ଆମ ଦେଶର ସମ୍ବିଧାନରେ ଉଦ୍ଘୋଷଣା ରହିଛି ଯେ ସବୁ ନାଗରିକ ସମାନ, ତା’ଛଡ଼ା ମଝିରେ ମଝିରେ ସୁପ୍ରିମକୋର୍ଟ ବି ତାଙ୍କର ଆଦେଶରେ ତାକୁ ପୁନରୁକ୍ତି କରନ୍ତି କାଳେ ଲୋକେ ଭୁଲିଯାଇଥିବେ ବୋଲି। ମାତ୍ର ଦେଶର ସାଧାରଣ ଲୋକ ଜଣେ କ’ଣ ସତରେ ଭାବିପାରେ, ମାନବ୍ୟବରଙ୍କ ପାଇଁ ଯେଉଁ ସୁବିଧା ସୁଯୋଗ ତା’ର କାଣିଚାଏ ତା’ କପାଳରେ କେବେ ପଡ଼ିବ…?
ଅତି ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଆମେ ବାରମ୍ବାର ଗୋଟିଏ ଇଂରାଜୀ ଶବ୍ଦସଂଯୋଗ ଭିତରେ ବାନ୍ଧି ଦେଲୁଣି ଯେ ତାହା ଆଉ କେବଳ ଇଂରାଜୀ ହୋଇରହିନାହିଁ। ଭିଆଇପିର ବିନ୍ୟାସ କ’ଣ ହୁଏତ ସମସ୍ତେ କହି ନ ପାରନ୍ତି, ମାତ୍ର ଏହା ଯେ ମାନ୍ୟବରଙ୍କର ଏକ ବିଶେଷ ପ୍ରକରଣ ତାହା ଯେ କେହି କହିଦେବେ। ସେମାନଙ୍କ ଭିତରୁ କେହି ସାମ୍ବିଧାନିକ ପଦବୀରେ ଆସୀନ ଥାଆନ୍ତି ତ କେହି କେହି ପୂର୍ବତନ ହେଲେ ମଧ୍ୟ ଆଳଙ୍କାରିକ ସୁଖସୁବିଧା ତାଙ୍କୁ ଛାଡ଼ି ନ ଥାଏ। ଆଉ କିଛି ତୁଙ୍ଗ ଅଧିକାରୀ ପର୍ଯ୍ୟାୟର ଅବା ଆଉ କେତେକଙ୍କୁ ରାଜ୍ୟ ସରକାର ବିଭିନ୍ନ କାରଣରୁ ନିଜର ଅତିଥି ପଦବାଚ୍ୟ ବୋଲି ଘୋଷଣା କରନ୍ତି।
ରାଷ୍ଟ୍ରର ପ୍ରଧାନ ଦାୟିତ୍ୱ ହେଲା ତା’ର ନାଗରିକଙ୍କର ସୁରକ୍ଷା, କାରଣ ରାଷ୍ଟ୍ର କଥା ଯେତେବେଳେ ପ୍ରଥମେ ମଣିଷ ମନରେ ଆସିଥିଲା ସେତେବେଳେ ସୁରକ୍ଷା ଥିଲା ସର୍ବାଗ୍ରେ। ଆଜିକାଲି ବିକାଶର ନୂଆ ରଙ୍ଗ ରାଷ୍ଟ୍ରର ଦାୟିତ୍ୱରେ ମିଶିଲା ପରେ ବି ନିର୍ଦ୍ୱନ୍ଦ୍ୱରେ କୁହାଯାଇପାରିବ ଯେ ବ୍ୟକ୍ତିର ସୁରକ୍ଷା ସବା ଆଗରେ। ରାଷ୍ଟ୍ରର ପ୍ରତିରକ୍ଷାଠାରୁ କୌଣସି ଗୁଣରେ କମ୍ ନୁହେଁ।
