ନୂଆଦିଲ୍ଲୀ,୧୫।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ସମସ୍ତଙ୍କ ନଜର ଭାରତୀୟ ଦିଗ୍ଗଜ ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ପ୍ରଦର୍ଶନ ଉପରେ ଥିଲା, କିନ୍ତୁ ତାଙ୍କ ବ୍ୟାଟ ଆଶାନୁରୂପ କାମ କଲା ନାହିଁ। କୋହଲି ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ୭୪ ରନର ଏକ ଚମତ୍କାର ଇନିଂସ ସହିତ ଆରମ୍ଭ କରିଥିଲେ, କିନ୍ତୁ ଏହାପରେ ସେ କ୍ରମାଗତ ତିନୋଟି ଇନିଂସରେ ବିଫଳ ହୋଇଥିଲେ। କୋହଲି ଦ୍ୱିତୀୟ ଦିନିକିଆରେ ମାତ୍ର ୭ ରନ ଏବଂ ଚତୁର୍ଥ ମ୍ୟାଚରେ ଶୂନ୍ୟରେ ଆଉଟ ହୋଇଥିଲେ। ସେହିପରି, ରବିବାର (ନଭେମ୍ୱର ୧୫) ମାଉଣ୍ଟ ମାଉଙ୍ଗାନୁଇର ବେ ଓଭାଲରେ ଖେଳାଯାଇଥିବା ୫ମ ତଥା ଶେଷ ଦିନିକିଆରେ ମଧ୍ୟ ତାଙ୍କ ବ୍ୟାଟ ଶାନ୍ତ ରହିଥିଲା ଏବଂ ମାତ୍ର ୫ ରନ କରି ପାଭିଲିୟନ ଫେରିଥିଲେ। ଏହା ସହିତ କୋହଲି ତାଙ୍କ କ୍ୟାରିୟରରେ ଦ୍ୱିତୀୟ ଥର ପାଇଁ ଏପରି ଏକ ଅବାଞ୍ଛିତ ରେକର୍ଡ ଦୋହରାଇଛନ୍ତି, ଯାହାକୁ କୌଣସି ବ୍ୟାଟ୍ସମ୍ୟାନ କରିବାକୁ ଚାହିଁବେ ନାହିଁ।
ବିରାଟ କୋହଲି ନ୍ୟୁଜିଲାଣ୍ଡ ବିପକ୍ଷ ୫ମ ତଥା ଶେଷ ଦିନିକିଆରେ ପୁଣି ଥରେ ନିଜର ପୁରୁଣା ଦୁର୍ୱଳତାର ଶିକାର ହୋଇଛନ୍ତି। ନ୍ୟୁଜିଲାଣ୍ଡର ଦ୍ରୁତ ବୋଲର ମ୍ୟାଥ୍ୟୁ ଫିସର ପ୍ରାୟ ୧୪୫ କିଲୋମିଟର ପ୍ରତି ଘଣ୍ଟା ବେଗରେ ଅଫ ଷ୍ଟମ୍ପ ବାହାରେ ଏକ ସର୍ଟ ବଲ ପକାଇଥିଲେ। କୋହଲି ଏହି ବଲ୍ରେ ସଟ ଖେଳିବାକୁ ଚେଷ୍ଟା କରିଥିଲେ, କିନ୍ତୁ ବଲ ବ୍ୟାଟ୍ର ବାହାର କଡ଼ ନେଇ ୱିକେଟ କିପର ଟିମ ସିଫର୍ଟଙ୍କ ହାତରେ ଜମା ହୋଇଯାଇଥିଲା। ଏହିପରି କୋହଲି ମାତ୍ର ୭ଟି ବଲ୍ରେ ୫ ରନ କରି ପାଭିଲିୟନ ଫେରିଥିଲେ। ଏହି ସିରିଜରେ ସେ ଚାରୋଟି ଇନିଂସରେ ମୋଟ ୮୬ ରନ କରିଥିଲେ, ଯେଉଁଥିରେ ୭୪, ୭, ୦ ଏବଂ ୫ ରନ ସାମିଲ ରହିଛି।
ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜରେ ବିରାଟ କୋହଲି ଚାରୋଟି ଇନିଂସ ମଧ୍ୟରୁ ତିନି ଥର ଦଶ ଅଙ୍କ ଛୁଇଁବାରେ ବିଫଳ ହୋଇଛନ୍ତି। ଏହାସହିତ କୋହଲି ପ୍ରାୟ ୧୩ ବର୍ଷ ପୁରୁଣା ଏକ ଅବାଞ୍ଛିତ ରେକର୍ଡ ଦୋହରାଇଛନ୍ତି। କୌଣସି ଦ୍ୱିପାକ୍ଷିକ ଦିନିକିଆ ସିରିଜରେ ତିନୋଟି ଇନିଂସ ମଧ୍ୟରେ ୧୦ ରନ ପର୍ଯ୍ୟନ୍ତ ନ ପହଞ୍ଚିବାର ଘଟଣା ତାଙ୍କ କ୍ୟାରିୟରରେ ଦ୍ୱିତୀୟ ଥର ପାଇଁ ଘଟିଛି। ଏହାପୂର୍ୱରୁ ୨୦୧୨-୧୩ରେ ପାକିସ୍ତାନର ଭାରତ ଗସ୍ତ ସମୟରେ କୋହଲିଙ୍କ ସହିତ ଏପରି ହୋଇଥିଲା। ସେହି ସିରିଜରେ ସେ କ୍ରମାଗତ ତିନୋଟି ଇନିଂସରେ ୦, ୬ ଏବଂ ୭ ରନ କରିଥିଲେ।
ସେହିପରି, କୌଣସି ଦିନିକିଆ ସିରିଜ ବା ଟୁର୍ଣ୍ଣାମେଣ୍ଟରେ ତିନି ଥର ସିଙ୍ଗଲ ଡିଜିଟ (ଏକ ଅଙ୍କ ବିଶିଷ୍ଟ) ସ୍କୋରରେ ଆଉଟ ହେବାର ଏହା ତାଙ୍କ କ୍ୟାରିୟରର ଚତୁର୍ଥ ମାମଲା ଅଟେ। ଏହାପୂର୍ୱରୁ ୨୦୧୧ ଦିନିକିଆ ବିଶ୍ୱକପ, ପାକିସ୍ତାନ ବିପକ୍ଷ ୨୦୧୨-୧୩ ସିରିଜ ଏବଂ ଅଷ୍ଟ୍ରେଲିଆରେ ୨୦୧୪-୧୫ର କାର୍ଲଟନ ମିଡ ଦିନିକିଆ ଟ୍ରାଏ ସିରିଜ୍ରେ ମଧ୍ୟ ସେ ଏପରି କରିସାରିଛନ୍ତି।
କୌଣସି ଦିନିକିଆ ସିରିଜ ବା ଟୁର୍ଣ୍ଣାମେଣ୍ଟରେ ବିରାଟ କୋହଲିଙ୍କ ତିନି ଥର ସିଙ୍ଗଲ ଡିଜିଟ ସ୍କୋର:
* ୩ ଥର ଦିନିକିଆ ବିଶ୍ୱକପ ୨୦୧୧
* ୩ ଥର ପାକିସ୍ତାନର ଭାରତ ଗସ୍ତ, ୨୦୧୨-୧୩
* ୩ ଥର କାର୍ଲଟନ ମିଡ ଦିନିକିଆ ଟ୍ରାଏ ସିରିଜ, ଅଷ୍ଟ୍ରେଲିଆ ୨୦୧୪-୧୫
* ୩ ଥର ଭାରତର ନ୍ୟୁଜିଲାଣ୍ଡ ଗସ୍ତ, ୨୦୨୬