ନୂଆଦିଲ୍ଲୀ,୧୬।୧୧: ଭାରତୀୟ କ୍ରିକେଟର ଦିଗ୍ଗଜ ବ୍ୟାଟର ବିରାଟ କୋହଲି ଏବଂ ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ଶାମି ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେଇସାରିଛନ୍ତି। କୋହଲି ୨୦୨୫ ଜୁନରେ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଥିବା ବେଳେ ଶାମି ଚଳିତ ବର୍ଷ ନଭେମ୍ବର ୬ ତାରିଖରେ ଟେଷ୍ଟରୁ ସନ୍ନ୍ୟାସ ନେଇଥିଲେ। ଏହାରି ମଧ୍ୟରେ ଭାରତର ମହାନ ଅଲରାଉଣ୍ଡର ତଥା ୧୯୮୩ ବିଶ୍ୱକପ ବିଜେତା ଅଧିନାୟକ କପିଳ ଦେବ କୋହଲି ଓ ଶାମିଙ୍କ ଟେଷ୍ଟ କ୍ରିକେଟରୁ ଅବସର ନିଷ୍ପତ୍ତିକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି। ଉଭୟ ଖେଳାଳି ଟେଷ୍ଟ କ୍ରିକେଟକୁ ଅଲବିଦା କହି ବଡ଼ ଭୁଲ କରିଛନ୍ତି ବୋଲି ସେ ମତ ଦେଇଛନ୍ତି। କପିଳଙ୍କ ଅନୁସାରେ, କୋହଲି ଓ ଶାମି ଏବେ ଟେଷ୍ଟ କ୍ରିକେଟରୁ ଅବସର ନେବା ଉଚିତ ନଥିଲା। କ୍ୟାରିୟର ଆଗକୁ ବଢ଼ାଇବା ପାଇଁ ସେମାନେ ଆଉ କିଛି ସମୟ ଅପେକ୍ଷା କରିପାରିଥାନ୍ତେ।
ପୂର୍ବତନ ଭାରତୀୟ ଅଧିନାୟକ କପିଳ ଦେବ ‘ସଣ୍ଡେ ମିଡ-ଡେ’କୁ ଦେଇଥିବା ଏକ ସାକ୍ଷାତକାରରେ ମହମ୍ମଦ ଶାମିଙ୍କ ଟେଷ୍ଟ କ୍ରିକେଟରୁ ଅବସରକୁ ନେଇ ନିଜ ମତ ରଖିଥିଲେ। ଶାମି ଏବେ ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେବା ଉଚିତ ନଥିଲା ଏବଂ ତାଙ୍କୁ ଆଉ କିଛି ସମୟ ଅପେକ୍ଷା କରିବାର ଥିଲା ବୋଲି କପିଲ କହିଥିଲେ। ଏହି ଅବସରରେ ସେ ବିରାଟ କୋହଲିଙ୍କ ନିଷ୍ପତ୍ତି ଉପରେ ମଧ୍ୟ ପ୍ରଶ୍ନ ଉଠାଇଥିଲେ।
କପିଳ କହିଥିଲେ, ଶାମିଙ୍କୁ ଟେଷ୍ଟ କ୍ରିକେଟରୁ ଅବସର ନେବା ଉଚିତ ନଥିଲା। ତାଙ୍କୁ ଆଉ କିଛି ସମୟ ଅପେକ୍ଷା କରିବାର ଥିଲା। ମୋ ମତରେ ବିରାଟ କୋହଲି ମଧ୍ୟ ବଡ଼ ଭୁଲ କରିଛନ୍ତି। ସେ ଟେଷ୍ଟରୁ ଅବସର ନେଇଗଲେ। ଶାମିଙ୍କ କଥା କହିବାକୁ ଗଲେ, ତାଙ୍କୁ କେବଳ କଠିନ ପରିଶ୍ରମ କରିବାକୁ ପଡ଼ିବ। ଯଦି ଆପଣଙ୍କୁ ଆଉ ୨ ବର୍ଷ ଟେଷ୍ଟ କ୍ରିକେଟ ଖେଳିବାର ସୁଯୋଗ ମିଳିପାରିବ, ତେବେ କାହିଁକି ନୁହେଁ? ଏହି ସୁଯୋଗ ଆଉ ଫେରିବ ନାହିଁ।
ମହମ୍ମଦ ଶାମିଙ୍କୁ ଦୀର୍ଘ ଦିନ ଧରି ଭାରତୀୟ ଦଳରେ ସ୍ଥାନ ମିଳୁ ନଥିବାରୁ ଅବସର ନେବା ବ୍ୟତୀତ ତାଙ୍କ ପାଖରେ ଆଉ କ’ଣ ବିକଳ୍ପ ଥିଲା ବୋଲି କପିଲଙ୍କୁ ପଚରାଯାଇଥିଲା। ଏହାର ଉତ୍ତରରେ ସେ କହିଥିଲେ, ଜଣେ ଖେଳାଳି ଯଦି ଅବସର ନେଇଯାଆନ୍ତି, ତେବେ ଚୟନକର୍ତ୍ତା ତାଙ୍କୁ ଦଳରେ ସାମିଲ କରିପାରିବେ ନାହିଁ। କିନ୍ତୁ ଖେଳ ଜାରି ରଖିଲେ ଦଳକୁ ଫେରିବାର ସୁଯୋଗ ରହିଥାଏ। ସେ କହିଥିଲେ, ଆପଣ ଯଦି ଅବସର ନେଇଯାଆନ୍ତି, ତେବେ ସେମାନେ ଆପଣଙ୍କୁ ଚୟନ କରିପାରିବେ ନାହିଁ। କିନ୍ତୁ ଯଦି ଆପଣ ଖେଳ ଜାରି ରଖନ୍ତି, ତେବେ ଫେରିବାର ବିକଳ୍ପ ରହିଥାଏ। ଭୁବନେଶ୍ୱର କୁମାର ଚାରି ବର୍ଷ ପରେ ଦଳକୁ ଫେରିପାରନ୍ତି, ତେବେ ଅନ୍ୟମାନେ କାହିଁକି ନୁହେଁ?
କପିଳ ଦେବ ଏହା ମଧ୍ୟ ସ୍ବୀକାର କରିଥିଲେ ଯେ, ଆଜିକାଲି ଖେଳାଳିଙ୍କ ପାଖରେ କ୍ରିକେଟର ଅନେକ ବିକଳ୍ପ ରହିଛି। ଟେଷ୍ଟ କ୍ରିକେଟରୁ ଅବସର ନେବା ପରେ ଖେଳାଳିମାନେ ଟି-୨୦ ଲିଗ ଏବଂ ଅନ୍ୟ ଫର୍ମାଟ୍ରେ ନିଜ କ୍ୟାରିୟର ଜାରି ରଖିପାରୁଛନ୍ତି। ତଥାପି ଟେଷ୍ଟ କ୍ରିକେଟରେ ଗୁରୁତ୍ୱ ସବୁଠାରୁ ଅଲଗା ବୋଲି ତାଙ୍କ ମତ।
ବିରାଟ କୋହଲିଙ୍କ ଫିଟନେସ୍କୁ ମଧ୍ୟ କପିଲ ଦେବ ଖୁବ ପ୍ରଶଂସା କରିଥିଲେ। ତାଙ୍କ ମତରେ, କୋହଲି ଏବେ ବି ଟେଷ୍ଟ କ୍ରିକେଟ ଖେଳିବା ପାଇଁ ସମ୍ପୂର୍ଣ୍ଣ ଫିଟ ଥିଲେ। ଅନ୍ୟ ଖେଳାଳିଙ୍କ ତୁଳନାରେ ତାଙ୍କ ଫିଟନେସ ବହୁତ ଭଲ ଏବଂ ସେ ୨୫ ବର୍ଷୀୟ କ୍ରିକେଟରଙ୍କୁ ମଧ୍ୟ ଫିଟନେସର ଟକ୍କର ଦେଇପାରିବେ ବୋଲି କପିଲ କହିଥିଲେ।
ସେ କହିଥିଲେ, ମୋ ମତରେ ଟେଷ୍ଟ କ୍ରିକେଟ ହିଁ ଶ୍ରେଷ୍ଠ କ୍ରିକେଟ। ୧୦ ବର୍ଷ ପରେ କୋହଲି ନିଜ ନିଷ୍ପତ୍ତି ପାଇଁ ଅନୁତାପ କରିବେ। ତାଙ୍କୁ ଅବସର ନେବା ଉଚିତ ନଥିଲା। କୋହଲିଙ୍କ ପାଖରେ ଭଲ ଫିଟନେସ ରହିଛି। ଅନ୍ୟ ଯେକୌଣସି ଖେଳାଳିଙ୍କ ତୁଳନାରେ ତାଙ୍କ ଫିଟନେସ ବହୁତ ଭଲ। ଫିଟନେସ ମାମଲାରେ ସେ ୨୫ ବର୍ଷୀୟ କ୍ରିକେଟରଙ୍କୁ ମଧ୍ୟ ଚ୍ୟାଲେଞ୍ଜ ଦେଇପାରିବେ।
ଏହାସହ କପିଳ କହିଥିଲେ ଯେ, ରାଗ କିମ୍ବା ନିରାଶାରେ ଆସି ଅବସର ନେବାର ନିଷ୍ପତ୍ତି ନେବା ଠିକ ନୁହେଁ। କୋହଲି ପୂର୍ବତନ ଭାରତୀୟ କ୍ରିକେଟର ମହିନ୍ଦର ଅମରନାଥଙ୍କଠାରୁ ଶିକ୍ଷା ନେବା ଉଚିତ ଥିଲା। ଅମରନାଥ ନିଜ କ୍ୟାରିୟରରେ ଅନେକ ଥର ଦଳରୁ ବାଦ ପଡ଼ିଥିଲେ। ହେଲେ ସେ ହାର ମାନି ନଥିଲେ। ଦମଦାର ପ୍ରତ୍ୟାବର୍ତ୍ତନ କରି ସେ ନିଜ ସମାଲୋଚକମାନଙ୍କୁ ଭୁଲ ପ୍ରମାଣିତ କରିଥିଲେ।