖେଳାଳିମାନଙ୍କ ଏଥି ଲାଗି ସ୍ବପ୍ନ ଦେଖନ୍ତି। ଏହା କୋହଲି ଓ ଭାରତୀୟ କ୍ରିକେଟ ପାଇଁ ଏକ ବଡ଼ ମୁହୂର୍ତ୍ତ। ମୁଁ ବ୍ୟକ୍ତିଗତ ଭାବେ ୧୦୦ ଟେଷ୍ଟ ମ୍ୟାଚ୍‌ ସ୍ଥିତିରେ ଥିଲି। ମୋତେ ଜଣାଅଛି, ଏହା କେବେ ବଡ଼ ଅବସର। ୧୧ ବର୍ଷର ଅନ୍ତର୍ଜାତୀୟ କ୍ୟାରିୟରରେ କୋହଲି ଅନେକ ସଫଳତା ହାସଲ କରିଛନ୍ତି। ବିସିସିଆଇ ପକ୍ଷରୁ ଏବଂ ୧୦୦ ଟେଷ୍ଟ ଖେଳିଥିବା ପୂର୍ବତନ ଅଧିନାୟକ ଭାବେ ତାଙ୍କୁ ଅନେକ ଶୁଭକାମନା। ତାଙ୍କ ପାଖରେ ଚମତ୍କାର କ୍ୟାରିୟର ଅଛି। ବଡ଼ ସଫଳତା ହାସଲ କରିବା ପାଇଁ ତାଙ୍କ ପାଖରେ ସମୟ ଅଛି” ବୋଲି ପୂର୍ବତନ ବ୍ୟାଟର କହିଛନ୍ତି। ଉଲ୍ଲେଖଯୋଗ୍ୟ, ୩୩ ବର୍ଷୀୟ କୋହଲି ପୂର୍ବତନ କିମ୍ବଦନ୍ତୀ ସୁନିଲ ଗାଭାସ୍କର, ଦୀଲିପ ଭେଙ୍ଗସରକର, କପିଳ ଦେବ, ସଚିନ ତେନ୍ଦୁଲକର, ଅନୀଲ କୁମ୍ବଲେ, ରାହୁଲ ଡ୍ରାଭିଡ୍‌, ଗାଙ୍ଗୁଲି, ଭିଭିଏସ୍‌ ଲକ୍ଷ୍ମଣ, ବୀରେନ୍ଦ୍ର ସେହ୍ବାଗ, ହରଭଜନ ସିଂ ଓ ଇଶାନ୍ତ ଶର୍ମାଙ୍କ ଭଳି ଭାରତୀୟ କ୍ରିକେଟରଙ୍କ ତାଲିକାରେ ସ୍ଥାନ ପାଇବାକୁ ଯାଉଛନ୍ତି।

Share