ଶୁଣିଲାନି ପ୍ରଶାସନ: ଗ୍ରାମବାସୀ ତିଆରି କଲେ ଅସ୍ଥାୟୀ ପୋଲ

ମୋରଡା, ୨୦ା୧୦(ଡି.ଏନ.ଏ.): ବହୁଦିନର ଦାବି ପରେ ମଧ୍ୟ ଶୁଣିଲାନି ପ୍ରଶାସନ। ଗ୍ରାମବାସୀ ମିଶି ତିଆରି କରିଛନ୍ତି ଏକ ଅସ୍ଥାୟୀ ବାଉଁଶ ପୋଲ। ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଦାନ୍ତିଆମୁହାଁର ମାଛୁଆ ପୋଲ ବେତନଟୀ ବ୍ଲକର କେତେକ ପଞ୍ଚାୟତକୁ ସଂଯୋଗ କରୁଛି। ଉକ୍ତ ପୋଲ ଦେଇ ଜିଲାର ପ୍ରମୁଖ ଦାନ୍ତିଆମୁହାଁ ହାଟ ଉପରେ ହଜାର ହଜାର ଲୋକ ନିର୍ଭର କରନ୍ତି। ବହୁ ବର୍ଷ ଧରି ଉକ୍ତ ପୋଲଟି ଭଗ୍ନ ଅବସ୍ଥାରେ ଥିଲା। ତେବେ ସ୍ଥାନୀୟ ଲୋକେ ନୂତନ ପୋଲ ନିର୍ମାଣ ପାଇଁ ଦାବି କରି ଆସୁଥିଲେ ମଧ୍ୟ ପ୍ରଶାସନ ନିଦାବିଷ୍ଣୁ ସାଜିଛି l ଗତ ଲଗାଣ ବର୍ଷା ଫଳରେ ପୋଲଟି ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିବାରୁ ଯାତାୟାତ ବନ୍ଦ ଥିଲା। ପ୍ରଶାସନ ନ ଶୁଣିବାରୁ ସ୍ଥାନୀୟ ଗ୍ରାମବାସୀ ନିଜ ପ୍ରଚେଷ୍ଟାରେ ଯାତାୟାତ ପାଇଁ ଏକ ବାଉଁଶ ପୋଲ ନିର୍ମାଣ କରିଛନ୍ତି। ପ୍ରଶାସନ ଏକ ନୂତନ ସ୍ଥାୟୀ ପୋଲ ନିର୍ମାଣ ନ କଲେ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି l