ପୋଖରୀର ଦୂଷିତ ପାଣି ପିଉଛନ୍ତି ଗ୍ରାମବାସୀ

ମହାକାଳପଡ଼ା,୧୫ା୬ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପେଟ୍‌ଛେଲା ଗ୍ରାମରେ ପାନୀୟ ଜଳ ସଙ୍କଟ ଦେଖାଦେଇଛି। ମହିଳାମାନେ ପାନୀୟଜଳ ସମସ୍ୟା ଯୋଗୁ ଗଡ଼ିଆ, ପୋଖରୀର ଦୂଷିତ ପାଣି ଗରା ମାଠିଆରେ ସଂଗ୍ରହ କରୁଛନ୍ତି। ବର୍ଷର ଅନ୍ୟ ସମୟରେ ଜଳକଷ୍ଟ ରହିଥିଲେ ହେଁ ଖରାଦିନେ ଜଳସ୍ତର ନିମ୍ନଗାମୀ ହେବା ପରେ ଜଳକଷ୍ଟ ସଙ୍ଗିନ ରୂପ ଧାରଣ କରୁଛି। ନଳକୂପ ଅଚଳ ଥିବାରୁ ପେଟ୍‌ଛେଲା ଗ୍ରାମ ୭ ନମ୍ବର ୱାର୍ଡର ୬୦ ପରିବାରର ୩ଶହରୁ ଊର୍ଦ୍ଧ୍ୱ ଲୋକ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ପୂର୍ବତନ ସରପଞ୍ଚ ନାଥ କୁମାର ଭୋଳ କହିଛନ୍ତି। ଗ୍ରାମ୍ୟ ପାନୀୟ ଜଳଯୋଗାଣ ବିଭାଗ ପକ୍ଷରୁ ଟ୍ୟାଙ୍କର ଯୋଗେ ଜଳ ଯୋଗାଣ କରିବାକୁ କୁହାଯାଇଥିଲା। ହେଲେ ଏକ ସପ୍ତାହ ହେବ ଜଳଯୋଗାଣ ବନ୍ଦ ଯୋଗୁ ବାଧ୍ୟହୋଇ ପୋଖରୀ ପାଣି ସଂଗ୍ରହ କରୁଛୁ ବୋଲି ଗାଁର ଗାୟତ୍ରୀ ମଣ୍ଡଳ, ଝରଣା ସ୍ବାଇଁ, ଭାରତୀ ସ୍ବାଇଁ, କଳ୍ପନା ମଣ୍ଡଳ, ଚନ୍ଦନା ହାଲଦାର, ଶେଫାଳୀ ମଣ୍ଡଳ, ଝରଣା ପରିଡ଼ା, ନମିତା ନାୟକ, ବର୍ଷା ସ୍ବାଇଁ ପ୍ରମୁଖ କହିଛନ୍ତି। ମଣିଷ ଏବଂ ଗୃହପାଳିତ ପ୍ରାଣୀ ସମସ୍ତେ ସେହି ପୋଖରୀ ପାଣି ପିଉଛନ୍ତି। ତୁରନ୍ତ ପୂର୍ବପରି ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଣ ପାଇଁ ଦାବି କରିଛନ୍ତି ଗ୍ରାମବାସୀ। ପିଇବା ପାଣି ଯୋଗାଇ ନ ଦେଲେ ଗରା ମାଠିଆ ଧରି ରାସ୍ତାରୋକୋ ଆନ୍ଦୋଳନ କରିବେ ବୋଲି ସେମାନେ କହିଛନ୍ତି। ଏ ସଂକ୍ରାନ୍ତରେ ବ୍ଲକ ଗ୍ରାମ୍ୟ ପାନୀୟ ଜଳଯୋଗାଣ ସହକାରୀ ଯନ୍ତ୍ରୀ ସୁବ୍ରତ କୁମାର ସାହୁଙ୍କୁ ପଚାରିବାରୁ ଉକ୍ତ ସ୍ଥାନକୁ ଟ୍ୟାଙ୍କର ଯୋଗେ ପାନୀୟଜଳ ଯୋଗାଣ ହେଉଥିଲା। ରଜ ପାଇଁ ଗାଡ଼ିଚାଳକ ଛୁଟିରେ ଥିବାରୁ ସମସ୍ୟା ହେଉଛି ବୋଲି ସେ କହିଛନ୍ତି।

Dharitri – Odisha’s No.1 Odia Daily

Share