ଭଞ୍ଜନଗର,୯ା୮(ବାବୁଲା ପ୍ରଧାନ): ଗଞ୍ଜାମ-କନ୍ଧମାଳ ଜିଲା ସୀମାରେ ଥିବା କନ୍ଧମାଳ ଜିଲାର ରାଇକିଆ ବ୍ଲକ ଅନ୍ତର୍ଗତ ଢେପାଗୁଡ଼ା ଗ୍ରାମରେ ଭୂସ୍ଖଳନ ଘଟଣାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଭୟ ଓ ଆତଙ୍କ ଦେଖାଦେଇଛି। ଗ୍ରାମରେ ହଠାତ୍ ମାଟି ଦବିଯାଇ ୧୦ ଫୁଟରୁ ଊର୍ଦ୍ଧ୍ୱ ଗଭୀର ଏକ ବିରାଟ ଗର୍ତ୍ତ ସୃଷ୍ଟି ହୋଇଥିବା ଜଣାପଡ଼ିଛି। ଘଟଣା ପରେ ଶନିବାର ପ୍ରଶାସନିକ ଅଧିକାରୀମାନେ ଗ୍ରାମରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।
ସୂଚନା ଅନୁସାରେ, ଶୁକ୍ରବାର ଗ୍ରାମର କିଛି ଶିଶୁ ଦାଣ୍ଡରେ ଖେଳୁଥିଲେ। ହଠାତ୍ ସେମାନଙ୍କ ଆଖି ଆଗରେ ଏକ ସ୍ଥାନର ମାଟି ଧିରେ ଧିରେ ତଳକୁ ଦବିବାକୁ ଲାଗିଥିଲା। କିଛି ସମୟ ମଧ୍ୟରେ ସେଠାରେ ବିରାଟ ଗର୍ତ୍ତ ସୃଷ୍ଟି ହୋଇଯାଇଥିଲା। ଏଭଳି ଅପ୍ରତ୍ୟାଶିତ ଘଟଣା ଦେଖି ଶିଶୁମାନେ ଭୟଭୀତ ହୋଇ ସେଠାରୁ ଦୌଡ଼ି ପଳାଇଥିଲେ।
ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ଘଟଣାସ୍ଥଳରେ କିଛି ଦିନ ପୂର୍ବରୁ ଏକ ଛୋଟ ଗର୍ତ୍ତ ହୋଇଥିଲା। ତାହା ଧିରେ ଧିରେ ବଡ଼ ହେଉଥିବା ବେଳେ ଶୁକ୍ରବାର ହଠାତ୍ ମାଟି ଦବିଯାଇ ଗର୍ତ୍ତର ଆକାର ବଢ଼ିଯାଇଥିଲା।
ଗ୍ରାମବାସୀଙ୍କ ସୂଚନା ଅନୁସାରେ, ପୂର୍ବରୁ ଏହି ସ୍ଥାନରେ ଏକ ନାଳ ଥିଲା। ପରବର୍ତ୍ତୀ ସମୟରେ ନାଳଟି ପୋତି ହୋଇଯାଇଥିଲା। ବର୍ତ୍ତମାନ ଲଗାଣ ବର୍ଷା ଯୋଗୁ ମାଟି ତଳେ ପାଣିର ପ୍ରବାହ କିମ୍ବା ମାଟି ଦୁର୍ବଳ ହୋଇଥିବା କାରଣରୁ ଏଭଳି ଘଟଣା ଘଟିଥାଇପାରେ ବୋଲି ସ୍ଥାନୀୟ ଲୋକେ ଆଶଙ୍କା କରୁଛନ୍ତି।
ତେବେ ଏହା ପ୍ରଥମ ଘଟଣା ନୁହେଁ। କିଛି ବର୍ଷ ପୂର୍ବେ ମଧ୍ୟ ଢେପାଗୁଡ଼ା ଗ୍ରାମରେ ଏଭଳି ମାଟି ଦବିବା ଘଟଣା ଘଟିଥିଲା। ସେତେବେଳେ ବୈଜ୍ଞାନିକମାନେ ଗ୍ରାମକୁ ଆସି ମାଟିର ନମୁନା ପରୀକ୍ଷା କରି ଫେରିଥିଲେ। ମାତ୍ର ସେହି ପରୀକ୍ଷାର ରିପୋର୍ଟ କ’ଣ ଆସିଥିଲା ଏବଂ ଏହାର କାରଣ କ’ଣ ଥିଲା, ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।
ପୁଣିଥରେ ଏଭଳି ଘଟଣା ଘଟିବା ପରେ ଗ୍ରାମବାସୀଙ୍କ ଚିନ୍ତା ବଢ଼ିଛି। ବିଶେଷକରି ଗ୍ରାମରେ ଶିଶୁମାନଙ୍କ ଯାତାୟାତ ଓ ସୁରକ୍ଷାକୁ ନେଇ ଅଭିଭାବକମାନେ ଚିନ୍ତିତ ହୋଇପଡ଼ିଛନ୍ତି। ଭୂସ୍ଖଳନର ପ୍ରକୃତ କାରଣ ଜାଣିବା ପାଇଁ ବିଶେଷଜ୍ଞଙ୍କ ଦ୍ୱାରା ମାଟିର ବୈଜ୍ଞାନିକ ପରୀକ୍ଷା କରାଯିବା ସହ ଆବଶ୍ୟକ ସୁରକ୍ଷା ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି।