Posted inଫୁରସତ

ବିବାଦରେ ଭାଇରସ୍‌

ସାରା ବିଶ୍ବରେ ଆତଙ୍କ ସୃଷ୍ଟି କରିଥିବା କରୋନା ଭାଇରସ୍‌ର ଜନ୍ମ ଯେପରି ରହସ୍ୟମୟ, ସେତିକି ବିସ୍ମୟକର । ପୁଣି ତାକୁ ନେଇ ଏବେ ଅସଂଖ୍ୟ ପ୍ରଶ୍ନବାଚୀ…

ସାରା ବିଶ୍ବରେ ଆତଙ୍କ ସୃଷ୍ଟି କରିଥିବା କରୋନା ଭାଇରସ୍‌ର ଜନ୍ମ ଯେପରି ରହସ୍ୟମୟ, ସେତିକି ବିସ୍ମୟକର ଓ ପ୍ରଶ୍ନବାଚୀ I ଏହା ପଛରେ ମୁଖ୍ୟତଃ ଦୁଇଟି ତତ୍ତ୍ବର ଉପସ୍ଥାପନା ଚର୍ଚ୍ଚାର ବଳୟ ମଧ୍ୟକୁ ଆସିଛି I ପ୍ରଥମ ତତ୍ତ୍ବ ଅନୁସାରେ, ଚାଇନା କୁଆଡେ ବିଶ୍ବ ଅର୍ଥନୀତିକୁ ଦୁର୍ବଳ କରିବା ପାଇଁ ତଥା ବିଶ୍ବରେ ନିଜକୁ ଏକ ମହାଶକ୍ତି ରୂପେ ପ୍ରତିଷ୍ଠା କରିବା ଉଦ୍ଦେଶ୍ୟରେ ଏହି ଭାଇରସ୍‌କୁ ଏକ ଜୈବିକ ଅସ୍ତ୍ର ରୂପେ ନିଜ ପ୍ରୟୋଗଶାଳାରେ ବିକଶିତ କରିଛି I
ଦ୍ବିତୀୟ ତତ୍ତ୍ବ ଅନୁସାରେ, ଏହି ଭାଇରସ୍‌ ପ୍ରକୃତିସୃଷ୍ଟ ନ ହୋଇ ଚାଇନାର ଉହାନ୍‌ ସହରସ୍ଥିତ କୌଣସି ଏକ ପ୍ରୟୋଗଶାଳାରୁ ଆକସ୍ମିକ ରୂପେ ପଦାକୁ ନିଷ୍କ୍ରାନ୍ତ କିମ୍ବା ଲିକ୍‌ ହୋଇଥାଇପାରେ I
ମାତ୍ର ଚାଇନା ଏହି ମତବାଦ ଦୁଇଟିକୁ ଦୃଢ଼ଭାବେ ଖଣ୍ଡନ କରୁଛି I
ଜୈବିକ ଅସ୍ତ୍ର : ଏକ ଜୈବିକ ଅସ୍ତ୍ରରେ ମୁଖ୍ୟତଃ ରୋଗ ସୃଷ୍ଟିକାରୀ କିଛି ଅଣୁଜୀବ ବ୍ୟବହାର କରାଯାଏ, ଯାହାକୁ ସାଧାରଣତଃ ଦେଶର ଜନସାଧାରଣ, ଗୃହପାଳିତ ଜୀବଜନ୍ତୁ କିମ୍ବା ଫସଲ ଉପରେ ପ୍ରୟୋଗ କରାଯାଏ I ଏହା ପ୍ରକୃତରେ ଏକ ଭୟଙ୍କର ଅସ୍ତ୍ର। ଯେହେତୁ ଏହା ବ୍ୟାପ୍ତିର କୌଣସି ଭୌଗୋଳିକ ପରିସୀମା ନଥାଏ ଏବଂ ଏପରିକି ଏହା ଆକ୍ରମଣକାରୀ ରାଷ୍ଟ୍ରର ସୀମା ଭିତରକୁ ମଧ୍ୟ ସଂପ୍ରସାରିତ ହୋଇପାରେ I ବିଶ୍ବର କିଛି ରାଷ୍ଟ୍ର ଯଥା ଯୁକ୍ତରାଷ୍ଟ୍ର ଆମେରିକା, ରୁଷିଆ, ଫ୍ରାନ୍ସ , ଜର୍ମାନୀ, ଜାପାନ୍‌, କାନାଡା, ଇସ୍ରାଏଲ୍‌, ଇରାନ, ଓ ଉତ୍ତର କୋରିଆ ଗୋପନୀୟ ଭାବେ ସମ୍ଭବତଃ କିଛି ମାରାତ୍ମକ ରୋଗ ଯଥା ଆନ୍ଥ୍ରାକ୍ସ , ବସନ୍ତ ଇତ୍ୟାଦି ସୃଷ୍ଟିକାରୀ ବିଭିନ୍ନ ଜୈବିକ ଅସ୍ତ୍ରର ଗବେଷଣା ଓ ବିକାଶ ଦିଗରେ ଉଦ୍ୟମ ଅବ୍ୟାହତ ରଖିଛନ୍ତି I
