ଉମରକୋଟ,୧୮।୯(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ସିଂସାରି ଫାଣ୍ଡି ଅଧିକାରୀ ଫାଣ୍ଡି ପରିସରରେ ଥିବା ଏକ ରୁମ୍ରେ ଜଣେ ଯୁବତୀଙ୍କ ସହ ବୁଧବାର ରାତିରେ ରହିଥିଲେ। ଏହି ଖବର ଜାଣିବା ପରେ ଗ୍ରାମବାସୀ ସେଠାରେ ପହଞ୍ଚି ଉକ୍ତ ରୁମ୍କୁ ବାହାରୁ ତାଲା ପକାଇ ଦେଇଥିଲେ। ଫାଣ୍ଡିଅଧିକାରୀ ଓ ଯୁବତୀ ଜଣକ ଗୁରୁବାର ସକାଳେ ଅଲଗା ଅଲଗା ଉକ୍ତ ରୁମ୍ରୁ ବାହାରୁ ଥିବାର ଭିଡିଓ ଭାଇରାଲ ହୋଇଛି। ଘଟଣା ଜଣାପଡ଼ିବା ପରେ ତଦନ୍ତ କରାଯାଉଥିବା ଏମ୍ପି ପାର୍ଥ ଜଗଦୀଶ କଶ୍ୟପ କହିଛନ୍ତି।
ସୂଚନାନୁଯାୟୀ, ସିଂସାରି ଫାଣ୍ଡି ଅଧିକାରୀ ଏଏସ୍ଆଇ ଦୁର୍ଗା ପ୍ରସାଦ ବ୍ରହ୍ମା ଫାଣ୍ଡି ପରିସରରେ ଥିବା ଏକ ଘର ଭିତରେ ବୁଧବାର ରାତିରେ ଜଣେ ଯୁବତୀଙ୍କ ସହ ଥିବା କୌଣସି ସୂତ୍ରରୁ ଗ୍ରାମବାସୀ ଖବର ପାଇଥିଲେ। ଏହା ପରେ ଗ୍ରାମବାସୀ ଉତ୍ତ୍ୟକ୍ତ ହୋଇ ବାହାରୁ ଉକ୍ତ ରୁମ୍ରେ ତାଲା ପକାଇ ଦେଇଥିଲେ। ସକାଳେ ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ଉପସ୍ଥିତିରେ ତାଲା ଖୋଲା ଯାଇଥିଲା। କିନ୍ତୁ ପ୍ରଥମେ ଫାଣ୍ଡି ଅଧିକାରୀ ଉକ୍ତ ଘରୁ ବାହାରି ଥିବାବେଳେ କିଛି ସମୟ ପରେ ମହିଳା ଜଣକ ମଧ୍ୟ ରୁମରୁ ବାହାରି ଏକ କାର ଯୋଗେ ରାଜପୁର ଦେଇ ଉମରକୋଟ ଅଭିମୁଖେ ଯାଇଥିଲେ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଏହି ସମୟର ଫଟୋ ଓ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି। ଘଟଣା ସମ୍ପର୍କରେ ଜାଣି ଉପରିସ୍ଥ ପୋଲିସ ଅଧିକାରୀ ଫାଣ୍ଡିରେ ପହଞ୍ଚି ତଦନ୍ତ କରି ଫେରିଛନ୍ତି। ଘଟଣାର ତଦନ୍ତ ଚାଲିଥିବା ଏସ୍ପି କହିଛନ୍ତି। ସେହିଭଳି ସିଂସାରି ଫାଣ୍ଡି ଅଧିକାରୀ ଏଏସଆଇ ଦୁର୍ଗା ପ୍ରସାଦ ବ୍ରହ୍ମାଙ୍କୁ ପଚାରିବାରୁ ଘଟଣାକୁ ଖଣ୍ଡନ କରିଛନ୍ତି। ଏଥିରେ କୌଣସି ସତ୍ୟତା ନାହିଁ। ରୁମରେ ଏକା ରହିଥିଲି ବୋଲି ସେ କହିଛନ୍ତି।