ତୃତୀୟ ପର୍ଯ୍ୟାୟରେ ହିଂସା ବୃଦ୍ଧି

ଭୁବନେଶ୍ୱର,୨୧ା୨(ବ୍ୟୁରୋ): ରାଜ୍ୟରେ ପଞ୍ଚାୟତ ନିର୍ବାଚନ ବେଳକୁ ବେଳ ଉଗ୍ରରୂପ ଧାରଣ କରୁଛି। ନିଜ ସପକ୍ଷରେ ଜନମତ ନେବାକୁ ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକ ହିଂସାକାଣ୍ଡର ସାହାରା ନେଉଛନ୍ତି। ଗତ ଦୁଇଟି ପର୍ଯ୍ୟାୟ ନିର୍ବାଚନରେ ଭୋଟ ବାକ୍ସ ନେଇଯିବା, ବାଲଟ ପେପର ଚିରିବା, ବୁଥ୍‌ ଜବରଦଖଲ କରିବା, ଭୋଟ ବାକ୍ସ ପୋଖରୀକୁ ଫିଙ୍ଗିଦେବା, ମାରପିଟ, ଗୋଷ୍ଠୀସଂଘର୍ଷ ଭଳି ଘଟଣାରୁ ଏହା ସ୍ପଷ୍ଟ ହୋଇଛି। ତେବେ ରବିବାର ଅନୁଷ୍ଠିତ ତୃତୀୟ ପର୍ଯ୍ୟାୟ ମତଦାନ ସମସ୍ତ ସୀମା ଟପିଯାଇଛିି। ଏହି ପର୍ଯ୍ୟାୟରେ ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସ, ବିଡିଓ ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ ଆକ୍ରମଣକାରୀ ପିଟିବାକୁ ପଛାଇ ନାହାନ୍ତି। ନିଜ ଜୀବନ ବଞ୍ଚାଇବାକୁ ସୁରକ୍ଷା କର୍ମୀଙ୍କୁ ସର୍ଭିସ ରିଭଲଭରରୁ ବ୍ଲାଙ୍କ୍‌ ଫାୟାରିଂ କରିବାକୁ ପଡୁଛି। ନିର୍ବାଚନ ଏତେ ଉଗ୍ର ହୋଇଛି ଯେ ବୁଥ୍‌ ସୁରକ୍ଷା ଦାୟିତ୍ୱରେ ଥିବା ସୁରକ୍ଷା କର୍ମୀ ଓ ନିର୍ବାଚନ ପରିଚାଳନା କରୁଥିବା କର୍ମଚାରୀ ନିଜକୁ ଅସହାୟ ମଣୁଛନ୍ତି।
ଗତ ଦୁଇ ପର୍ଯ୍ୟାୟ ଭଳି ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ମଧ୍ୟ ଯାଜପୁର ଜିଲାର ବିଭିନ୍ନ ସ୍ଥାନରେ ହିଂସା ଦେଖିବାକୁ ମିଳିଛି। ବିଞ୍ଝାରପୁର ବ୍ଲକ ବାଛୋଳ ପଞ୍ଚାୟତର ୨ ନଂ. ବୁଥ୍‌ରେ ୪ ଖବରଦାତାଙ୍କୁ ଆକ୍ରମଣ ହୋଇଛି। ଆହତ ଖବରଦାତାମାନେ ହେଲେ ଅର୍ଗସ୍‌ ନ୍ୟୁଜ୍‌ର ଗୁଲସାହାନୱାଜ ଅଲ୍ଲି ଖାନ, କନକ ନ୍ୟୁଜ୍‌ର ବିଜୟ ସାହୁ, କଳିଙ୍ଗ ଟିଭିର ଦେବାଶିଷ ସାହୁ ଏବଂ ଓଡ଼ିଶା ସମ୍ବାଦର ହିମାଂଶୁ ପାଢ଼ୀ। ଦୁର୍ବୃତ୍ତମାନେ ବୁଥ୍‌ ରିଗିଂ ଉଦ୍ୟମ ବେଳେ ଏହି ଖବରଦାତାମାନେ ଖବର ସଂଗ୍ରହ କରୁଥିଲେ। ଏହି ସମୟରେ ଦୁର୍ବୃତ୍ତମାନେ ସେମାନଙ୍କୁ ନିର୍ଧୂମ ମାଡ଼ ମାରିବା ସହ ସେମାନଙ୍କ ଗାଡ଼ି ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି। ଏପରିକି ସେମାନେ ଭୋଟ ବାକ୍ସ ସହ ଅର୍ଗସ୍‌ ପ୍ରତିନିଧି ଖାନଙ୍କୁ ଉଠାଇ ନେଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ଚିକିତ୍ସାଳୟକୁ ନେଇଥିଲା। ଗଣମାଧ୍ୟମର କଣ୍ଠରୋଧ ପାଇଁ ଶାସକ ଦଳର ସମର୍ଥକ ଏଭଳି ଆକ୍ରମଣ କରିଥିବା ବିରୋଧରେ ଭାଜପା ଏବଂ କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି। ଖବର ଲେଖାହେବା ସୁଦ୍ଧା ଏହି ଘଟଣାରେ ବିଞ୍ଝାରପୁର ପୋଲିସ ୧୦ ମହିଳା ସମେତ ୨୫ଜଣଙ୍କୁ ଗିରଫ କରିବାସହ ବାଛୋଳ ପଞ୍ଚାୟତରେ ଫ୍ଲାଗ୍‌ମାର୍ଚ୍ଚ କରିଛି। ବାଛୋଳ ପଞ୍ଚାୟତର ୪ ଓ ୬ ନଂ. ବୁଥ୍‌ରେ ମଧ୍ୟ ହିଂସା ଦେଖିବାକୁ ମିଳିଛି। ଦୁର୍ବୃତ୍ତମାନେ ୪ ନଂ. ବୁଥ୍‌ର ଭୋଟ ବାକ୍ସ ନେଇପଳାଇଥିବାବେଳେ ୬ ନଂ. ବୁଥ୍‌ର ଭୋଟ ବାକ୍ସକୁ ପୋଖରୀରେ ଫିଙ୍ଗି ଦେଇଛନ୍ତି।
ସେହିପରି ବିଞ୍ଝାରପୁର ବ୍ଲକ ଜରି ପଞ୍ଚାୟତ ୧୪ ନଂ. ବୁଥ୍‌ ଆଗରେ ପୋଲିସ ଉପରକୁ ଟେକାପଥର ମାଡ଼ କରାଯାଇଛି। ଏଥିରେ ୨ ଜଣ ଆହତ ହୋଇଛନ୍ତି। ବୁଥ୍‌ ରିଗିଂ ଉଦ୍ୟମକୁ ନେଇ ଦୁଇ ଗୋଷ୍ଠୀ ମୁହଁାମୁହିଁ ହେବାପରେ ଉତ୍ତେଜନା ଦେଖାଦେଇଥିଲା। ପୋଲିସ ଅଟକାଇବାରୁ ଦୁର୍ବୃତ୍ତମାନେ ଟେକାପଥର ମାଡ଼ କରିଥିଲେ।
ଯାଜପୁର ଜିଲା କୋରେଇ ବ୍ଲକ ଅନ୍ତର୍ଗତ ଗୋଳେଇପୁର ପଞ୍ଚାୟତର ସୋତି ୟୁଜିଏମ୍‌ଇ ସ୍କୁଲରେ ୮, ୯, ୧୦ ଓ ୧୧ ନଂ. ବୁଥ୍‌ରେ ମତଦାନ ଚାଲିଥିବା ବେଳେ ଦୁର୍ବୃତ୍ତମାନେ ବୁଥ୍‌ ଜବରଦଖଲ କରିବା ପାଇଁ ଚେଷ୍ଟା କରିଥିଲେ। ଖବର ପାଇ କୋରେଇ ବିଡିଓ ରଞ୍ଜନ ପରିଡ଼ା ଘଟଣାସ୍ଥଳରେ ପହଞ୍ଚତ୍ବା ପରେ ଦୁର୍ବୃତ୍ତମାନେ ତାଙ୍କୁ ଠେଲାପେଲା କରିଥିଲେ। ପୋଲିସ ବିଡିଓଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ନେଇଥିଲା।
କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକରେ ପୋଲିସ-ଜନତା ମୁହଁାମୁହିଁ ହୋଇଛନ୍ତି। କେତେଜଣ ଲୋକ ପୋଲିସକୁ ପାଣି ପାଇପ୍‌ରେ ପିଟିଛନ୍ତି।