ପ୍ରକୃତିସୃଷ୍ଟ ସପକ୍ଷରେ ମତବାଦ: ଚାଇନାକୁ ସମର୍ଥନ କରୁଥିବା କିଛି ଗବେଷକ କରୋନା ଭାଇରସର ଜିନୋମ୍‌ ଅନୁକ୍ରମ (Genome Sequence) କୁ ଅନୁଧ୍ୟାନ କରି ସିଦ୍ଧାନ୍ତରେ ପହଞ୍ଚିଛନ୍ତି ଯେ, ସମ୍ଭବତଃ କରୋନା ଭାଇରସ ମନୁଷ୍ୟକୃତ ନ ହୋଇ ପ୍ରାକୃତିକ I ଏଥିପାଇଁ ମୁଖ୍ୟତଃ ଦୁଇଟି କାରଣକୁ ଉଲ୍ଲେଖ କରାଯାଉଛି I ପ୍ରଥମତଃ ଭାଇରସର ଗ୍ରାହକ ବନ୍ଧନସ୍ଥଳୀ କିମ୍ବା ରିସେପ୍ଟର୍‌ ବାଇଣ୍ଡିଙ୍ଗ ଡୋମେନ୍‌
(Receptor Binding Domain- RBD) ରୂପେ ଜଣାଥିବା ଏହାର ସ୍ପାଇକ୍‌ ପ୍ରୋଟିନ୍‌ ସମୟକ୍ରମେ ବିବର୍ତ୍ତିତ ହୋଇ ଏଭଳି ରୂପରେଖରେ ପହଞ୍ଚିଛି ଯେ ଏହା ମନୁଷ୍ୟ ଜୀବକୋଷର ବାହ୍ୟପୃଷ୍ଠରେ ମିଳୁଥିବା ACE ୨ ନାମକ ଏକ ଏନ୍‌ଜାଇମ୍‌ ସହିତ ଅକ୍ଳେଶରେ ସଂଯୋଗ ହୋଇଯାଇପାରୁଛି I
ଭାଇରସର ଏହି ସ୍ପାଇକ୍‌ ପ୍ରୋଟିନ୍‌ ଏତେ ସହଜରେ ମନୁଷ୍ୟ ଜୀବକୋଷ ସହିତ ସଂଯୋଗ ହୋଇପାରୁଛି ଯେ ଏହା କେବଳ ସୁଦୀର୍ଘ ପ୍ରାକୃତିକ ବିବର୍ତ୍ତନ ପ୍ରକ୍ରିୟା ଦ୍ବାରା ହିଁ ସମ୍ଭବପର I ଦ୍ବିତୀୟତଃ କରୋନା ଭାଇରସର ଜିନୀୟ ସଂରଚନା ମନୁଷ୍ୟ ଶରୀରରେ ରୋଗ ସୃଷ୍ଟିକାରୀ ଅନ୍ୟ ଭାଇରସର ଗଠନଠାରୁ ସମ୍ପୂର୍ଣ୍ଣ ଅଲଗା; ବରଂ ଏହି ଭାଇରସର ବାଦୁଡି ଓ ବଜ୍ରକାପ୍ତାଠାରେ ମିଳୁଥିବା ଭାଇରସର ଗଠନ ସହିତ ଘନିଷ୍ଠ ସାମଞ୍ଜସ୍ୟ ରହିଛି I ତେଣୁ କୋଭିଡ୍‌ ଭାଇରସର ଏହି ଦୁଇଟି ବିଶେଷତ୍ତ୍ବ ଯଥା RBD ଅଙ୍ଗର ବିବର୍ତ୍ତନ ଏବଂ ଅଦ୍ବିତୀୟ ଜିନୀୟ ସଂରଚନା ମନୁଷ୍ୟକୃତ ନହୋଇ ବରଂ ପ୍ରକୃତିସୃଷ୍ଟ ବୋଲି ସୂଚନା ଦିଏ I
ଯଦି ଏହା ପ୍ରକୃତିସୃଷ୍ଟ, ତେବେ ଏହାର ପ୍ରାଥମିକ ଉତ୍ସ କ’ଣ ବୋଲି ମନରେ ପ୍ରଶ୍ନ ଉଠେ I ଏହା ସମ୍ଭବତଃ ବାଦୁଡି ଭଳି ଏକ ଜୀବ ଉତ୍ସରୁ ଆସିଛି I