ଗଣରାଜ୍ୟ ଢାଞ୍ଚାରେ ଗଠିତ ଆମ ସମ୍ବିଧାନରେ ଉଭୟ କେନ୍ଦ୍ର ସରକାର ଓ ପ୍ରାଦେଶିକ ସରକାରଙ୍କ ପ୍ରାବଧାନ ରହିଛି। ଶାନ୍ତି ଶୃଙ୍ଖଳା ରକ୍ଷା ଦାୟିତ୍ୱ ସାଧାରଣତଃ ରାଜ୍ୟ ସରକାରଙ୍କର ଏବଂ ରାଜ୍ୟରେ ମୁତୟନ ହୋଇଥିବା ପୋଲିସବାହିନୀ ଉପରେ। ତେଣୁ ନାଗରିକଙ୍କ ସୁରକ୍ଷା ପରୋକ୍ଷରେ ରାଜ୍ୟ ପୋଲିସ ବଳ ଉପରେ ନ୍ୟସ୍ତ କହିଲେ ଚଳେ।
ଦେଶରେ ଅସ୍ଥିରତା ସୃଷ୍ଟି କରିବାକୁ ସବୁବେଳେ ପ୍ରସ୍ତୁତ ହେଉଥାନ୍ତି ଦେଶ ବିରୋଧୀ ଶକ୍ତିମାନେ। ଦେଶର ପ୍ରଗତି ରୋକିବା ପାଇଁ ତାହାକୁ ଆୟୁଧ କରିଥା’ନ୍ତି ସେଇମାନେ। ଯଦିଓ ଆମେ ବେଳେବେଳେ ଗଣମାଧ୍ୟମରେ ପଢ଼ୁ ବିଦେଶର କେଉଁ ଦୋକାନକୁ ହଠାତ୍ ତାଙ୍କର ପ୍ରଧାନମନ୍ତ୍ରୀ ପଶିଯାଇ ସେଠାରୁ କ’ଣ ଜିନିଷ କିଣିପକାଇଲେ ବା କେଉଁ ପାଶ୍ଚାତ୍ୟ ଦେଶର ରାଷ୍ଟ୍ରପତି ସାଇକେଲରେ ତାଙ୍କ ଅଫିସକୁ ଗଲେ , ସେଗୁଡ଼ିକ ଆମ ଦେଶରେ ହେବା ସମ୍ଭବ ନୁହେଁ। ଆମ ଦେଶ ଜଣେ କାର୍ଯ୍ୟରତ ପ୍ରଧାନମନ୍ତ୍ରୀଙ୍କ ଆତତାୟୀ ଦ୍ୱାରା ହତ୍ୟା ଅଙ୍ଗେ ନିଭେଇଛି। ଅନେକ କାର୍ଯ୍ୟରତ ତୁଙ୍ଗ ନେତୃବୃନ୍ଦଙ୍କ ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁ ଘଟିଛି। ତେଣୁ ଦେଶର ପ୍ରାଥମିକତା ହେଉଛି ତା’ର ନେତୃବୃନ୍ଦଙ୍କୁ ଯଥାର୍ଥ ସୁରକ୍ଷା ଦେବା, ଅନ୍ୟଥା କେତେବେଳେ ବିକାଶ ଦିଗହରା ହେବ, କେତେବେଳେ ଗୃହଯୁଦ୍ଧ ପରିସ୍ଥିତି ସୃଷ୍ଟି ହେବ ତାହା କେହି କହିପାରିବେ ନାହିଁ।
ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଥିବା ନେତୃମଣ୍ଡଳୀଙ୍କ ପାଇଁ ସ୍ପେଶାଲ ପ୍ରୋଟେକ୍ଶନ ଗ୍ରୁପ୍ର ଏନ୍ଏସଜି କମାଣ୍ଡୋମାନେ ଦିନରାତି ନିୟୋଜିତ ହୋଇଥାନ୍ତି। ଦେଶର ପ୍ରଧାନମନ୍ତ୍ରୀ ଓ ତାଙ୍କ ପରବାର ବର୍ଗଙ୍କୁ ଦିଆଯାଉଥିବା ସୁରକ୍ଷା ପାଇଁ ନିୟୋଜିତ ଏସ୍ପିଜି ଏକ ତିନିହଜାର ସଂଖ୍ୟା ବିଶିଷ୍ଟ ଅତ୍ୟାଧୁନିକ କୌଶଳରେ ତାଲିମ ନେଇଥିବା ବିଶାଳ ବାହିନୀ। ଅର୍ଥାତ୍ ଭିଆଇପି ସୁରକ୍ଷା ରାଷ୍ଟ୍ରର ଏତେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ହୋଇଥିବାବେଳେ ଜଣେ ଦାୟିତ୍ୱବାନ ନାଗରିକ ଭାବରେ ଯଦି ଆପଣ ସେ ବିଷୟରେ କିଛି ତଥ୍ୟ ହାସଲ କରିବାକୁ ଚାହିଁବେ ଗୋପନୀୟତା ଆଧାରରେ ଆପଣଙ୍କ ଦରଖାସ୍ତକୁ ବାରମ୍ବାର କର୍ତ୍ତୃପକ୍ଷ ନାକଚ କରିବେ। ଆପଣଙ୍କ ଧୈର୍ଯ୍ୟ ପରଖିବେ। ଏକଦା ଓଡ଼ିଶାର ଜଣେ କ୍ୟାବିନେଟ୍ ପାହ୍ୟା ତୁଲ୍ୟ ପଦବୀରେ ଥିବା ଜଣେ ବ୍ୟକ୍ତିଙ୍କ ପାଇଁ ରାଜ୍ୟ ସରକାର ଚଉସ୍ତରି ଜଣ ପୋଲିସ ନିୟୋଜିତ କରିଥିଲେ ବୋଲି ରାଜ୍ୟ ସୂଚନା ଅଧିକାର କର୍ମୀ ଜଣେ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ।
ଏବେ ଆମ ରାଜ୍ୟରେ କାହାକୁ କାହାକୁ ସୁରକ୍ଷା ପାଇଁ କେତେ ପୋଲିସ ଯୋଗାଇ ଦିଆଯାଇଛି ପ୍ରଶ୍ନ କଲେ ଆପଣଙ୍କୁ ଉତ୍ତର ମିଳିବା ପରିବର୍ତ୍ତେ କେଉଁମାନଙ୍କୁ କେଉଁ ଭିିତ୍ତିରେ ତାହା ଯୋଗାଇ ଦିଆଯାଏ ତାହା ଜଣାଇଦିଆଯିବ। ଆପଣ ସେତେବେଳେ ନିଶ୍ଚିତ ହେବେ ଯେ ଏହି ସଂଖ୍ୟା ଏକ ନିର୍ଦ୍ଦିଷ୍ଟ ସଂଖ୍ୟା ନୁହେଁ। ସାମ୍ବିଧାନିକ ସର୍ବୋଚ୍ଚ ପଦବୀରେ ଥିବା ବ୍ୟକ୍ତିମାନଙ୍କୁ ରାଜ୍ୟରେ ଜେଡ୍ ପ୍ଲସ୍ ସୁରକ୍ଷା ଯୋଗାଇ ଦିଆଯାଏ। ହାରାହାରି ଜଣକ ପାଇଁ ପଞ୍ଚାବନ ଜଣ ପୋଲିସ ନିୟୋଜିତ ହୋଇଥାନ୍ତି ଏବଂ ଏଥିପାଇଁ ସରକାରଙ୍କୁ ମାସିକ ପଚାଶ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ।
କାହାକୁ ସରକାରୀ ସୁରକ୍ଷା ଯୋଗାଇ ଦିଆଯିବ ସେଥିପାଇଁ ରାଜ୍ୟର ଗୃହ ବିଭାଗର ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ନିଷ୍ପତ୍ତି ନେଇଥାଏ। ସମ୍ପୃକ୍ତ ବ୍ୟକ୍ତିଙ୍କର ସାମ୍ବିଧାନିକ ଓ ସାମାଜିକ ଗୁରୁତ୍ୱ, ସେମାନଙ୍କର ଜୀବନ ପ୍ରତି ଥିବା ବିପଦ ଓ ଅନେକ ଆନୁଷଙ୍ଗିକ ପରିସ୍ଥିତିକୁ ଅନୁଧ୍ୟାନ କରି ତାହା ବିଚାର କରାଯାଏ। ମାତ୍ର ପରିତାପର ବିଷୟ ହେଉଛି ଅନେକ କ୍ଷମତାଶାଳୀ ବ୍ୟକ୍ତି ସେମାନଙ୍କ ସୁରକ୍ଷା ବନ୍ଦୋବସ୍ତକୁ ନିଜର ଷ୍ଟାଟସ୍ ସିମ୍ବଲ ଭାବରେ ଗ୍ରହଣ କରିଥାନ୍ତି। କେତେବେଳେ ସେଥିରେ ଟିକିଏ ଊଣା ହେଲେ ସେମାନଙ୍କର ରୋଷର ଶିକାର ହେବାକୁ ପଡ଼େ ସରକାରଙ୍କୁ କିମ୍ବା ସମ୍ପୃକ୍ତ ଅଧିକାରୀଙ୍କୁ।
ବିପଦର ଆଶଙ୍କାକୁ ଆକଳନ କରି ସୁରକ୍ଷା ବଳୟରେ ଥିବା ବ୍ୟକ୍ତିମାନଙ୍କୁ ଜେଡ୍ପ୍ଲସ୍, ଜେଡ୍, ୱାଇପ୍ଲସ୍, ୱାଇ, ଏକ୍ସ ଇତ୍ୟାଦି ବିଭକ୍ତୀକରଣ କରାଯାଇଥାଏ। ଯେତେବେଳେ କେନ୍ଦ୍ରରୁ ପ୍ରଧାନମନ୍ତ୍ରୀ କିମ୍ବା ରାଷ୍ଟ୍ରପତି, ଉପରାଷ୍ଟ୍ରପତି ରାଜ୍ୟକୁ ଆସନ୍ତି ତାଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣରେ ସୁରକ୍ଷା ବନ୍ଦୋବସ୍ତ ହୁଏ। ଓଡ଼ିଶା ପରି ରାଜ୍ୟରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଅନେକ ଉଚ୍ଚପଦବୀଧାରୀଙ୍କ ବ୍ୟଗ୍ରତା ହେତୁ ଓଡ଼ିଶାରେ ଭିଆଇପି ସୁରକ୍ଷା ଚାପ ପୋଲିସ ଉପରେ ମାତ୍ରାଧିକ ଭାବରେ ପଡ଼େ।
ଗୋଟିଏ ସ୍ବାଧୀନ ଦେଶରେ ପୋଲିସ ବଳ କେତେ ହେବା ଆବଶ୍ୟକ ତାହା ମୋଟାମୋଟି ଭାବରେ ଜାତିସଂଘର ଏକ ରିପୋର୍ଟରୁ ଜଣାଯାଏ। ପ୍ରତି ଏକଲକ୍ଷ ଜନସଂଖ୍ୟା ପାଇଁ ପୋଲିସ ବଳ ଦୁଇଶହ ବାଇଶ ହେବା ଆବଶ୍ୟକ ବୋଲି ସେଥିରେ କୁହାଯାଇଥିବା ବେଳେ ଆମ ରାଜ୍ୟରେ ତାହାର ସଂଖ୍ୟା ବର୍ତ୍ତମାନ ପ୍ରାୟ ୧୫୬ ମାତ୍ର। ଆମେ ସମସ୍ତେ ସହମତ ହେବା ଯେ ଦିନକୁ ଦିନ ମଣିଷ ସମାଜ ଅଧୋପତିତ ହେବା ସହିତ ବିଶୃଙ୍ଖଳା ବଢ଼ିଯାଇଛି। ଆଜି ଏମିତି କିଛି ଲୋକଗହଳି ଥିବା ପରିସ୍ଥିତି ନାହିଁ ଯେଉଁଠି ବିନା ପୋଲିସରେ କାମ ଚଳିଯିବ। ପୋଲିସର କାମ କହିଲେ ସାଧାରଣତଃ ନାଗରିକଙ୍କ ଧନଜୀବନର ସୁରକ୍ଷା ବୁଝାଉଥିବା ବେଳେ ବସ୍ତୁତଃ ତା’ ଭିତରେ ଅନ୍ତର୍ଭୁକ୍ତ ହୁଏ ଅପରାଧ ନିୟନ୍ତ୍ରଣ, ଆଇନ ଶୃଙ୍ଖଳା ପରିସ୍ଥିତି, ଟ୍ରାଫିକ୍ ସୁପରିଚାଳନା, ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା, ଅପରାଧୀକୁ ଖୋଜିବା ଓ ଚାର୍ଜଶିଟ୍ ପ୍ରସ୍ତୁତି, ପରୀକ୍ଷା ପରିଚାଳନାରେ ସହଯୋଗ, ଆଉ ଭିଆଇପି ସୁରକ୍ଷା ଇତ୍ୟାଦି। ଅନ୍ୟ କାମରେ ଟିକିଏ ବିଳମ୍ବ ହୁଏତ ହୋଇପାରେ ମାତ୍ର ବିଶେଷ ସୁରକ୍ଷା ବଳୟରେ ଥିବା ବ୍ୟକ୍ତିଙ୍କ ସୁରକ୍ଷାରେ ସାମାନ୍ୟ ତ୍ରୁଟି ହେଲେ ସେମାନଙ୍କ ଚାକିରି ଯେ ବିପନ୍ନ ଏକଥା ସେମାନେ ଠିକ୍ ବୁଝିଥାନ୍ତି।
ତେଣୁ ସାଧାରଣ ନାଗରିକଙ୍କ ସୁରକ୍ଷା, ଆପତ୍ତି ଅଭିଯୋଗ ସବୁବେଳେ ଆପେ ଆପେ ପ୍ରାଥମିକତା ତାଲିକାରେ ସବାଶେଷ ଧାଡ଼ି ପାଲଟିଯାଏ। ଏକେ ତ ଆମର ପୋଲିସ ବାହିନୀରେ ଯେତେ ସଂଖ୍ୟା ପୋଲିସ ରହିବା କଥା ତାଠାରୁ କମ୍ ଅଛନ୍ତି ଏବଂ ବହୁବିଧ କାମରେ ବ୍ୟସ୍ତ ରହି ଆମର ପୋଲିସ ଅବଶ ହୋଇପଡ଼ନ୍ତି ତା’ର ଫଳ କାହାକୁ ଅଜଣା ରହେ ନାହିଁ। ସେମାନଙ୍କୁ ଦୈନିକ ବାରରୁ ଷୋହଳ ଘଣ୍ଟା ପର୍ଯ୍ୟନ୍ତ କାମ କରିବାକୁ ପଡ଼େ। ବେଳେବେଳେ ପ୍ରଭୂତ କ୍ଷମତାଶାଳୀମାନେ ଦୀର୍ଘ ରୋଡ୍ ଶୋ’ କରିବାକୁ ଦାବି କରନ୍ତି ତାହାକୁ ସର୍ବାଧିକାର ସୂତ୍ରରେ ପୂରଣ କରାଯାଏ। ଗୋଟିଏ ବଡ଼ ଭିଆଇପି ଗସ୍ତ ସରିଲେ ପୋଲିସ ଅଧିକାରୀମାନେ ସେ ଦିନର ଚାକିରି ବଞ୍ଚିଗଲା ଭାବି ତ୍ରାହି ତ୍ରାହି କହନ୍ତି। ମାତ୍ର ଭିଆଇପି ସୁରକ୍ଷାରେ ବ୍ୟସ୍ତ ରହିବା ଫଳରେ ଅନ୍ୟାନ୍ୟ କାର୍ଯ୍ୟ ମନ୍ଥର ହୁଏ, ଯାହାର ଫଳ ହୁଏ ଆମର ନ୍ୟାୟାଳୟରେ ଦଣ୍ଡାଦେଶ ହାର ଦଶ ପ୍ରତିଶତ। ନିଖୋଜ ବ୍ୟକ୍ତିଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ଘଟେ। ସାଧାରଣ ନାଗରିକଟିଏ ମୁହଁ ଶୁଖାଇ କହିବା ଛଡ଼ା ଚାରା ନ ଥାଏ – ‘ଭିଆଇପି ସୁରକ୍ଷା ସବା ଆଗରେ – ନାଗରିକ କଥା କିଏ ପଚାରେ?’
-ଲେଖକ ଭାରତୀୟ ପ୍ରଶାସନିକ ସେବାର ପୂର୍ବତନ ଅଧିକାରୀ
ଡ.ନିରଞ୍ଜନ ସାହୁ