ନୟାଗଡ଼ ବ୍ଳକ ଇଟାମାଟି ଗଁାର ୫ନଂ. ବୁଥ୍‌ରେ ପ୍ରିଜାଇଡିଂ ଅଫିସର ବାଲଟ ବାକ୍ସ ଷ୍ଟ୍ରଙ୍ଗରୁମକୁ ନ ନେଇ ରେଷ୍ଟରୁମ୍‌କୁ ନେବାପରେ ଉତ୍ତେଜନା ପ୍ରକାଶ ପାଇଥିଲା। ସେହିପରି ନୟାଗଡ ବ୍ଲକ ୧୨ନଂ. ଜିଲାପରିଷଦ ଜୋନ୍‌ର ହରିପୁର ଗଁା ବୁଥ୍‌ ନଂ. ୫ ଓ ୭, ଗଦାଧରପ୍ରସାଦ ଗଁାର ୬ନଂ. ବୁଥ୍‌ ରିଗିଂ ନେଇ ୧୨ନଂ. ଭାଜପା ଜିଲା ପରିଷଦ ପ୍ରାର୍ଥୀ ସନ୍ତୋଷ ପ୍ରଧାନ ପ୍ରତିବାଦ କରିବାପରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଏନେଇ ଗଣମାଧ୍ୟମର ପ୍ରତିନିଧି ଭିଜୁଆଲ ସଂଗ୍ରହ କରୁଥିଲେ। ଏହି ଘଟଣାରେ ବୁଥ୍‌ ରିଗିଂକାରୀ ଉତ୍ତେଜିତ ହୋଇ ଭାଜପା ପ୍ରାର୍ଥୀ ଓ ଦୁଇ ଖବରଦାତାଙ୍କୁ ଘେରି ଯାଇ ମାଡ ମାରିଥିଲେ। ଆହତ ଖବରଦାତା ଦ୍ୱୟ ହେଲେ ଅର୍ଗସ୍‌ ନ୍ୟୁଜ୍‌ର ଜିଲା ପ୍ରତିନିଧି ଶିବରାମ ମହାପାତ୍ର ଏବଂ ଓଡ଼ଗଁା ବ୍ଲକ ପ୍ରତିନିଧି ଅଭିଷେକ ମହାପାତ୍ର।
ଭୋଟର ତାଲିକାରେ ନାମ ନ ଥିବାରୁ କେତେଜଣ ଡଙ୍ଗରିଆ ଆଦିବାସୀ ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଶୂନଖଣ୍ଡ ପଞ୍ଚାୟତ ରାଇଲିଆ ଗଁାର ୧୪ ନଂ. ବୁଥ୍‌ରୁ ଭୋଟ ବାକ୍ସ ଉଠାଇ ନେଇଛନ୍ତି।
ଜଗତ୍‌ସିଂହପୁର ଜିଲା ତିର୍ତ୍ତୋଲ ବ୍ଲକର ଇବ୍ରିସିଂ ପଞ୍ଚାୟତ ଅରଣା ଗ୍ରାମରେ ଜଣେ ସରପଞ୍ଚ ପ୍ରାର୍ଥୀ ଭୋଟରଙ୍କୁ ପ୍ରବର୍ତ୍ତାଇବାରୁ ଦୁଇ ଗୋଷ୍ଠୀ ମଧ୍ୟରେ ହାତାହାତି ହୋଇ ୫ଜଣ ଆହତ ହୋଇଛନ୍ତି। ଏହି ବ୍ଲକର କୋଲର ପଞ୍ଚାୟତ ଓଳଗଦା ବୁଥ୍‌ରେ ମତଦାନ ପରେ ଦୁର୍ବୃତ୍ତମାନେ ଭୋଟ ବାକ୍ସ ନେଇ ଅନ୍ୟ ଏକ କୋଠରିରେ ରଖିଦେଇଥିଲେ। ଏନେଇ ଉତ୍ତେଜନା ପ୍ରକାଶ ପାଇଛି। ବୋଧେଇ ପଞ୍ଚାୟତର ଡିଆନପୁର ବୁଥ୍‌ରେ ମୃତ ଲୋକଙ୍କ ନାମରେ ଭୋଟ ଦିଆଯିବା ନେଇ ଉତ୍ତେଜନା ପ୍ରକାଶ ପାଇଥିଲା।