ଏହି ପ୍ରକ୍ରିୟାରେ ମଧ୍ୟ ବଜ୍ରକାପ୍ତା ଭଳି ଏକ ମଧ୍ୟବର୍ତ୍ତୀ ଜୀବ ସଂଶ୍ଳିଷ୍ଟ ଥାଇପାରେ ବୋଲି ବିଶ୍ବାସ କରାଯାଏ I ଏକ ତୃତୀୟ ମତବାଦ ଅନୁସାରେ, ମନୁଷ୍ୟଠାରେ ରୋଗ ସୃଷ୍ଟି କରୁନଥିବା ଗୋଟିଏ ଭାଇରସ୍‌ ପ୍ରଥମେ କୌଣସି ଏକ ଜୀବଠାରୁ ମନୁଷ୍ୟକୁ ସଂଚାରିତ ହୋଇଥିଲା, ଯାହା ମନୁଷ୍ୟ ଶରୀରରେ ଜିନୀୟ ସ୍ତରରେ ଆକସ୍ମିକ ପରିବର୍ତ୍ତନ ବା ମ୍ୟୁଟେଶନ୍‌ ଘଟି ଏବେକାର ମାରାତ୍ମକ ଭାଇରସର ରୂପ ନେଇଛି I
ମନୁଷ୍ୟକୃତ ଉତ୍ସ ସପକ୍ଷରେ ମତବାଦ: ଯୁକ୍ତରାଷ୍ଟ୍ର ଆମେରିକା ଦୃଢ ଭାବରେ ବିଶ୍ବାସ କରେ ଯେ, ଏହି ଭାଇରସ୍‌ ଚାଇନାର ଉହାନ୍‌ ସହର ସ୍ଥିତ କୌଣସି ଜୈବିକ ପ୍ରୟୋଗଶାଳାରୁ ଦୁର୍ଘଟଣା ବଶତଃ ପଦାକୁ ନିଷ୍କ୍ରାନ୍ତ ହୋଇଛି I ଏବେ ଉହାନ୍‌ ସହରରେ ମୁଖ୍ୟତଃ ଦୁଇଟି ଜୈବିକ ପ୍ରୟୋଗଶାଳା କାର୍ଯ୍ୟକାରୀ ରହିଛି : ସେଥିରୁ ଗୋଟିଏ ହେଲା ଉହାନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଭାଇରୋଲୋଜି (Wuhan Institute of Virology – WIV), ଯାହା ବିଗତ ୨୦୦୨ ମସିହାରେ ଫ୍ରାନ୍ସ ସହାୟତାରେ ବିଶ୍ବରେ ସାର୍ସ୍‌ (SARS) ବ୍ୟାଧିର ସଂକ୍ରମଣ ପ୍ରସାର ପରେ ପରେ ପ୍ରତିଷ୍ଠିତ ହୋଇଥିଲା I ଏହା ଚାଇନା ଏକାଡେମୀ ଅଫ୍‌ ସାଇନ୍ସେସ୍‌ ଦ୍ବାରା ପ୍ରତିଷ୍ଠିତ ସମୁଦାୟ ୨୦ଟି ପ୍ରୟୋଗଶାଳା ମଧ୍ୟରୁ ଅନ୍ୟତମ ହୋଇଥିଲେ ହେଁ ଭାଇରସ୍‌ ବିଜ୍ଞାନ ଅଧ୍ୟୟନ କ୍ଷେତ୍ରରେ ଦେଶର ଏକମାତ୍ର ପ୍ରତିଷ୍ଠାନ I ଏହି ପ୍ରତିଷ୍ଠାନରେ ମନୁଷ୍ୟ ଶରୀରରେ ରୋଗ ସଷ୍ଟି କରୁଥିବା ଅନେକ ମାରାତ୍ମକ ଭାଇରସର ନମୁନା ମୁଖ୍ୟତଃ ଗବେଷଣା ପାଇଁ ସଂଗୃହୀତ କରି ରଖାଯାଇଛି I ସେହିପରି ଅନତୀଦୂରରେ ସେହି ଉହାନ୍‌ ସହରରେ ଜୈବିକ ଗବେଷଣା କ୍ଷେତ୍ରରେ କାର୍ଯ୍ୟ କରୁଥିବା ଏକ ଦ୍ବିତୀୟ ପ୍ରତିଷ୍ଠାନ ଯଥା ଉହାନ୍‌ ବ୍ୟାଧି ନିୟନ୍ତ୍ରଣ କେନ୍ଦ୍ର ( Wuhan Centre for Disease Control – WCDC) ଅବସ୍ଥିତ I ଏହା କରୋନା ପ୍ରଥମେ ବ୍ୟାପିଥିବା ମାଂସ ବଜାରଠାରୁ ମାତ୍ର ୩ କି.