Categories: ଖେଳ

ଧୋନୀଙ୍କ ଉପରେ ରାଗିଲେ କୋହଲିଙ୍କ ଫ୍ୟାନ

ନୂଆଦିଲ୍ଲୀ,୯।୧: ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ନିକଟରେ ପାକିସ୍ତାନ ପେସର ହାରିସ ରଫଙ୍କୁ ଉପହାର ସ୍ବରୂପ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଜର୍ସି ପଠାଇଥିଲେ। ଏହାକୁ ସହଜରେ ହଜମ କରିପାରି ନାହାନ୍ତି ଭାରତୀୟ ଟେଷ୍ଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ଫ୍ୟାନ୍ସ।

କୌତୁହଳର କଥା ହେଉଛି, ଧୋନୀଙ୍କ ଜଣେ ବଡ଼ ଫ୍ୟାନ ହେଉଛନ୍ତି ରଫ। ଗତ ବର୍ଷ ଟି୨୦ ବିଶ୍ୱକପ୍‌ରେ ଭାରତ ଓ ପାକିସ୍ତାନ ମ୍ୟାଚ୍‌ ପରେ ପାକିସ୍ତାନ ପେସର ଧୋନୀଙ୍କୁ ଭେଟିଥିଲେ। ମ୍ୟାଚ୍‌ର ୩ ମାସ ପରେ ଉପହାର ପଠାଇଥିଲେ ଧୋନୀ। ଉପହାରଟି ଥିଲା, ଗତବର୍ଷର ଆଇପିଏଲ ଚାମ୍ପିୟନ ସିଏସ୍‌କେ ଦଳର ଅଧିନାୟକଙ୍କ ଜର୍ସି।

ଧୋନୀଙ୍କୁ ଧନ୍ୟବାଦ ଜଣାଇବା ପାଇଁ ରଫ ଟୁଇଟରରେ ଲେଖିଥିଲେ“କିମ୍ବଦନ୍ତୀ ଓ କ୍ୟାପଟେନ କୁଲ ଧୋନୀ ମୋତେ ତାଙ୍କ ଶାର୍ଟ ଦେଇ ସମ୍ମାନିତ କରିଛନ୍ତି। ‘୭’ ନମ୍ବର ଜର୍ସି ଏବେ ବି ହୃଦୟ ଜିତୁଛି। ଏଭଳି ସମର୍ଥନ ପାଇଁ ତୁମକୁ ଧନ୍ୟବାଦ”। ଏହାକୁ ନେଇ କିଛି ଫ୍ୟାନ୍ସ ଧୋନୀଙ୍କୁ ପ୍ରଶଂସା କରୁଥିବା ବେଳେ ନିର୍ଦ୍ଧିଷ୍ଟ ଭାବେ କୋହଲିଙ୍କ ପ୍ରଶଂସକ ଏହି ଘଟଣାକୁ ସମାଲୋଚନା କରିଛନ୍ତି।

ଭାରତକୁ ପାକିସ୍ତାନ ୧୦ ଉଇକେଟରେ ହରାଇବା ପରେ ଅଧିନାୟକ କୋହଲି ପାକିସ୍ତାନ ବ୍ୟାଟର ମହମ୍ମଦ ରିଜଓ୍ବାନଙ୍କୁ କୋଳାଗ୍ରତ କରି ଶୁଭେଚ୍ଛା ଦେଇଥିଲେ। ଏହାକୁ କେନ୍ଦ୍ର କରି ସୋସିଆଲ ମିଡିଆରେ କୋହଲିଙ୍କୁ ଦେଶଦ୍ରୋହୀ, ଅଲଜ୍ଜା, ଅବିଶ୍ୱାସୀ କୁହାଯାଇଥିଲା। ଏଥିଯୋଗୁ କୋହଲିଙ୍କ ଫ୍ୟାନ ୟୁଜରଙ୍କ ଦୋମୁହଁା କଥାକୁ ଟାର୍ଗେଟ କରିଛନ୍ତି। ପାକିସ୍ତାନ ଖେଳାଳିଙ୍କୁ ଧୋନୀ ଜର୍ସି ଦେବାରୁ ତାଙ୍କୁ ପ୍ରଶଂସା କରାଯାଉଛି। କିନ୍ତୁ ପାକିସ୍ତାନ ଖେଳାଳିଙ୍କ ପ୍ରତି କୋହଲି ଖେଳୁଆଡ଼ ମନୋଭାବ ଦେଖାଇବାରୁ ତାଙ୍କୁ ସମାଲୋଚନା କରାଯାଇଥିଲା। ଏଥି ନେଇ କୋହଲିଙ୍କ ଅନେକ ଫ୍ୟାନ୍ସ ଧୋନୀଙ୍କୁ ଟ୍ରୋଲ କରୁଛନ୍ତି।

Share