ଭଦ୍ରକ ଜିଲା ତିହିଡ଼ି ବ୍ଲକ କୋହ୍ଲ ପଞ୍ଚାୟତର ୪ ନଂ. ବୁଥ୍‌ର ଭୋଟ ବାକ୍ସକୁ ଦୁର୍ବୃତ୍ତମାନେ ପୋଖରୀରେ ଫିଙ୍ଗି ଦେଇଛନ୍ତି। ସେହିପରି ତିହିଡିର ସୟା ପଞ୍ଚାୟତର ୨୪ ଏବଂ ୨୫ ନଂ ଓ୍ବାର୍ଡରେ ମତଦାନ ବେଳେ ପୋଲିସ ଉପସ୍ଥିତିରେ କବାଟ ଦେଇ ରିଗିଂ କରାଯାଇଥିବା ଅଭିଯୋଗ ହୋଇଛି। ଫତେପୁର ପଞ୍ଚାୟତର ୪ ନଂ. ଓ୍ବାର୍ଡର ବଡ଼ଗାଲ ବୁଥ୍‌ରେ ଜଣେ ପୂର୍ବତନ ମହିଳା ପ୍ରତିନିଧି ଏକାଧିକ ଭୋଟ ଦେବା ନେଇ ଉତ୍ତେଜନା ପ୍ରକାଶ ପାଇଛି।
ଭୋଟର ଲିଷ୍ଟରେ ନଁା ନ ଥିବାରୁ ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ପାତ୍ରପୁର ପଞ୍ଚାୟତର ଗୋଲାସାହି ୧୫ ନଂ. ବୁଥ୍‌ରେ କେତେଜଣ ବ୍ୟକ୍ତି ଭୋଟ ବାକ୍ସରେ ପାଣି ଭର୍ତ୍ତି କରିଦେଇଛନ୍ତି। ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ବାମଣ୍ଡା ପଞ୍ଚାୟତର ଦେବଗଡ଼ ବୁଥ୍‌ରେ ପ୍ରିଜାଇଡିଂ ଅଫିସର ଅନ୍ୟ ପାଇଁ ଭୋଟ ଦେବାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। କେତେଜଣ ଉତ୍ତ୍ୟକ୍ତ ବ୍ୟକ୍ତି ମୁତୟନ ହୋଇଥିବା ପୋଲିସ କର୍ମଚାରୀଙ୍କୁ ଏକ ଘରେ ତାଲା ପକାଇ ଦେଇଥିଲେ। ପ୍ରିଜାଇଡିଂ ଅଫିସରଙ୍କୁ ମଧ୍ୟ ଘେରାଉ କରି ରଖିଥିଲେ। ଜିଲାପାଳ ଏବଂ ଏସ୍‌ପି ଲୋକଙ୍କୁ ବୁଝାଶୁଝା କରି ସେମାନଙ୍କୁ ଉଦ୍ଧାର କରିଥିଲେ।
ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହିଂସାକାଣ୍ଡ ପରେ ଆଇନ ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ସୁନୀଲ କୁମାର ବଂଶଲଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଡିଜିପି ମଧ୍ୟ ହିଂସାକାଣ୍ଡର ସମୀକ୍ଷା କରି ଆଇନ ଉଲ୍ଲଂଘନକାରୀଙ୍କୁ ବରଦାସ୍ତ କରାଯିବ ନାହିଁ ବୋଲି ଘୋଷଣା କରିଥିଲେ। ହେଲେ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଡିଜିପିଙ୍କ ଚେତାବନୀର ତିଳେମାତ୍ର ପ୍ରଭାବ ଦେଖିବାକୁ ମିଳିନାହିଁ। ବେଳକୁ ବେଳ ନିର୍ବାଚନୀ ହିଂସା ଭୟଙ୍କର ହେବାରେ ଲାଗିଛି।
ଖବରଦାତାଙ୍କୁ ଆକ୍ରମଣ: ଧର୍ମେନ୍ଦ୍ର, ପ୍ରଣବ, ମାନସଙ୍କ ନିନ୍ଦା