ମି. ଦୂରରେ ଅବସ୍ଥିତ I ଏହି ପ୍ରତିଷ୍ଠାନ ମଧ୍ୟ ବାଦୁଡିମାନଙ୍କ ଉପରେ କରୋନା ଭାଇରସର ସଂକ୍ରମଣ ନେଇ ଗବେଷଣା କରି ଆସୁଥିବା ସନ୍ଦେହ କରାଯାଏ I ବିଗତ ୨୦୧୮ ମସିହାଠାରୁ ଯୁକ୍ତରାଷ୍ଟ୍ର ଆମେରିକା ଏହି ଦୁଇ ଅନୁଷ୍ଠାନରେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଉପଲବ୍ଧ ନଥିବା ଦର୍ଶାଇ ଅଭିଯୋଗ କରିଆସୁଛି I ଆମେରିକା ମତରେ, ଏଭଳି ମହତ୍ତ୍ବପୂର୍ଣ୍ଣ ଅନୁଷ୍ଠାନକୁ ଠିକ୍‌ ରୂପେ ପରିଚାଳନା କରିବା ପାଇଁ ପ୍ରଶିକ୍ଷିତ କର୍ମଚାରୀ କିମ୍ବା ଭିତ୍ତିଭୂମିର ଘୋର ଅଭାବ ରହିଛି I
ବିଶେଷଜ୍ଞମାନଙ୍କ ମତରେ, ସୁରକ୍ଷାର ସମସ୍ତ ନିୟମକୁ ଜଳାଞ୍ଜଳି ଦେଇ ଏହି ଦୁଇ ପ୍ରତିଷ୍ଠାନରେ ମାରାତ୍ମକ ଭାଇରସମାନଙ୍କୁ ଦିଶାନିର୍ଦ୍ଧାରିତ ଜୈବିକ ସୁରକ୍ଷା ସ୍ତର (Bio Safety Level- BSL) – ୪ ପରିବର୍ତ୍ତେ ଏକ ନିମ୍ନମାନର ଜୈବିକ ସୁରକ୍ଷା ସ୍ତର -୨ ଅନୁସାରେ ଅଧ୍ୟୟନ କରାଯାଉଥିଲା, ଯାହା ବାସ୍ତବକ୍ଷେତ୍ରରେ ଅତି ବିପଦପୂର୍ଣ୍ଣ I କରୋନା ସଂକ୍ରମଣର ଶିକାର ହୋଇଥିବା ପ୍ରଥମ ରୋଗୀ ସମ୍ଭବତଃ ଏହି ଦୁଇଟି ପ୍ରୟୋଗଶାଳା ମଧ୍ୟରୁ ଗୋଟିକରେ ଜଣେ କର୍ମଚାରୀ ରୂପେ କାର୍ଯ୍ୟ କରୁଥିଲେ I ସେ ହୁଏତ ମହିଳା କିମ୍ବା ପୁରୁଷ କର୍ମଚାରୀ ହୋଇପାରନ୍ତି I ସେ ସମ୍ଭବତଃ କାର୍ଯ୍ୟ ସମୟରେ ଦୁର୍ଘଟଣାବଶତଃ ଉପରୋକ୍ତ ଅନୁଷ୍ଠାନରେ ସଂରକ୍ଷିତ ଥିବା ଭାଇରସର କୌଣସି ନମୁନା ସଂସ୍ପର୍ଶରେ ଆସି କରୋନା ଇତିହାସର ପ୍ରଥମ ସଂକ୍ରମଣର ଶିକାର ହୋଇଥିଲେ I ପରବର୍ତ୍ତୀ ସମୟରେ ସେ ନିକଟସ୍ଥ ମାଂସ ବଜାରକୁ ମାଂସ କିଣିବା ପାଇଁ ଯାଇଥିବା ସମୟରେ ପଦାକୁ ସଂକ୍ରମଣର ଦ୍ବାର ଖୋଲି ଦେଇ ଦୁନିଆକୁ ଏକ ବଡ଼ ବିପଦ ମୁଁହକୁ ଠେଲି ଦେଇଥିଲେ I
