Categories: ରାଜ୍ୟ

ଓଡ଼ିଶା-ଆନ୍ଧ୍ର ସୀମାନ୍ତ ଗ୍ରାମବାସୀ ମୁହାଁମୁହିଁ

ପାରଳାଖେମୁଣ୍ଡି,୧୮ା୨(ଡି.ଏନ୍‌.ଏ.):ଆନ୍ଧ୍ର ଓଡ଼ିଶାର ଜଳ, ଜମି ଓ ଜଙ୍ଗଲ ଉପରେ ଲୋଲୁପ ଦୃଷ୍ଟି ପକାଇବା ସହ କେବେ ସରକାରୀ କଳ ତ ଆଉ କେବେ ନିର୍ବାଚିତ ପ୍ରତିନିଧିଙ୍କୁ ବ୍ୟବହାର କରି ଓଡ଼ିଶା ସୀମାନ୍ତ ଗ୍ରାମରେ ଅସ୍ଥିରତା ସୃଷ୍ଟି କରୁଛି। ଗଜପତି ଜିଲା ସୀମାରେ ଆନ୍ଧ୍ରପ୍ରଦେଶ ତା’ର ସୀମାନ୍ତ ଗ୍ରାମବାସୀଙ୍କୁ ଉସୁକାଇ ଓଡ଼ିଶା ଜମି ଅକ୍ତିଆର କରିବାକୁ ପ୍ରୟାସ ଚଳାଇଛି। ଏହାକୁ ନେଇ ଉଭୟ ରାଜ୍ୟର ଦୁଇ ସୀମାନ୍ତ ଗ୍ରାମବାସୀ ବୁଧବାର ମୁହଁାମୁହିଁ ହୋଇଛନ୍ତି।
ଗଜପତି ଜିଲା ରାୟଗଡ଼ ବ୍ଲକ ଗଙ୍ଗାବାଡ଼ ପଞ୍ଚାୟତ ନୂଆ ବାରଘର ଓ ଆନ୍ଧ୍ରପ୍ରଦେଶ କୋଣ୍ଡାମେରା ଗ୍ରାମବାସୀ ବୁଧବାର ମୁହାଁମୁହିଁ ହୋଇଥିଲେ। କିଛିଦିନ ହେବ କୋଣ୍ଡାମେରା ଗ୍ରାମବାସୀ ଓଡ଼ିଶା ସୀମା ମଧ୍ୟରେ ପ୍ରବେଶ କରି ବାରଘର ନିକଟରେ ଟ୍ରାକ୍ଟର ଓ ଜେସିବି ସାହାଯ୍ୟରେ ରାସ୍ତା, ପୋଖରୀ, ଖେଳପଡ଼ିଆ ନିର୍ମାଣ ସହ ଚାଷଜମି ସମତୁଲ କରୁଛନ୍ତି। ଉକ୍ତ ଜମି ନୂଆବାରଘର ଗ୍ରାମବାସୀଙ୍କର ହୋଇଥିବାବେଳେ ସେମାନେ ବୁଧବାର ପହଞ୍ଚତ୍ କାମକୁ ବିରୋଧ କରିବାରୁ ଉତ୍ତେଜନା ଦେଖାଦେଇଥିଲା। ରାୟଗଡ଼ ବ୍ଲକ ଅଧ୍ୟକ୍ଷ ଧନେଶ୍ୱର ଭୂୟଁା ଓ ଆନ୍ଧ୍ରପ୍ରଦେଶର ଚିପି ପଞ୍ଚାୟତ ସରପଞ୍ଚଙ୍କ ସ୍ବାମୀ ଉପସ୍ଥିତ ଥିଲେ ମଧ୍ୟ ଉଭୟ ଗ୍ରାମବାସୀ ମୁହଁାମୁହିଁ ହୋଇଥିଲେ। ପରେ ହାତାହାତି ପର୍ଯ୍ୟନ୍ତ କଥା ଯାଇଥିଲା। ରାୟଗଡ଼ ତହସିଲଦାର ଲିଳାବତୀ ଆଚାର୍ଯ୍ୟ ଓ ଗାରବନ୍ଧ ପୋଲିସ ପହଞ୍ଚତ୍ ଉଭୟ ପକ୍ଷଙ୍କୁ ବୁଝାଶୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।
ସୂଚନାଯୋଗ୍ୟ, ସାମୁଦ୍ରିକ ଝଡ଼ ତିତ୍‌ଲିରେ ବାରଘର ଗ୍ରାମ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିଲା। ପାହାଡରୁ ଅତଡ଼ା ଧସି ୧୬ ଜଣଙ୍କ ପ୍ରାଣହାନି ଘଟିବା ସହ ବହୁ ଘର ମାଟିରେ ମିଶିଯାଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରଘର ପ୍ରତି ଭବିଷ୍ୟତରେ ବିପଦ ଥିବାରୁ ଗ୍ରାମକୁ ଅନ୍ୟତ୍ର ସ୍ଥାନାନ୍ତର ସହ ଘର, ଚାଷଜମି ଯୋଗାଇ ଦେବାକୁ ଜିଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ପ୍ରଶାସନ ପକ୍ଷରୁ ତାଙ୍କୁ ଏଠାରେ ଥଇଥାନ ସହ ଚାଷ ଜମି ପଟ୍ଟା ଦିଆଯାଇ ଚିହ୍ନଟ କରାଯାଇଥିଲା। ମାତ୍ର କୋଣ୍ଡାମେରା ଗ୍ରାମବାସୀ ଉକ୍ତ ଜମିକୁ ବଳପୂର୍ବକ ଚାଷ କରୁଛନ୍ତି ବୋଲି ବାରଘରର ପ୍ରଦୀପ ଭୂୟଁା, ଶ୍ରୀମତୀ ରାଇତା, ଧନେଶ୍ୱର ଭୂୟଁା (ରାୟଗଡ଼ ବ୍ଲକ ଅଧ୍ୟକ୍ଷ) ପ୍ରମୁଖ ପ୍ରକାଶ କରିଛନ୍ତି।
ଅନ୍ୟପଟେ କୋଣ୍ଡାମେରା ଗ୍ରାମର ବାସ ଗିରି, ଚିରଞ୍ଜୀବୀ ଶବର ପ୍ରମୁଖ ଓଡ଼ିଶାର ଏହି ଜମି ବୋଲି ସ୍ବୀକାର କରିଥିଲେ ମଧ୍ୟ ତାଙ୍କ ପୂର୍ବପୁରୁଷ ଏଠାରେ ଚାଷ କରୁଥିବାରୁ ଛାଡିବୁ ନାହିଁ ବୋଲି କହିଛନ୍ତି। ଉଭୟ ରାଜ୍ୟର ମିଳିତ ଡିମାର୍କେଶନ୍‌ ପରେ କିଛି କହିହେବ ବୋଲି ରାୟଗଡ଼ ତହସିଲଦାର କହିବା ସହ ନିର୍ମାଣ କାମ ବନ୍ଦ କରି ବିବାଦୀୟ ସ୍ଥଳରୁ ଜେସିବି ଓ ଟ୍ରାକ୍ଟର ହଟାଇ ଦେଇଛନ୍ତି।