ଭୁବନେଶ୍ୱର,୨୦ା୨(ବ୍ୟୁରୋ)-ତୃତୀୟ ପର୍ଯ୍ୟାୟ ନିର୍ବାଚନ ବେଳେ ଯାଜପୁର ଜିଲା ବିଞ୍ଝାରପୁରରେ ଖବରଦାତାଙ୍କୁ ହୋଇଥିବା ଆକ୍ରମଣ ଘଟଣାକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଇଛି। ରାଜ୍ୟର ବରିଷ୍ଠ ଖବରଦାତା ମଧ୍ୟ ରାଜ୍ୟ ନିର୍ବାଚନ କମିଶନରଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ଅନ୍ୟପକ୍ଷରେ ଏହି ଘଟଣାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ମଧ୍ୟ ନିନ୍ଦା କରିଛନ୍ତି । ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଦାବି କରିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଲୋକଙ୍କ ସମସ୍ୟା ଓ ନିର୍ବାଚନ ସହ ଜଡ଼ିତ ଖବର ସଂଗ୍ରହ କରୁଥିବା ଖବରଦାତାମାନଙ୍କ ଉପରେ ହେଉଥିବା ବାରମ୍ବାର ଆକ୍ରମଣ ଘଟଣା ଗ୍ରହଣୀୟ ନୁହେଁ । ଗଣମାଧ୍ୟମ ହେଉଛି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ । ଗଣମାଧ୍ୟମ ଉପରେ ବାରମ୍ବାର ଆକ୍ରମଣ ଆମ ରାଜ୍ୟ ପାଇଁ ଶୁଭଙ୍କର ନୁହେଁ, ଏହା ଦୁଃଖ ଓ ପରିତାପର ବିଷୟ । ରାଜନୀତିରେ ବାଦବିବାଦ ରହେ, କିନ୍ତୁ ହିଂସାର ସ୍ଥାନ ନାହିଁ ବୋଲି ସେ କହିଛନ୍ତି ା
ଖବରଦାତାଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣ ଘଟଣାକୁ ଯାଜପୁର ବିଧାୟକ ତଥା ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ ଦୃଢ଼ ନିନ୍ଦା କରିଛନ୍ତି । ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ। ଏପରି କାର୍ଯ୍ୟ କରିଥିବା ସମସ୍ତ ବ୍ୟକ୍ତିଙ୍କ ବିରୋଧରେ ପୋଲିସ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ସେ କହିଛନ୍ତି ।
ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ କହିଛନ୍ତି, ଗଣତନ୍ତ୍ରରେ ହିଂସା ଗ୍ରହଣୀୟ ନୁହେଁ। ଖବରଦାତାମାନଙ୍କ ଉପରେ ଆକ୍ରମଣକୁ ନିନ୍ଦା କରିବା ସହ ଦୋଷୀ ନିଶ୍ଚୟ ଦଣ୍ଡ ପାଇବ ବୋଲି ସେ କହିଛନ୍ତି।