ବରୀ,୧୦।୧୧(ମହେନ୍ଦ୍ର ସ୍ୱାଇଁ ): ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନସ୍ଥ କଳାମାଟିଆ ସ୍ୱାସ୍ଥ୍ୟକେନ୍ଦ୍ରରେ ନିଯୁକ୍ତି ପାଇ ସେବା ଯୋଗାଇ ଆସୁଥିଲେ ଆୟୁଷ ଡାକ୍ତର କୈଳାଶ ଚନ୍ଦ୍ର ପତି । ତେବେ ତାଙ୍କ ବଦଳି ବାତିଲ ଦାବିରେ କଳାମାଟିଆ ପଂଚାୟତର ପୂର୍ବତ୍ତନ ସରପଞ୍ଚ ସମୀର କୁମାର ମଲ୍ଲିକଙ୍କ ନେତୃତ୍ୱରେ କଳାମାଟିଆ ସ୍ଥିତ ସ୍ୱାସ୍ଥ୍ୟକେନ୍ଦ୍ର ଆଗରେ ଗ୍ରାମବାସୀମାନେ ଧାରଣାରେ ବସିଛନ୍ତି।
ପ୍ରକାଶ ଥାଉକି ବଦଳି ହୋଇଥିବା ଡାକ୍ତର କୈଳାଶ ଚନ୍ଦ୍ର ପତି ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ ନିଯୁକ୍ତି ହେବା ପରେ ଉତ୍ତମ ସେବା ଯୋଗାଇଦେବା ଏବଂ ନିଜର ବ୍ୟବହାର ପାଇଁ ସାଧାରଣ ଲୋକଙ୍କ ପ୍ରିୟ ଭାଜନ ହୋଇପାରିଥିଲେ । ସୋମବାର ସ୍ଥାନୀୟ ଲୋକମାନେ ଜିଲାପାଳଙ୍କ ଜନଶୁଣାଣୀ ଶିବିରରେ ଉପସ୍ଥିତ ରହି ବଦଳି ହୋଇଥିବା ଡାକ୍ତରଙ୍କ ବଦଳିକୁ ବାତିଲ କରିବା ନିମନ୍ତେ ଲିଖିତ ଭାବେ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହି ମର୍ମରେ ଯାଜପୁର ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ପଚାରିବାରେ ସେ କୁହନ୍ତି ସ୍ଥାନୀୟ ଲୋକମାନଙ୍କର ଲିଖିତ ଅଭିଯୋଗ ମୋର ହସ୍ତଗତ ହୋଇଛି । ଯେହେତୁ ସେବା ଯୋଗାଇ ଦେବା କ୍ଷେତ୍ରରେ ଦାୟିତ୍ୱରେ ଥିବା ଡାକ୍ତର କୈଳାଶ ଚନ୍ଦ୍ର ପତି ଲୋକମାନଙ୍କର ବିଶ୍ୱାସ ଭାଜନ ହୋଇପାରିଛନ୍ତି ତାଙ୍କର ବଦଳିକୁ ବାତିଲ କରାଯାଇ ସେହିଠାରେ ହିଁ ତାଙ୍କୁ ଅବସ୍ଥାପିତ କରାଯିବ।

