ମାନବାଧିକାର ଉଲ୍ଲଂଘନକାରୀ ଏଠି ପଦବୀର ମାଲିକ : କଂଗ୍ରେସ

ଭୁବନେଶ୍ୱର, ୨୮।୮(ବ୍ୟୁରୋ): ଜନସାଧାରଣଙ୍କ ଅଧିକାରକୁ ସୁରକ୍ଷା ପ୍ରଦାନ ତଥା ପୋଲିସକୁ ଲୋକାଭିମୁଖୀ କରିବା ପାଇଁ ଦେଶରେ ବିଭିନ୍ନ ନ୍ୟାୟିକ ଓ ଅର୍ଦ୍ଧନ୍ୟାୟିକ ପ୍ରତିଷ୍ଠାନ କାର୍ଯ୍ୟକରୁଛି। କିନ୍ତୁ ରାଜ୍ୟ ସରକାରଙ୍କୁ ମାନବାଧିକାରର କୌଣସି ଖାତିର ନ ଥିବା କଂଗ୍ରେସ ଅଭିଯୋଗ ଆଣିଛି। ଶୁକ୍ରବାର କଂଗ୍ରେସ ଭବନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଦଳର ମୁଖପାତ୍ର ନିଶିକାନ୍ତ ମିଶ୍ର କହିଛନ୍ତି, ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି ଏକ ଟିପ୍ପଣୀ କରିଥିଲେ କି ସବୁଠାରୁ ଅଧିକ ମାନବାଧିକାର ଆଇନର ଉଲ୍ଲଂଘନ ପୋଲିସ ଥାନାରେ ହେଉଛି। ଓଡିଶା ମଧ୍ୟ ଏଥିରୁ ବାଦ ପଡିନି। କିଛିଦିନ ତଳେ ଅନୁଗୋଳର ଜଣେ ପୋଲିସ ଅଧିକାରୀ ଅଶ୍ୱିନୀ ସାହୁଙ୍କ ବିରୋଧରେ ନାରୀ ନିର୍ଯାତନାର ଅଭିଯୋଗ ଆସିଥିଲା। କିନ୍ତୁ ରାଜ୍ୟ ସରକାର ସେଭଳି ଜଣେ ଅଫିସରଙ୍କୁ ମହିଳା ଓ ଶିଶୁ ଅଧିକାରୀ ଭାବେ ନିଯୁକ୍ତ କରିଛନ୍ତି। ଏହାକୁ ରାଜ୍ୟ କଂଗ୍ରେସ ପକ୍ଷରୁ ତୀବ୍ର ନିନ୍ଦା କରାଯାଉଛି ବୋଲି ସେ କହିଛନ୍ତି। ଏହିଭଳି ରାଜ୍ୟରେ ଏକାଧିକ ପୋଲିସ ଅଧିକାରୀ ମାନବିକ ଅଧିକାର ଉଲ୍ଲଂଘନ ଘଟଣାରେ ଜାତୀୟ ଓ ରାଜ୍ୟ ମାନବାଧିକାର କମିଶନଙ୍କ ଦ୍ୱାରା ଦଣ୍ଡିତ ହୋଇ ମଧ୍ୟ ରାଜ୍ୟ ସରକାର ସେମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ଥଇଥାନ କରୁଛନ୍ତି। କୌଣସି ଥାନାରେ ହାଜତ ମୃତ୍ୟୁ ହେଲେ କାର୍ଯ୍ୟାନୁଷ୍ଠାନ ବଦଳରେ କେବଳ ସଂପୃକ୍ତ ଥାନା ଅଧିକାରୀଙ୍କୁ ବଦଳି କରାଯାଇ ଅନ୍ୟଏକ ଥାନାର ଦାୟିତ୍ୱ ଦିଆଯାଉଛି। ଏ ପରିସ୍ଥିତିରେ ସଂପୃକ୍ତ ଅଧିକାରୀଙ୍କଠାରୁ ମାନବାଧିକାର ସୁରକ୍ଷା ଆଶା କରାଯିବା ବୃଥା ବୋଲି କଂଗ୍ରେସ କହିଛି। ତେଣୁ ମାନବାଧିକାର ଉଲ୍ଲଂଘନ କରିଥିବା ପୋଲିସ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାସହ ସାଧାରଣ ଲୋକଙ୍କ ମାନବାଧିକାର ସୁରକ୍ଷା ପାଇଁ ପୋଲିସକୁ କଡ଼ା ନିର୍ଦ୍ଦେଶ ଦେବାକୁ ରାଜ୍ୟ ସରକାରଙ୍କ ନିକଟରେ କଂଗ୍ରେସ ଦାବି କରିଛି।