କୋରାପୁଟ,୨୫ା୪(ଅମିତାଭ ବେହେରା): ମହିଳାଙ୍କ ଉପରେ ବୃଦ୍ଧି ପାଉଥିବା ଅତ୍ୟାଚାର ଓ ଅସୁରକ୍ଷିତ ପ୍ରତିବାଦରେ କୋରାପୁଟ ସହରରେ ଏକ ବିଶାଳ ଜନ-ଆକ୍ରୋଶ ରାଲି ଆୟୋଜିତ ହୋଇଛି। କୋରାପୁଟସ୍ଥିତ ଟାଉନହଲଠାରୁ ବିଭିନ୍ନ ସଂଗଠନର ଶତାଧିକ ମହିଳା ଏଥିରେ ଯୋଗଦେଇ ହାତରେ ପ୍ଲାକାର୍ଡ ଧରି ନାରୀ ସୁରକ୍ଷା ଦାବିରେ ସ୍ଲୋଗାନ ଦେଇଥିଲେ। ରାଲିରେ ଅଂଶଗ୍ରହଣକାରୀମାନେ ଦେଶର ବିଭିନ୍ନ ସ୍ଥାନରେ ଘଟୁଥିବା ନାରୀ ନିର୍ଯାତନା ଘଟଣାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ସହ ମହିଳାଙ୍କ ପାଇଁ ସୁରକ୍ଷିତ ପରିବେଶ ସୃଷ୍ଟି କରିବାକୁ ସରକାରଙ୍କୁ ଦାବି କରାଯାଇଛି।
କୋରାପୁଟ ଜିଲା ଭାଜପା ମହିଳା ମୋର୍ଚ୍ଚା ପକ୍ଷରୁ ଆୟୋଜିତ ଏହି ଜନଆକ୍ରୋଶ ରାଲିରେ ବିଧାୟକ ରଘୁରାମ ମାଛ, ଜିଲା ଭାଜପା ସଭାପତି ଶିବ ମୁଦୁଲି, ଏସ୍ଡିସି ଅଧ୍ୟକ୍ଷ ଭଗବାନ ମୁଦୁଲି, ପୂର୍ବତନ ବିଧାୟକ କୈଳାସ କୁଲିସିକା ଜିଲା ସଭାପତି ସୁମନ୍ତ ପ୍ରଧାନ, ସବିତା ପଟ୍ଟନାୟକ, ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ଶର୍ମିଷ୍ଠା ଦେଓ, ବରିଷ୍ଠ ଗୌତମୀ ବାଇ, ଶର୍ମିଷ୍ଠା ମିଶ୍ର, ଏସ୍ଡିସି ଉପାଧ୍ୟକ୍ଷା ସୁକାନ୍ତି ମାଝୀ, ଶୁଆଇ କୁଲସିକା ପ୍ରମୁଖଙ୍କ ସମେତ ଶହ ଶହ ମହିଳା ସାମିଲ ହୋଇ ସହରର ଉପଜିଲାପାଳ ଛକ, ପୋଲିସ ମୁଖ୍ୟାଳୟ ବସ୍ଷ୍ଟାଣ୍ଡ, ଶାବର ଶ୍ରୀକ୍ଷେତ୍ର ମନ୍ଦିର ଛକ ବିଭିନ୍ନ ପଥ ଅତିକ୍ରମ କରି ରାଲି ଶେଷରେ ସ୍ଥାନୀୟ ନିଶାଣୀ ମୁଣ୍ଡାଠାରେ ପହଞ୍ଚିବା ପରେ ସେଠାରେ ସଭାର ଆୟୋଜନ ହୋଇଥିଲା। ଏହି ସଭାରେ ନାରୀ ସମ୍ମାନ ଓ ସୁରକ୍ଷା ନିଶ୍ଚିତ କରିବା ସମସ୍ତଙ୍କ ଦାୟିତ୍ୱ ଏବଂ ଏଥିପାଇଁ ସମାଜର ସଚେତନତା ବଢ଼ିବା ଆବଶ୍ୟକ ବୋଲି ଆନ୍ଦୋଳନକାରୀମାନେ କହିଥିଲେ।। ରାଲିକୁ ନେଇ ସହରରେ କିଛି ସମୟ ପାଇଁ ଯାତାୟାତରେ ପ୍ରଭାବ ପଡ଼ିଥିଲା। ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା।