ବରଗଡ଼,୯।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ନିଶା କାରବାର ବଢ଼ିଚାଲିଛି। ଗାଁଠୁ ସହର ସବୁଆଡ଼େ ଚୋରାମଦ ସହିତ ଗଞ୍ଜେଇ, କଫ ସିରପ୍ ଅବାଧରେ ବିକ୍ରି ହେଉଛି। ସେହିପରି କେତେକ ସ୍ଥାନରେ ବ୍ରାଉନସୁଗାର ଭଳି ନିଶାଦ୍ରବ୍ୟ କାରବାର ମଧ୍ୟ ଚାଲିଥିବା ଅଭିଯୋଗ ହେଉଛି। ତେବେ ଗ୍ରାମବାସୀଙ୍କ ବାରମ୍ବାର ଅଭିଯୋଗ ସତ୍ତ୍ୱେ ପୋଲିସ କିମ୍ବା ଅବକାରୀ ବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନ ଥିବାରୁ ବିଭିନ୍ନ ଗ୍ରାମରେ ଅସନ୍ତୋଷ ପ୍ରକାଶ ପାଇଛି। ଏହି କ୍ରମରେ ଗ୍ରାମବାସୀ ପୋଲିସ ଏବଂ ଅବକାରୀ ବିଭାଗ ଉପରୁ ଆସ୍ଥା ହରାଇ ଜିଲାପାଳଙ୍କୁ ଫେରାଦ ହେଉଛନ୍ତି।
ଏଭଳି ଅଭିଯୋଗ ନେଇ ବୁଧବାର ଜିଲାର ବିଜେପୁର ଥାନା ଅନ୍ତର୍ଗତ ତାଲପଦର ଗ୍ରାମର ମହିଳାମାନେ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ। ଗ୍ରାମରେ ଚାଲିଥିବା ଚୋରାମଦ କାରବାର ରୋକିବା ଦିଗରେ ତ୍ୱରିତ୍ ପଦକ୍ଷେପ ନେବା ପାଇଁ ସେମାନେ ଜିଲାପାଳ ଆଦିତ୍ୟ ଗୋୟଲଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଅତିରିକ୍ତ ଜିଲାପାଳ ମଧୁଛନ୍ଦା ସାହୁ ଦାବିପତ୍ର ଗ୍ରହଣ କରିଥିଲେ। ଉକ୍ତ ଗ୍ରାମରେ ନିଶା ନିବାରଣ ଅଭିଯାନ ଯୋଗୁ ୨୦୧୨ରୁ ୨୦୨୨ ମସିହା ପର୍ଯ୍ୟନ୍ତ ନିଶା କାରବାର ସମ୍ପୂର୍ଣ୍ଣ ବନ୍ଦ ଥିଲା। ମାତ୍ର ଗତ କିଛିବର୍ଷ ହେଲା ତାଲପଦର ତଥା ଆଖପାଖ ଗ୍ରାମରେ ଦେଶୀ, ବିଦେଶୀ ମଦ ସମେତ କଫ ସିରପ୍ କାରବାର ଅବାଧରେ ଚାଲୁଥିବାରୁ ସ୍ଥାନୀୟ ଲୋକେ ଅସୁରକ୍ଷତି ମଣୁଥିବାବେଳେ ଯୁବପିଢ଼ି ମଧ୍ୟ ପଥଭ୍ରଷ୍ଟ ହେଉଥିବା ଅଭିଯୋଗ ହୋଇଛି। ସେହିପରି ଗ୍ରାମରେ ନାନା ବିଶୃଙ୍ଖଳା ଏବଂ ଅପରାଧ ବଢ଼ିଚାଲିଥିବା ଗ୍ରାମବାସୀ କହିଛନ୍ତି। ଏହି ଦୃଷ୍ଟିରୁ ତୁରନ୍ତ ଉକ୍ତ ଗ୍ରାମରେ ନିଶା କାରବର ବନ୍ଦ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। କୁମୁଦିନୀ ଭୋଇ, ଅଞ୍ଜଳି ବର୍ଗେଙ୍କ ସମେତ ଅନେକ ମହିଳା ଦାବିପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ।
ଜିଲାର ମେଲ୍ଛାମୁଣ୍ଡା ଥାନା ଅନ୍ତର୍ଗତ ଘନାମାଲ ଗ୍ରାମବାସୀ ମଧ୍ୟ ଅନୁରୂପ ଅଭିଯୋଗ କରି ଜିଲାପାଳଙ୍କୁ ଫେରାଦ ହୋଇଛନ୍ତି। ଉକ୍ତ ଗ୍ରାମରେ ଦେଶୀମଦ ରାନ୍ଧି ଗ୍ରାମର ବିଦ୍ୟାଳୟ, ମନ୍ଦିର, ରାସ୍ତାଘାଟ, ପୋଖରୀ ହିଡ଼ ଆଦି ସର୍ବସାଧାରଣ ସ୍ଥାନରେ ଅବାଧରେ ବିକ୍ରି କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏ ନେଇ ଅଭିଯୋଗ କଲେ ସୁଦ୍ଧା ପୋଲିସ କିମ୍ବା ଅବକାରୀ କର୍ତ୍ତୃପକ୍ଷ କିଛି ପଦକ୍ଷେପ ନେଉନାହାନ୍ତି। ତେବେ ଚୋରାମଦର କୁପ୍ରଭାବ ଗ୍ରାମବାସୀଙ୍କ ଉପରେ ପଡୁଥିବା ଯୋଗୁ ଗ୍ରାମକୁ ନିଶାମୁକ୍ତ କରିବା ପାଇଁ ଗ୍ରାମ୍ୟ କମିଟି ନିଷ୍ପତ୍ତି ନେଇଛି। ଫଳରେ ଏଥିରେ ସହଯୋଗ କରିବାକୁ ଗ୍ରାମବାସୀ ଜିଲାପାଳଙ୍କୁ ନିବେଦନ କରିଛନ୍ତି। ଗ୍ରାମର ସନ୍ତୋଷ ଗଡ଼ତିଆ, ଚୂଡ଼ାମଣି ବାରିକ ପ୍ରମୁଖ ଦାବିପତ୍ର ଦେବା ପାଇଁ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ। ତେବେ କେବଳ ଉପରୋକ୍ତ ୨ ଗ୍ରାମ ନୁହେଁ, ଜିଲାର ଅଧିକାଂଶ ଗ୍ରାମରେ ଖୋଲାଖୋଲି ନିଶା କାରବାର ଚାଲିଛି। ନିଶାଜନିତ ଅପରାଧ ମଧ୍ୟ ବଢୁଛି। ଏହାସତ୍ତ୍ୱେ ଏଥିପ୍ରତି ପୋଲିସ ଏବଂ ଅବକାରୀ ବିଭାଗ ଆଖିବୁଜି ଦେବା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ ଉଭୟ ବିଭାଗର କାର୍ଯ୍ୟଦକ୍ଷତା ପଦାରେ ପଡ଼ିଛି।
Dharitri – Odisha’s No.1 Odia Daily