ନୂତନ ତଥ୍ୟ: ମାତ୍ର ଚାଇନା ଏହି ଭାଇରସର ପ୍ରୟୋଗଶାଳାରୁ ଦୁର୍ଘଟଣାବଶତଃ ଲିକ୍‌ କିମ୍ବା ମନୁଷ୍ୟକୃତ ଉତ୍ସ ମତବାଦକୁ ଦୃଢ ରୂପେ ଖଣ୍ଡନ କରୁଛି I କରୋନା ଭାଇରସ ଯେ ମନୁଷ୍ୟକୃତ ନ ହୋଇ ବରଂ ପ୍ରାକୃତିକ, ଚାଇନାର ଏହି ମତବାଦକୁ ମଧ୍ୟ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ସମର୍ଥନ କରି ଆସିଛି I
ତେବେ ଯୁକ୍ତରାଷ୍ଟ୍ର ଆମେରିକା ଏଭଳି ସ୍ପଷ୍ଟୀକରଣକୁ ଗ୍ରହଣ ନକରି ଏହା ଚାଇନା ପ୍ରୟୋଗଶାଳାରେ ସୃଷ୍ଟ ବୋଲି ଆରମ୍ଭରୁ ଦୋହରେଇ ଆସିଛି I ସେଥିପାଇଁ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏହି ଭାଇରସକୁ ‘ଉହାନ୍‌ ଭାଇରସ୍‌’ ବୋଲି ଆଖ୍ୟା ଦେଇଥିଲେ I ଏବେକାର ରାଷ୍ଟ୍ରପତି ଜୋ ବାଇଡେନ୍‌ ମଧ୍ୟ ଭାଇରସର ସୃଷ୍ଟି ପଛରେ କିଛି ମନୁଷ୍ୟକୃତ କାର୍ଯ୍ୟକଳାପ ରହିଥିବାର ସନ୍ଦେହ କରି ଏ ସଂକ୍ରାନ୍ତରେ ଅନୁସନ୍ଧାନ କରି ଆଗାମୀ ତିନି ମାସ ମଧ୍ୟରେ ରିପୋର୍ଟ ଦାଖଲ କରିବା ନିମନ୍ତେ ବିଭାଗୀୟ କର୍ତ୍ତୁପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି I ଆମେରିକା ମତରେ ଆଗାମୀ ଦିନରେ ଏଭଳି ଘାତକ ବୈଶ୍ବିକ ମହାମାରୀର ଆବିର୍ଭାବକୁ ରୋକିବା ପାଇଁ ହେଲେ ଏବେକାର କରୋନା ଭାଇରସର ଇତିିବୃତ୍ତ ଓ ଜନ୍ମରହସ୍ୟ ଜାଣିବା ନିହାତି ଆବଶ୍ୟକ I
ଦୀର୍ଘ ଦିନର ନୀରବତା ପରେ ଏବେ ନିକଟରେ କିଛି ନୂତନ ତଥ୍ୟ ଲୋକଲୋଚନକୁ ଆସିଛି, ଯାହା ଚାଇନା ଦ୍ବାରା ଭାଇରସର ମନୁଷ୍ୟକୃତ ଉତ୍ପତ୍ତି ମତବାଦର ସମର୍ଥନ କରୁଛି I ପ୍ରଥମତଃ ଚାଇନା ଗତ ୨୦୧୯ ମସିହା ଡିସେମ୍ବରରେ କରୋନା ଭାଇରସର ଉତ୍ପତ୍ତି ସମ୍ପର୍କରେ ବିଶ୍ବକୁ ଅବଗତ କରାଇବାର ପ୍ରାୟ ମାସେ ପୂର୍ବରୁ ଉହାନ୍‌ ପ୍ରୟୋଗଶାଳାର କିଛି ଗବେଷକ କୋଭିଡ୍‌ ଭଳି ଲକ୍ଷଣରେ ଆକ୍ରାନ୍ତ ହୋଇ ଚିକିତ୍ସା ନିମନ୍ତେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି ହୋଇଥିବାର ପ୍ରମାଣ ମିଳିଛି I ଏବେ ଚାଇନା କିନ୍ତୁ ଏ ସଂକ୍ରାନ୍ତୀୟ ପ୍ରମାଣ ଏବଂ ଦସ୍ତାବିଜକୁ ନଷ୍ଟ କରି ଦେଲାଣି I ଦ୍ବିତୀୟତଃ ଏବେ ଦୁଇ ଜଣ ଯୁରୋପୀୟ ଗବେଷକ ଯଥା ବ୍ରିଟେନର ପ୍ରଫେସର୍‌ ଅଙ୍ଗସ୍‌ ଡଲଗ୍ଲିସ୍‌ ଏବଂ ନରଓ୍ବେର ଡକ୍ଟର ବର୍ଜର ସୋରେନସେନ୍‌ ଏ ସଂକ୍ରାନ୍ତରେ ଅଧିକ ଗବେଷଣା କରି ଜାଣିବାକୁ ପାଇଛନ୍ତି ଯେ, କରୋନା ଭାଇରସ ପ୍ରାକୃତିକ ବାଦୁଡି ଉତ୍ସରୁ ଉତ୍ପତ୍ତି ନ ହୋଇ ବରଂ ଚାଇନାର ପ୍ରୟୋଗଶାଳାରୁ ସୃଷ୍ଟ, ଯାହାକୁ ଚାଇନା ରିଭର୍ସ ଇଞ୍ଜିନିୟରିଂକୌଶଳ ଦ୍ବାରା ଏବେକାର ରୂପରେଖରେ ପରିଣତ କରି ପ୍ରକୃତ ତଥ୍ୟ ଲୁଚାଇ ଦେଇଛି I ତୃତୀୟତଃ ଗତ ବର୍ଷ ଫେବୃୟାରୀ ମାସରେ ସାଉଥ୍‌ ଚାଇନା ୟୁନିଭର୍ସିଟି ଅଫ୍‌ ଟେକ୍ନୋଲୋଜିରେ କାର୍ଯ୍ୟରତ ବୋଟାଓ ଜିଆଓ ନାମକ ଜଣେ ଚାଇନା ଗବେଷକ ଏକ ସନ୍ଦର୍ଭ ପ୍ରକାଶ କରି ଭାଇରସ ପ୍ରୟୋଗଶାଳାରୁ ସୃଷ୍ଟ ବୋଲି ମତପୋଷଣ ପୂର୍ବକ ପ୍ରତିଷ୍ଠାନର ସୁରକ୍ଷା ଉପରେ ଘୋର ଆଶଙ୍କା ପ୍ରକାଶ କରିଥିଲେ I ମାତ୍ର ପରବର୍ତ୍ତୀ ସମୟରେ ସେ ସମ୍ଭବତଃ ଚାଇନା ସରକାରଙ୍କ ଚାପର ବଶବର୍ତ୍ତୀ ହୋଇ ଏହି ସନ୍ଦର୍ଭ ପ୍ରତ୍ୟାହୃତ କରିନେଇଥିଲେ I
ତେବେ କରୋନା ଭାଇରସ୍‌ର ଜନ୍ମ ସମ୍ପର୍କରେ ଏଭଳି ଅନେକ ବାଦବିବାଦ ଲାଗି ରହିଥିବାବେଳେ ଆଗାମୀ ଦିନରେ ଏ ସଂକ୍ରାନ୍ତରେ ପରବର୍ତ୍ତୀ ଗବେଷଣା ଅଧିକ ଆଲୋକପାତ କରିବ ବୋଲି ବିଶ୍ବାସ କରାଯାଏ I

-ନିକୁଞ୍ଜ ବିହାରୀ ସାହୁ
ଏଜୁକେଶନ ଅଫିସର, ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର,
ଭୋପାଳ, ମଧ୍ୟପ୍ରଦେଶ
ମୋ : ୮୯୧୭୬୩୭୯୭୪


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?