ସ୍କୁଲ ଛାତ୍ରଙ୍କ ମଧ୍ୟରେ ହିଂସା: ଅଣଛାତ୍ରଙ୍କ ସହାୟତାରେ ଦୁଇ ଛାତ୍ରଙ୍କୁ ମାଡ଼, ଲହୁଲୁହାଣ

ବ୍ରହ୍ମପୁର, ୩।୧୦ (ସୁବାସ ଚନ୍ଦ୍ର ପାଢ଼ୀ): ଭଲ ପାଠ ପଢ଼ି ଭବିଷ୍ୟତ ଗଢ଼ିବାକୁ ସ୍ୱପ୍ନ ଦେଖିବା ବଦଳରେ ଏବେ ସ୍କୁଲରେ ହିଂସା ଭଳି ଘଟଣା ଦେଖିବାକୁ ମିଳୁଛି। ଏଭଳି ଏକ ସମ୍ବେଦନଶୀଳ ଘଟଣା ବ୍ରହ୍ମପୁର ସହରର ଏକ ସ୍କୁଲରେ ଘଟିଥିବା ସାମ୍ନାକୁ ଆସିଛି।

ଉକ୍ତ ସ୍କୁଲର ଦୁଇ ଜଣ ଦଶମ ଶ୍ରେଣୀ ଛାତ୍ରଙ୍କୁ ଦୁଇ ଜଣ ନବମ ଶ୍ରେଣୀ ଛାତ୍ର କିଛି ଅଣଛାତ୍ରଙ୍କ ସହାୟତାରେ ସ୍କୁଲ ନିକଟରୁ ଟାଣି ନେଇ ଏମ୍‌କେସିଜି ଏଫ୍‌ଏମ୍‌ଟି ବିଭାଗ ପଛପଟେ ମାଡ଼ ମାରି ଲହୁଲୁହାଣ କରିଥିବା ଅଭିଯୋଗ ହୋଇଛି। ଆହତ ଦୁଇ ଛାତ୍ର ହେଲେ ଲୋକନାଥ ବେହେରା ଓ ତାଙ୍କ ସାଙ୍ଗ ସୌରଭ ସାହୁ।

ଘଟଣାକୁ ନେଇ ଆହତ ଛାତ୍ରଙ୍କ ଅଭିଭାବକଙ୍କ ମନରେ ଭୟ ସୃଷ୍ଟି ହୋଇଛି। ଅନ୍ୟପଟେ, ଖବର ପାଇ ପୋଲିସ ଘଟଣା ଉପରେ ତୀକ୍ଷ୍ଣ ନଜର ରଖିଥିବା ଜଣାପଡ଼ିଛି।

ପୋଲିସର ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ଦୁଇ ନବମ ଶ୍ରେଣୀ ଛାତ୍ରଙ୍କ ମୋବାଇଲ ଫୋନ୍ ସ୍କୁଲରେ ଶିକ୍ଷକ ଜବତ କରି ନେଇଥିଲେ। ଏହାକୁ କେନ୍ଦ୍ରକରି ଉକ୍ତ ଦୁଇ ଦଶମ ଶ୍ରେଣୀ ଛାତ୍ରଙ୍କୁ ଟାର୍ଗେଟ କରି ଏହି ଘଟଣା ଘଟାଯାଇଥିବା ପୋଲିସ ଜାଣିବାକୁ ପାଇଛି।ଏହି ଘଟଣା ଘଟାଇ ଫେରାର ଥିବା ଛାତ୍ର ଓ ଅଣଛାତ୍ରଙ୍କୁ ଧରିବା ପାଇଁ ପୋଲିସର ପ୍ରୟାସ ଜାରି ରହିଛି।

ଏନେଇ ଅତିରିକ୍ତ ଶିକ୍ଷାଧିକାରୀ ପ୍ରଭାତୀ ପରିଡ଼ାଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଆଜି ଦଶମ ଶ୍ରେଣୀ ବିଦ୍ୟାର୍ଥୀଙ୍କ ଅର୍ଦ୍ଧବାର୍ଷିକ ପରୀକ୍ଷା ଥିଲା। ସ୍କୁଲ ଭିତରେ କୌଣସି ହିଂସା ଘଟିନାହିଁ। କିଛି ଛାତ୍ରଙ୍କୁ ସ୍କୁଲ ବାହାରେ ଆକ୍ରମଣ କରାଯାଇଥିବା ଶୁଣିବାକୁ ମିଳିଛି ବୋଲି ସେ କହିଛନ୍ତି।

Dharitri – Odisha’s No.1 Odia Daily

Share