ବାଙ୍କୀରେ ୧୬୩ ଧାରା ଉଲ୍ଲଂଘନ: ଭାଜପା-ବିଜେଡି ମୁହାଁମୁହିଁ, ୭ ଦିନିଆ ଚେତାବନୀ: ପ୍ରଶାସନିକ କାର୍ଯ୍ୟାନୁଷ୍ଠାନକୁ ନେଇ

ବାଙ୍କୀ, ୧୧।୮(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଉପଖଣ୍ଡ ଡମପଡ଼ା ବ୍ଲକ ଏବଂ ଉପଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ବିଏନ୍‌ଏସ୍‌ର ୧୬୩ ଧାରା ଜାରି ହୋଇଥିବା ସତ୍ତ୍ବେ ଦୁଇ ପ୍ରମୁଖ ରାଜନୈତିକ ଦଳ (ଭାଜପା ଓ ବିଜେଡି) ମୁହାଁମୁହିଁ ହୋଇଛନ୍ତି। ପ୍ରଶାସନ ପକ୍ଷରୁ ୩ ପ୍ଲାଟୁନ୍ ପୋଲିସ ଫୋର୍ସ ଏବଂ ବରିଷ୍ଠ ଅଧିକାରୀମାନେ ମୁତୟନ ରହିଥିବାବେଳେ ବ୍ଲକ ମୁଖ୍ୟ ରାସ୍ତା ଉପରେ କିଛି ସମୟ ପାଇଁ ଉତ୍ତେଜନା ଓ ଅଶାନ୍ତ ପରିବେଶ ସୃଷ୍ଟି ହୋଇଥିଲା।

ଡମପଡ଼ା ବ୍ଲକରେ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାକୁ ଠିକ୍‌ ଭାବେ କାର୍ଯ୍ୟକାରୀ ନ କରାଯିବା, ଆବାସ ଯୋଜନାରେ ପାତରଅନ୍ତର ନୀତି, ଭତ୍ତା ପ୍ରଦାନରେ ଅବହେଳା ଏବଂ ଯନ୍ତ୍ରୀମାନଙ୍କ ଦ୍ବାରା ସରକାରୀ ପାଣ୍ଠି ଆତ୍ମସାତ୍‌ ନେଇ ଗତ ଶୁକ୍ରବାର ଭାଜପା ପକ୍ଷରୁ ବିଡ଼ିଓଙ୍କ ଅନୁପସ୍ଥିତିରେ ଧାରଣା ଦିଆଯାଇଥିଲା। ଏହି ଘଟଣାକୁ କେନ୍ଦ୍ର କରି ପ୍ରଶାସନ ପକ୍ଷରୁ ୧୬୩ ଧାରା ଜାରି କରାଯାଇ କେବଳ ୮ରୁ ୧୦ ଜଣିଆ ପ୍ରତିନିଧି ମଣ୍ଡଳଙ୍କୁ ଆଲୋଚନା ପାଇଁ ଅନୁମତି ଦିଆଯାଇଥିଲା।

ନିୟମକୁ ଉଲ୍ଲଂଘନ କରି ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କ ନିର୍ଦ୍ଦେଶକ୍ରମେ ଡମପଡ଼ା ବ୍ଲକ ଅଧ୍ୟକ୍ଷ ପ୍ରଣବ କିଶୋର ପଟେଲଙ୍କ ଅଧ୍ୟକ୍ଷତାରେ ବିଜେଡି ପକ୍ଷରୁ ଗୋରୁହାଟ ପଡ଼ିଆରୁ ଶତାଧିକ କର୍ମୀ ଏକ ଶୋଭାଯାତ୍ରାରେ ବ୍ଲକ ଅଫିସ ଆଡ଼କୁ ଆସିଥିଲେ। ଅନ୍ୟପଟେ ଭାଜପାର ଶତାଧିକ କର୍ମୀ ମଧ୍ୟ ସେଠାରେ ପହଞ୍ଚିବାରୁ ଉଭୟ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ତେବେ ପୋଲିସ ପ୍ରଶାସନ ତତ୍ପରତା ପ୍ରକାଶ କରି ଉଭୟ ପକ୍ଷକୁ ଅଟକାଇବାରୁ ଏକ ବଡ଼ଧରଣର ସଂଘର୍ଷ ଏଡ଼ାଯାଇପାରିଛି। ଘଟଣାସ୍ଥଳରେ କଟକ ଅତିରିକ୍ତ ଏସ୍‌.ପି. ପ୍ରଦୀପ କୁମାର ସାହୁ, ଏସ୍‌.ଡି.ପି.ଓ. ବାଳକୃଷ୍ଣ କହଁର ପ୍ରମୁଖ ଉପସ୍ଥିତ ରହି ସ୍ଥିତି ନିୟନ୍ତ୍ରଣ କରିଥିଲେ।

ବ୍ଲକ କାର୍ଯ୍ୟାଳୟ ଭିତରେ ଭାଜପା ବିଧାୟକ ପ୍ରାର୍ଥୀ ତୁଷାର କାନ୍ତ ଚକ୍ରବର୍ତ୍ତୀ, MP ପ୍ରତିନିଧି ସରୋଜ କୁମାର ମତ୍ତଗଜ ସିଂ, ଜୟନ୍ତ କୁମାର ବେଉରା, ଅନିତା ମିଶ୍ର, ଜଗନ୍ନାଥ ପରିଡ଼ା ଓ ଅନ୍ତର୍ଯ୍ୟାମୀ ମହାପାତ୍ର ପ୍ରମୁଖ ବିଡ଼ିଓଙ୍କ ସହ ଆଲୋଚନା କରିଥିଲେ। ତେବେ ଆଲୋଚନାରେ କୌଣସି ସନ୍ତୋଷଜନକ ସମାଧାନ ମିଳି ନ ଥିବାବେଳେ ସମସ୍ତ ତଥ୍ୟ ଦେବା ପାଇଁ ବିଡ଼ିଓ ୭ ଦିନ ସମୟ ମାଗିଛନ୍ତି। ଆଗାମୀ ୭ ଦିନ ମଧ୍ୟରେ ସରକାରୀ ଯୋଜନାଗୁଡ଼ିକର ସଠିକ୍ ରୂପାୟନ ନ ହେଲେ ଏବଂ ଦୁର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ନିଆଗଲେ ବ୍ଲକ ଘେରାଉ କରାଯିବ ବୋଲି ବିଜେପି ପକ୍ଷରୁ ଚେତାବନୀ ଦିଆଯାଇଛି।

ଏନେଇ ଡମପଡ଼ା ବ୍ଲକ ବିଡ଼ିଓ ଅଂଶୁମାନ ଦାସ କହିଛନ୍ତି ଯେ, ବ୍ଲକରେ ସେଭଳି କୌଣସି ଅପ୍ରୀତିକର ପରିସ୍ଥିତି ଘଟିନାହିଁ। ଭାଜପା ପକ୍ଷରୁ ଆଜି ଏକ ଲିଖିତ ଅଭିଯୋଗ ପ୍ରଦାନ କରାଯାଇଛି, ଯାହାକୁ ତଦନ୍ତ କରି ନିୟମ ଅନୁସାରେ ରିପୋର୍ଟ ଦିଆଯିବ ଏବଂ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ କରାଯିବ।

Dharitri – Odisha’s No.1 Odia Daily

Share